କଣ୍ଢେଇ ନାଚ ଗୁରୁ ମାଗୁଣି ଚରଣ ପାଇବେ ପଦ୍ମଶ୍ରୀ, କଳାକୁ ବଞ୍ଚାଇବାରେ ସମର୍ପିତ ପୂରା ଜୀବନ

କେନ୍ଦୁଝର: ସମୟ ବଦଳୁଛି। ପାରମ୍ପରିକ ନୃତ୍ୟ, ଗୀତ ଓ ସଂସ୍କୃତିର ରୂପ ରେଖ ବି ବଦଳୁଛି। ଏଭଳିସ୍ଥଳେ କଣ୍ଢେଇ ନାଚ ଭଳି ବିଲୁପ୍ତ କଳାକୁ ବଞ୍ଚେଇ ରଖିବାକୁ ଅହରହ ସଂଘର୍ଷ କରୁଥିବା କଳକାର ହେଉଛନ୍ତି ମାଗୁଣି  ଚରଣ କୁଅଁର। ପଦ୍ମଶ୍ରୀ ପୁରସ୍କାର ପାଇଁ ମନୋନୀତ ହୋଇଛନ୍ତି କେନ୍ଦୁଝର ସହରର ପ୍ରସିଦ୍ଧ କଣ୍ଢେଇ ନୃତ୍ୟ ଗୁରୁ ମାଗୁଣି ଚରଣ କୁଅଁର। ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ନୃତ୍ୟଗୁରୁ ମାଗୁଣି କୁଅଁର କଣ୍ଢେଇନାଚକୁ ବଞ୍ଚେଇ ରଖିବାକୁ ଚାହୁଁଥିବା କଳାକାରଙ୍କ ମଧ୍ୟରେ ଜଣେ ଭିନ୍ନ ମଣିଷ। ଜୀବନର ସାୟାହ୍ନରେ ବି କଣ୍ଢେଇ ନାଚର ମାୟାରୁ ମୁକ୍ତ ହୋଇପାରୁ ନାହାନ୍ତି ସେ।

ପିଲାଟି ଦିନରୁ ଗୀତ ସଂଗୀତ ପ୍ରତି ରୁଚି ଥିବା ମାଗୁଣି ଇତିମଧ୍ୟରେ ରାଜ୍ୟର ବିଭିନ୍ନ ଜିଲ୍ଲାର ସରକାରୀ କାର୍ଯ୍ୟମଠାରୁ ଆରମ୍ଭ କରି ଏକାଧିକ ମହୋତ୍ସବ, ସାଂସ୍କୃତିକ କାର୍ଯ୍ୟକ୍ରମ‌େ ଏବଂ ରାଜ୍ୟ ବାହାରେ ମଧ୍ୟ କଣ୍ଢେଇ ନୃୃତ୍ୟ ପରିବେଷଣ କରି ବିଲୁପ୍ତ କଣ୍ଢେଇ ନୃତ୍ୟର ପ୍ରଚାର ପ୍ରସାର କାମରେ ଲାଗିଛନ୍ତି।
ଏହି କଣ୍ଢେଇ ନୃତ୍ୟରେ ସେ ରାମାୟଣଠୁ ଆରମ୍ଭ କରି ବିଭିନ୍ନ ପୌରାଣିକ ବିଷୟବସ୍ତୁକୁ ପରିବେଷଣ କରିଥାନ୍ତି। ଏଥିମଧ୍ୟରେ ଲୋକପ୍ରିୟ ପୌରାଣିକ ନୃତ୍ୟ ହେଉଛି, ଶକ୍ତିହରଣ, କୁମ୍ଭକର୍ଣ୍ଣ ବଧ, ରାବଣ ବଧ, ମହିରାବଣ ବଧ, ତ୍ରିପୁରାସୁର ବଧ, ଚନ୍ଦ୍ରହାସ୍ୟ ଖଡଗ, ମନ୍ଦୋଦରୀ ବିବାହ ଓ ସଧବା ମନ୍ଦୋଦରୀ।

