ରାଜଗାଙ୍ଗପୁର: ରାଜଗାଙ୍ଗପୁର ନିର୍ବାଚନ ମଣ୍ଡଳୀର ଯୁବନେତା ରବୀନ୍ଦ୍ର କୁମାର ପ୍ରଧାନଙ୍କୁ ଦଳ ନିଲମ୍ବିତ କରିବା ପରେ ରବୀନ୍ଦ୍ର ସାମ୍ବାଦିକ ସମ୍ମିଳନୀ କରି ରାଉରକେଲା ବିଧାୟକ ତଥା ଶ୍ରମମନ୍ତ୍ରୀ ସାରଦା ନାୟକ ଓ ପ୍ରୀତିରଂଜନ ଘଡ଼େଇଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଷୋହଳ ଅଣା ସତ ବୋଲି କହିଛନ୍ତି ପୂର୍ବତନ ବିଧାୟକ ତଥା ବରିଷ୍ଠନେତା ମଙ୍ଗଳା କିଷାନ।
ରବୀନ୍ଦ୍ରଙ୍କ ନିଲମ୍ବନ ଓ ତା ପରବର୍ତ୍ତୀ ଘଟଣାବଳୀ ସଂପର୍କରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ଶ୍ରୀ କିଷାନ କାହାରି ନାମ ନନେଇ ସାରଦା ଓ ତାଙ୍କ ଦୁଇ ସହଯୋଗୀଙ୍କୁ କଟୁ ସମାଲୋଚନା କରିଛନ୍ତି। ସାରଦା ଆଦିବାସୀ ବିରୋଧୀ। ଦଳର ବିଶ୍ବସ୍ତ ଓ ନିଷ୍ଠାପର କର୍ମୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନେଇ ସେ ଓ ତାଙ୍କ ଖାସ୍ ସହଯୋଗୀମାନେ ସୁନ୍ଦରଗଡ଼ ଜିଲ୍ଲାରେ ବିଜେଡି ସଂଗଠନକୁ ଧ୍ବଂସ କରିଦେବାକୁ ବସିଲେଣି ବୋଲି ଶ୍ରୀ କିଷାନ ଗୁରୁତର ଅଭିଯୋଗ ଆଣିଛନ୍ତି। ଜିଲ୍ଲାରେ ଦଳର ସ୍ଥିତି ସଂପର୍କରେ ମୁଖ୍ୟମନ୍ତ୍ରୀ ଗୁଇନ୍ଦା ରିପୋର୍ଟ ସଂଗ୍ରହ କରି ଆବଶ୍ୟକ ପଦକ୍ଷେପ ନିଅନ୍ତୁ ବୋଲି ସେ ନିବେଦନ କରିଛନ୍ତି।
ଶ୍ରୀ କିଷାନ ଆହୁରି କହିଛନ୍ତି ଯେ ବିଜେଡିର ପୁରୁଣା ନେତାମାନେ ଅଲୋଡ଼ା ହୋଇଯାଇଛନ୍ତି। ଅନ୍ୟ ଦଳରୁ ଆସି ବର୍ତ୍ତମାନ ଜିଲ୍ଲାର ଭାର ସମ୍ଭାଳୁଥିବା ନେତାମାନେ ପୁରୁଣା ଦକ୍ଷ କର୍ମୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇ ଦଳକୁ ଦୁର୍ବଳ କରିବାରେ ଲାଗିପଡ଼ିଛନ୍ତି। ତା ସହିତ ୨ ମନ୍ତ୍ରୀ ରାଜଗାଙ୍ଗପୁର ନିର୍ବାଚନମଣ୍ଡଳୀରେ ୮ରୁ ଅଧିକ ନେତାଙ୍କୁ ପ୍ରାର୍ଥୀ କରିବା ପାଇଁ ଆଶ୍ବାସନା ଦେଇଛନ୍ତି, ଯାହା ଆଗାମୀ ନିର୍ବାଚନରେ ଦଳ ପାଇଁ ଘାତକହେବ ବୋଲି ମଙ୍ଗଳା ଆଶଙ୍କା ବ୍ୟକ୍ତ କରିଛନ୍ତି। ଦଳର ବହିଷ୍କୃତ ଯୁବନେତା ରବୀନ୍ଦ୍ର କୁମାର ପ୍ରଧାନ ମନ୍ତ୍ରୀ ତଥା ଜିଲ୍ଲା ପର୍ଯ୍ୟବେକ୍ଷକ ପ୍ରୀତିରଂଜନ ଘଡ଼େଇଙ୍କ ବିରୋଧରେ କରିଥିବା ଅଭିଯୋଗକୁ ମଧ୍ୟ ଶ୍ରୀ କିଷାନ ସମର୍ଥନ କରିଥିଲେ।
ଜିଲ୍ଲାରେ ମୋଟ ୭ଟି ଆସନ ମଧ୍ୟରୁ ୨ଟିରେ ଜିତିବା ସମ୍ଭବପର ହେଉନାହିଁ। ଗତ ନିର୍ବାଚନରେ ରାଜଗାଙ୍ଗପୁର ବିଧାୟକ ପ୍ରାର୍ଥୀ ଭାବେ ତାଙ୍କୁ ଟିକଟ ଦେଇ ଦଳ ବିରୋଧୀ କାର୍ଯ୍ୟକରି ଦଳକୁ ହରାଇବାରେ ରାଉରକେଲା ବିଧାୟକଙ୍କ ହାତ ରହିଥିଲା ବୋଲି ମଙ୍ଗଳା କହିଥିଲେ। ବିଜେଡି ଜିଲ୍ଲାଗୁଡ଼ିକରେ ପର୍ଯ୍ୟବେକ୍ଷକ ନିଯୁକ୍ତ କରିବା ଦ୍ବାରା ଦଳ ଶକ୍ତିଶାଳୀ ହେବା ପରିବର୍ତ୍ତେ ଦୁର୍ବଳ ହେଉଛି ବୋଲି ସେ କହିଥିଲେ। ଏହା ନିର୍ବାଚନ ବର୍ଷ ହୋଇଥିବାରୁ ଦଳରୁ ବହିଷ୍କାର ହୋଇଥିବା ସମସ୍ତ କର୍ମୀଙ୍କୁ ଫେରାଇ ଆଣିବା ପାଇଁ ଏହି ଅବସରରେ ସେ ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଥିଲେ। ମଙ୍ଗଳାଙ୍କ ଅଭିଯୋଗ ଉପରେ ସାରଦାଙ୍କ ପ୍ରତିକ୍ରିୟା ମିଳିପାରି ନାହିଁ।