ହାଇକୋର୍ଟ ମାମଲା ଶୁଣାଣିରେ ଉଲ୍ଲେଖନୀୟ ଘଟଣା : ଦୁଇ ଦୁଇ ଥର ଖଣ୍ଡପୀଠର ଦୁଇ ବିଚାରପତିଙ୍କ ଭିନ୍ନ ରାୟ, ତୃତୀୟ ବିଚାରପତିଙ୍କ ଲୋଡ଼ାଗଲା ମତ

କଟକ : ହାଇକୋର୍ଟରେ ଏକ ମାମଲାର ବିଚାର ପ୍ରକ୍ରିୟାରେ ଉଲ୍ଲେଖନୀୟ ଘଟଣା ଘଟିଛି। ଦୁଇ ଜଣ ବିଚାରପତିଙ୍କୁ ନେଇ ଗଠିତ ଖଣ୍ଡପୀଠ ଏକ ଅନ୍ତରୀଣ ଜାମିନ ମାମଲାର ଶୁଣାଣି କରି ଦୁଇ ଦୁଇ ଥର ଭିନ୍ନ ରାୟ ଦେବାରୁ ମାମଲା ତୃତୀୟ ବିଚାରପତିଙ୍କ ନିକଟକୁ ଯାଇଛି। ଗୋଟିଏ ପ୍ରସଙ୍ଗର ଶୁଣାଣି ବାକି ଥିବା ବେଳେ ଅନ୍ୟ ପ୍ରସଙ୍ଗରେ ତୃତୀୟ ବିଚାରପତିଙ୍କ ରାୟ କାର୍ଯ୍ୟକାରୀ କରାଯାଇଛି। ଖଣ୍ଡପୀଠର ଦୁଇ ବିଚାରପତିଙ୍କ ଭିନ୍ନ ରାୟ ଯୋଗୁଁ ମାମଲା ମୁଖ୍ୟ ବିଚାରପତିଙ୍କ ପାଖରେ ପହଞ୍ଚିଥିଲା। ମୁଖ୍ୟ ବିଚାରପତି ଏହି ମାମଲା ଉପରେ ରାୟ ଦେବା ପାଇଁ ଆଉ ଜଣେ ତୃତୀୟ ବିଚାରପତିଙ୍କ ନିକଟକୁ ପଠାଇଥିଲେ। ଫଳରେ ତୃତୀୟ ବିଚାରପତି ଏହାର ଶୁଣାଣି କରି ଯେଉଁ ରାୟ ଦେଇଛନ୍ତି ତାହା କାର୍ଯ୍ୟକାରୀ ହୋଇଛି।

ମାମଲାର ବିବରଣୀ ଅନୁଯାୟୀ ନିମ୍ନ ଅଦାଲତର ଦଣ୍ଡାଦେଶକୁ ଚାଲେଞ୍ଜ କରି ସନ୍ଥ ଚରଣ ପଟ୍ଟନାୟକ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ସେ ଜେଲରେ ଥିବା ବେଳେ ହାଇକୋର୍ଟରେ ଅପିଲର ବିଚାର ଚାଲିଥିଲା। ସ୍ବାସ୍ଥ୍ୟଗତ କାରଣ ଦର୍ଶାଇ ସେ ଅନ୍ତରୀଣ ଜାମିନ ଲୋଡିଥିଲେ। ୨୦୧୯, ସେପ୍ଟେମ୍ବର ୨୦ରେ ହାଇକୋର୍ଟ ଆବେଦନକାରୀଙ୍କୁ ୬ ସପ୍ତାହ ପାଇଁ ଅନ୍ତରୀଣ ଜାମିନ ପ୍ରଦାନ କରିଥିଲେ। କିନ୍ତୁ ମାମଲା ବିଚାରାଧୀନ ଥିବା ବେଳେ ଗୋଟିଏ ପକ୍ଷର ଓକିଲ ସାକ୍ଷୀଙ୍କ ପାଲଟା ଜେରା ପାଇଁ ଅନୁମତି ଲୋଡି ହାଇାକୋର୍ଟଙ୍କ ଦ୍ବାରସ୍ଥ ହୋଇଥିଲେ। ଜଷ୍ଟିସ ଏସ.କେ.ମିଶ୍ର ଓ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ରଙ୍କୁ ନେଇ ଗଠିତ‌ ଖଣ୍ଡପୀଠରେ ମାମଲାର ଶୁଣାଣି ହୋଇଥିଲା। ଜଷ୍ଟିସ ଏସ.କେ.