ଅଶାନ୍ତ ଏଲ୍‌ଓସି: ୩ ଭାରତୀୟ ମୃତ, ୨ ପାକ୍‌ ରେଂଜର୍ସ ନିହତ; ୧୫୦ ଗ୍ରାମରେ ସୁରକ୍ଷା ବଢ଼ିଲା

ଜମ୍ମୁ: ପାକ୍‌ ସେନା କବ୍‌ଜାରେ ଥିବା ଭାରତୀୟ ବାୟୁ ସେନାର ପାଇଲଟ୍‌ ଅଭିନନ୍ଦନଙ୍କୁ ଭାରତ ଫେରାଇବାକୁ ପାକିସ୍ତାନ ବାଧ୍ୟ ହେବା ପରେ ଏବେ ନିୟନ୍ତ୍ରଣ ରେଖା ଅଂଚଳରେ ରାଗ ସୁଝାଉଛି। ଆଜି ପାକ୍‌ସେନାର ପ୍ରବଳ ଗୁଳିଗୋଳା ବର୍ଷା ଯୋଗୁଁ ସୀମାବର୍ତ୍ତୀ ୫ଟି ଭାରତୀୟ ଗ୍ରାମରେ ୫୦ରୁ ଅଧିକ ଘର କ୍ଷତିଗ୍ରସ୍ତ ହେବା ସହ ଜଣେ ମହିଳା ଓ ତାଙ୍କର ୨ ଜଣ ଶିଶୁଙ୍କର ମୃତ୍ୟୁ ଘଟିଛି। ଅନ୍ୟପକ୍ଷରେ, ଭାରତର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକ୍‌ ରେଂଜର୍ସ ନିହତ ହୋଇଥିବା ଜଣାପଡ଼ିଛି। ଭାରତୀୟ ପୋଷ୍ଟ୍‌ଗୁଡ଼ିକୁ ନଷ୍ଟ କରିବାରେ ବିଫଳ ହୋଇଥିବା ପାକିସ୍ତାନ ଏବେ ସୀମାବର୍ତ୍ତୀ ଗ୍ରାମଗୁଡ଼ିକୁ ସିଧାସଳଖ ଟାର୍ଗେଟ୍‌ କରିଛି। ପୁଞ୍ଚ୍‌ ଜିଲ୍ଲା ସ୍ଥିତ ନିୟନ୍ତ୍ରଣ ରେଖା ନିକଟ ଝୁଲା‌ସ୍‌ ଗ୍ରାମ ଉପରକୁ ପାକ୍‌ ସେନାର ଘନ ଘନ ମୋର୍ଟାର ମାଡ଼ ଆତଙ୍କ ସୃଷ୍ଟି କରିଥିଲା। ଏଥିରେ ଗ୍ରାମର ରୁବିନା କୌସର ଏବଂ ତାଙ୍କର ଦୁଇ ଶିଶୁ ପ୍ରାଣ ହରାଇଛନ୍ତି। ମୃତ ଶିଶୁଙ୍କ ମଧ୍ୟରୁ ଜଣଙ୍କୁ ୫ ବର୍ଷ ଏବଂ ଅନ୍ୟ ଜଣଙ୍କୁ ମାତ୍ର ୯ ମାସ ବୋଲି ଜଣାପଡ଼ିଛି। ମୃତ ରୁବିନାଙ୍କ ସ୍ବାମୀ ମହମ୍ମଦ୍ ମଧ୍ୟ ଗୁରୁତର ଆହତ ହୋଇଛନ୍ତି। ତେବେ ସୁରକ୍ଷାବାହିନୀର ଜବାବୀ କାର୍ଯ୍ୟାନୁଷ୍ଠାନରେ ୨ ଜଣ ପାକ୍‌ ରେଂଜର୍ସ ନିହତ ହୋଇଥିବା ପାକ୍‌ ଗଣମାଧ୍ୟମ ସ୍ବୀକାର କରିଛି।

ଆଜି ସକାଳୁ ପାକ୍‌ ସେନା ଦ୍ବାରା ରାଜୌରି ଜିଲ୍ଲାରେ ଗୋଳାବର୍ଷା ପରେ ଭାରତୀୟ ସେନା ମଧ୍ୟ ଭାରୀ ଯୁଦ୍ଧାସ୍ତ୍ରରେ ଏହାର ଜବାବ ଦେଇଥିଲେ। ଏଥିରେ ପାକିସ୍ତାନ ଅଂଚଳର ବ୍ୟାପକ କ୍ଷୟକ୍ଷତି ଘଟିଛି। ନିୟନ୍ତ୍ରଣ ରେଖା ନିକଟରେ ଗତ ୫ ଦିନ ଧରି ତୀବ୍ର ଉତ୍ତେଜନା ସ୍ଥିତି ଲାଗି ରହିଛି ଏବଂ ସେଠାରୁ ୫ କିମି ଦୂରତା ମଧ୍ୟରେ ସମସ୍ତ ଶିକ୍ଷାନୁଷ୍ଠାନ ବନ୍ଦ ରହିଛି। ଏଲଓସି ନିକଟ ଗ୍ରାମଗୁଡ଼ିକରେ ଏବେ ଅସ୍ଥାୟୀ ଭାବେ ସ୍ବାସ୍ଥ୍ୟ ଶିବିର ଖୋଲାଯାଇଛି ।୧୫୦ଟି ଗ୍ରାମରେ ସୁରକ୍ଷା ବ୍ୟବସ୍ଥା ବଢ଼ାଯିବା ସହ ବଙ୍କର ନିର୍ମାଣ କାର୍ଯ୍ୟ ମଧ୍ୟ ଯୁଦ୍ଧକାଳୀନ ଭିତ୍ତିରେ ଚାଲିଛି। ପାକ୍‌ ସେନା ପୁଞ୍ଚ୍‌, ରାଜୌରି, ଜମ୍ମୁ, ବାରମୂଳା ଏବଂ ନୌସେରା ସେକ୍ଟରରେ ଯୁଦ୍ଧଭଳି ସ୍ଥିତି ସୃଷ୍ଟି କରିବା ପାଇଁ ସବୁ ପ୍ରୟାସ କରୁଛି। ଏହାର ମୁକାବିଲା ପାଇଁ ଭାରତୀୟ ସେନା ତୟାର ରହିଛି। ଏଲ୍‌ଓସି ନିକଟ ଆଗୁ୍ଆ ଘାଟି ଏବଂ ୭୦ରୁ ଅଧିକ ଜନବସତି ଅଞ୍ଚଳକୁ ଟାର୍ଗେଟ୍‌ କରି ପାକିସ୍ତାନ ସପ୍ତାହକ ମଧ୍ୟରେ ୬୦ ଥର ଅସ୍ତ୍ରବିରତି ଉଲ୍ଲଂଘନ କରିଥିବା ଜଣାପଡ଼ିଛି। ଲେପ୍ଟନାଣ୍ଟ୍‌ ଜେନେରାଲ ରଣବୀର ସିଂହ ଏବଂ କମାଣ୍ଡର ଲେଫ୍ଟନାଣ୍ଟ ଜେନେରାଲ୍‌ ପରମଜିତ ସିଂହ ଆଜି ରାଜୌରି ସେକ୍ଟରରେ ଆଗୁଆ ଘାଟି ଗୁଡ଼ିକର ସୁରକ୍ଷା ସ୍ଥିତି ସମୀକ୍ଷା କରିଛନ୍ତି।

ସମ୍ବନ୍ଧିତ ଖବର