ଖୋର୍ଦ୍ଧା ପୌର ପରିଷଦ: ବର୍ଷକୁ ୨୭ କୋଟିର ଅନୁଦାନ, ଦିଶୁନି ଉନ୍ନୟନ

ଖୋର୍ଦ୍ଧା: ଖୋର୍ଦ୍ଧା ପୌର ପରିଷଦର ଯୋଜନା ଓ ଅଣଯୋଜନା ପାଇଁ ବର୍ଷକୁ ପ୍ରାୟ ୨୭ କୋଟି ଟଙ୍କାର ବଜେଟ୍ ଅନୁଦାନ ଖର୍ଚ୍ଚ ହୁଏ, କିନ୍ତୁ ସ୍ଥଳ ବିଶେଷରେ ଏହାର କୌଣସି ସୁଫଳ ପଡ଼ୁନଥିବା ଭଳି ଦୃଷ୍ଟିଗୋଚର ହେଉଛି। ସହରରେ ପ୍ରତିବର୍ଷ ଜଳକର, ଆବର୍ଜନା ନିଷ୍କାସନ କର, ଆଲୋକ କର, ଆସ୍ଥାନ କର ଆଦାୟ କରାଯାଉଛି, କିନ୍ତୁ ଏହାର ପ୍ରତିବଦଳରେ ଜନସାଧାରଣଙ୍କୁ ସାଧାରଣ ମୌଳିକ ସୁବିଧା ଦେବାରେ ପୌର ପରିଷଦ ବିଫଳ ହୋଇଛି। ୨୦୧୯-୨୦ ଆର୍ଥିକ ବର୍ଷରେ ଖୋର୍ଦ୍ଧା ପୌର ପରିଷଦର ବଜେଟ୍‌କୁ ଦୃଷ୍ଟି ଦେଲେ ସେହି ବର୍ଷ ପୌର ପରିଷଦ ବିଭିନ୍ନ ଯୋଜନାରୁ ୨୭ କୋଟି ୫୨ ଲକ୍ଷ ଟଙ୍କା ଅନୁଦାନ ପାଇଥିବା ବେଳେ ୨୭ କୋଟି ୪୬ ଲକ୍ଷ ଟଙ୍କା ଖର୍ଚ୍ଚ କରିଥିଲା। ୨୦୧୮-୧୯ରେ ବିଭିନ୍ନ ବିଭାଗରୁ ଆଦାୟ ହୋଇଥିବା କର ମଧ୍ୟରୁ ହୋଲ୍‌ଡିଂ ଟ୍ୟାକ୍ସ (ଆସ୍ଥାନ କର) ବାବଦରେ ୫୨ ଲକ୍ଷ ଟଙ୍କା, ଆଲୋକ କର ବାବଦରେ ୬ ଲକ୍ଷ ୨୯ ହଜାର ଟଙ୍କା, ଜଳ କର ବାବଦରେ ୪ ଲକ୍ଷ ୮୦ ହଜାର ଟଙ୍କା, ନର୍ଦ୍ଦମା ନିଷ୍କାସନ କର ବାବଦରେ ୨ ଲକ୍ଷ ୨ ହଜାର ଟଙ୍କା ଆଦାୟ କରିଥିଲା।

ପୂର୍ବବର୍ଷ ଅର୍ଥାତ୍ ୨୦୧୭-୧୮ ଆର୍ଥିକ ବର୍ଷରେ, ହୋଲ୍ଡିଂ ଟିକସ ବାବଦକୁ ୩୦ ଲକ୍ଷ ଟଙ୍କା, ଆଲୋକ କର ବାବଦକୁ ୧୦ ଲକ୍ଷ ଟଙ୍କା, ଜଳ କର ବାବଦକୁ ୨ ଲକ୍ଷ ୯୦ ହଜାର ଟଙ୍କା ଓ ନର୍ଦ୍ଦମା ନିଷ୍କାସନ କର ବାବଦକୁ ୧ ଲକ୍ଷ ୮୮ ହଜାର ଟଙ୍କା ଆଦାୟ ହୋଇଥିଲା। ପ୍ରତିବର୍ଷ ଲୋକଙ୍କଠାରୁ କର ଆଦାୟ ପରିମାଣ ବୃଦ୍ଧି ପାଉଥିବା ବେଳେ ସହରର ନର୍ଦ୍ଦମା ନିଷ୍କାସନ, ଆଲୋକୀକରଣ, ରାସ୍ତାଘାଟ ଆଦିର କୌଣସି ବିକାଶ ହେଉନାହିଁ। ଚଳିତ ବର୍ଷ ମୌସୁମୀ ପୂର୍ବରୁ ବୈଠକ ବସି ସହରର ଅନ୍ତତଃପକ୍ଷେ ନଦ୍ଦର୍ମା ଓ ବର୍ଷା ଜଳ ନିଷ୍କାସନ ବ୍ୟବସ୍ଥା ସୁଧାରିବାକୁ ପ୍ରଶାସନ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ମୌସୁମୀ ଲେଉଟିଗଲା କିନ୍ତୁ ସହରର ନର୍ଦ୍ଦମା ନିଷ୍କାସନ ବ୍ୟବସ୍ଥା ପାଇଁ ପାହୁଲାଟିଏ ବାଲି ମଧ୍ୟ ପଡ଼ିଲା ନାହିଁ କି ନାଳଗୁଡ଼ିକ ସଫା କରାଗଲା ନାହିଁ। କେବଳ ଏହା ନୁହେଁ ୨୦୧୭-୧୮, ୨୦୧୮-୧୯ରେ ସହରର ଭିତ୍ତିଭୂମି ସଜାଡ଼ିବା ପାଇଁ ସାଂସଦ ଓ ବିଧାୟକ ପାଣ୍ଠିରୁ ୫୦ ଲକ୍ଷ ଟଙ୍କାରୁ ଅଧିକ ଅନୁଦାନ ଖର୍ଚ୍ଚ ହୋଇଛି।