ସାମାଜିତ ସଚେତନତା ବାର୍ତ୍ତାଭିତ୍ତିକ ନୃତ୍ୟ ହେଉଛି-ଗରିବ ଆଖିରେ ଲୁହ, ଚାର୍ଲ ଶୋଭରାଜ, ରାଙ୍ଗା ବିଲ୍ଲା, ବୀର ସୁରେନ୍ଦ୍ର ସାଏ, ଶହୀଦ ଲକ୍ଷ୍ମଣ ନାଏକ। ‌ସେହିପରି ଅନ୍ୟାତ୍ୟ ପୌରାଣିକ ନୃତ୍ୟ ମଧ୍ୟରେ ଖୁଲଣା ସୁନ୍ଦରୀ, ମୃତ୍ୟୁ ସଂଜୀବନୀ, ଶହସ୍ର ଶୀର ବଧ, ଶ୍ରୀ ଗଣେଶ, ସତୀ ତୁଳସୀ, ସନ୍ୟାସୀର ପୁତ୍ର ଦାନ, ସାବିତ୍ରୀ ସତ୍ୟବାନ, ଖୁଲଣା ସୁନ୍ଦରୀ, ସୂର୍ଯ୍ୟକନ୍ୟା ରହିଛି। ମାଗୁଣି କୁଅଁର ପ୍ରାୟ ୪୫ ପ୍ରକାର ନୃତ୍ୟ ପରିବେଷଣ କରନ୍ତି।

ତେବେ ଏହି କଣ୍ଢେଇ ନୃତ୍ୟକୁ ଜୀବନ ଓ ଜୀବିକାର ମାଧ୍ୟମ ଭାବେ ବାଛି ନେଇ ଅସୁବିଧାରେ ପଡିଛନ୍ତି ମାଗୁଣି। ସେ କହିଛନ୍ତି, କଣ୍ଢେଇ ନାଚକୁ ନିଶା କରିବା ପ‌ରେ ମୋର ଜୀବନ ତମାମ ସରି ଗଲାଣି। ଯେଉଁ ସମୟରେ କୌଣସି ରୋଜଗାର ମାଧ୍ୟମ ବାଛି ନେଇ ହୋଇଥାନ୍ତା, ସେହି ସମୟରେ କଣ୍ଢେଇ ନାଚକୁ ନେଇ ଭାବପ୍ରବଣତା ମୋତେ ଆଜି ଏଇ ସ୍ଥାନରେ ପହଞ୍ଚାଇଛି।

ଏହି କଣ୍ଢେଇ ନୃତ୍ୟ ପାଇଁ ତାଙ୍କୁ ପାରିଶ୍ରମିକ ୫ ହଜାରରୁ ୧୦ ହଜାର ଟଙ୍କା ପର୍ଯ୍ୟନ୍ତ ମିଳିଥାଏ। ଗ୍ରାମାଞ୍ଚଳରେ କଣ୍ଢେଇ ନୃତ୍ୟ କଲେ ୫ ହଜାର ଏବଂ ସରକାରୀ କାର୍ଯ୍ୟକ୍ରମରେ ୧୦ ହଜାର ଟଙ୍କା ମିଳିଥାଏ। ତେବେ ସବୁଠୁ ବଡ଼ କଥା ହେଉଛି ଏହି ୫ ହଜାର ଟଙ୍କା ପାଉଣାରେ ପ୍ରାୟ ୧୨ ଜଣ କଳାକାର ନିଜର ପେଟ ପାଟଣା ବୁଝିଥାନ୍ତି। ତେବେ ସରକାର କିନ୍ତୁ ଏହି କଳାକୁ ବଞ୍ଚେଇ ରଖିବାକୁ ଯେତିକି ଉଦ୍ୟମ କରିବା କଥା, ସେତିକି କରୁ ନାହାନ୍ତି ବୋଲି କ୍ଷୋଭର ସହିତ କହିଛନ୍ତି ମାଗୁଣି କୁଅଁର।

ସମ୍ବନ୍ଧିତ ଖବର