ଏହି ଦୁଇ ବର୍ଷରେ ସାଂସଦ ହାତପାଣ୍ଠିରୁ ଯଥାକ୍ରମେ ୧୮ ଲକ୍ଷ ୭୫ ହଜାର ଓ ୨୩ ଲକ୍ଷ ୭୫ ହଜାର ଟଙ୍କା ଅନୁଦାନ ଖର୍ଚ୍ଚ ହୋଇଥିବା ବେଳେ ବିଧାୟକ ହାତପାଣ୍ଠିରୁ ୧୧ ଲକ୍ଷ ୫୦ ହଜାର ଟଙ୍କା ଆଲୋକୀକରଣ, ନର୍ଦ୍ଦମା ଜଳ ନିଷ୍କାସନ, କମ୍ୟୁନିଟି ଗୃହ ଓ ସଡ଼କ ନିର୍ମାଣ ପାଇଁ ଖର୍ଚ୍ଚ ହୋଇଥିଲା। ବର୍ତ୍ତମାନ ଏହି ଅନୁଦାନର କେବଳ ଫଳକ ଦେଖିବାକୁ ମିଳୁଛି, କିନ୍ତୁ ନିର୍ମାଣର କୌଣସି ଭାଗ ଦେଖିବାକୁ ମିଳୁନାହିଁ। ସେହିଭଳି ୨୦୨୦ରେ ସହରରେ ୩ କୋଟି ଟଙ୍କାରୁ ଊର୍ଦ୍ଧ୍ବ ବ୍ୟୟରେ ୩ଟି ବଡ଼ ନିର୍ମାଣ କାର୍ଯ୍ୟ, ଯଥା: ବହୁମୁଖୀ ଶ୍ମଶାନ, ଜୟୀ ରାଜଗୁରୁ ଭବନ ଓ ଅତ୍ୟାଧୁନିକ ଶିଶୁ ପାର୍କ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଥିଲା। ୬-୭ ମାସ ମଧ୍ୟରେ ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ ବୋଲି ପୌର ପରିଷଦ ପକ୍ଷରୁ ପ୍ରତିଶ୍ରୁତି ଦିଆଯାଇଥିଲା, କିନ୍ତୁ ଏହା ମଧ୍ୟରେ ୧ ବର୍ଷ ବିତିଯାଇଛି କିନ୍ତୁ କୌଣସି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଏଯାଏଁ ଶେଷ ହୋଇନାହିଁ।

ପୌର ପରିଷଦର କାର୍ଯ୍ୟକାଳ ଶେଷ ହେବା ପରେ ପରିଚାଳନା ଭାର ନିର୍ବାଚିତ ପ୍ରତିନିଧିଙ୍କଠାରୁ ଯାଇ ଜିଲ୍ଲାପାଳ ଓ ପ୍ରଶାସନିକ ଅଧିକାରୀଙ୍କ ହାତରେ ରହିବା ପରେ ସହରର ବିକାଶ ହେବ ବୋଲି ଯେଉଁ ଆଶା କରାଯାଉଥିଲା ତାହା ମଉଳିଯାଇଛି। ଗୋଟିଏ ପଟେ ଖୋର୍ଦ୍ଧା ପୌର ପରିଷଦର ଅନୁଦାନ ଓ ଖର୍ଚ୍ଚ ପରିମାଣ ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ ବାସ୍ତବରେ ଏହାଦ୍ବାରା ପୌର ପରିଷଦର ଅନେକ ଆନୁଷଙ୍ଗିକ ବିକାଶ ହେବ ବୋଲି ଯେଉଁ ଆଶା ରହିଛି ତାହା ସ୍ଥଳ ବିଶେଷରେ କାର୍ଯ୍ୟକାରୀ ହେଉନାହିଁ। ଏନେଇ ସ୍ଥାନୀୟ ବାସିନ୍ଦା, ବୁଦ୍ଧିଜୀବୀ, ବିଭିନ୍ନ ସଂଗଠନ ପକ୍ଷରୁ ଅନେକ ଥର ଦାବି କରାଯାଇଛି, କିନ୍ତୁ ଆଶ୍ଚର୍ଯ୍ୟଜନକ ଭାବେ ପ୍ରଶାସନ ଏହି ଅଭିଯୋଗ ଓ ଦାବି ଉପରେ କୌଣସି ପଦକ୍ଷେପ ନେଉନାହିଁ।

ସମ୍ବନ୍ଧିତ ଖବର