ମିଶ୍ର ଏଥି ପାଇଁ ଅନୁମତି ଦେଇଥିଲେ। କିନ୍ତୁ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ଏଥିପାଇଁ ଅନୁମତି ଦେବା ସପକ୍ଷରେ ନଥିଲେ। ଫଳରେ ମାମଲା ମୁଖ୍ୟ ବିଚାରପତିଙ୍କ ନିକଟକୁ ପଠାଯାଇଥିଲା। ମୁଖ୍ୟ ବିଚାରପତି ମାମଲାକୁ ଶୁଣାଣି ପାଇଁ ଜଷ୍ଟିସ ସି.ଆର.ଦାଶଙ୍କ ନିକଟକୁ ପଠାଇଥିଲେ। ଆଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ଚାଲିଥିବା ବେଳେ ଜଷ୍ଟିସ ସି.ଆର.ଦାଶଙ୍କ ଖଣ୍ଡପୀଠରେ ଏହି ପ୍ରସଂଗରେ ଶୁଣାଣି ‌ହୋଇ ପାରି ନଥିଲା। ଅନ୍ୟପକ୍ଷରେ ପୂର୍ବରୁ ଆବେଦନକାରୀଙ୍କୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଜାମିନର ମିଆଦ ନଭେମ୍ବର ୪ରେ ଶେଷ ହେବାକୁ ଥିଲା। ଆବେଦନକାରୀଙ୍କ ସ୍ବାସ୍ଥ୍ୟାବସ୍ଥା ଭଲ ନଥିବା ବେଳେ ଜାମିନ ମିଆଦ ବୃଦ୍ଧି ପାଇଁ ସେ ଆବେଦଦନ କରିଥିଲେ। ଜାମିନ ମିଆଦ ବୃଦ୍ଧି ଏକ ଜରୁରି ପ୍ରସଂଗ‌ ହୋଇଥିବା ବେଳେ ମାମଲା ପୁଣି ଦୁଇ ଜଣିଆ ଖଣ୍ଡପୀଠରେ ଶୁଣାଣି ହୋଇଥିଲା। ଜଷ୍ଟିସ ଏସ.କେ.ମିଶ୍ର ଆବେଦନକୁ ଗ୍ରହଣ କରି ୮ ସପ୍ତାହ ପାଇଁ ପୂର୍ବରୁ ପ୍ରଦାନ କରାଯାଇଥିବା ଅନ୍ତରୀଣ ଜାମିନର ମିଆଦ ବୃଦ୍ଧି କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ। ଅନ୍ୟପକ୍ଷରେ ପୂର୍ବରୁ ଯେଉଁ ପ୍ରସଂଗକୁ ବୃହତ ଖଣ୍ଡପୀଠକୁ ଶୁଣାଣି ପାଇଁ ପଠାଯାଇଥିଲା ତାହା ବିଚାର ହୋଇ ନଥିଲା। ଏପରି ପରିସ୍ଥିତିରେ ଜାମିନ ମିଆଦ ବୃଦ୍ଧି ସଂପର୍କିତ ଅନ୍ତରୀଣ ଆବେଦନକୁ ଖାରଜ ସପକ୍ଷରେ ଡକ୍ଟର ଜଷ୍ଟିସ ଏ.କେ.ମିଶ୍ର ରାୟ ଦେଇଥିଲେ। ଏଭଳି ସ୍ଥିତିରେ ପୁଣି ଜଷ୍ଟିସ ସି.ଆର.ଦାଶ ଅନ୍ତରୀଣ ଜାମିନ ମିଆଦ ବୃଦ୍ଧି ପ୍ରସଂଗର ଶୁଣାଣି କରି ଜଷ୍ଟିସ ଏସ.‌କେ. ମିଶ୍ରଙ୍କ ନିର୍ଦ୍ଦେଶ ସପକ୍ଷରେ ରାୟ ପ୍ରଦାନ କରିଥିଲେ। କିନ୍ତୁ ପୂର୍ବରୁ ଯେଉଁ ପ୍ରସଂଗ‌କୁ ନେଇ ଦୁଇ ବିଚାରପତି ପୃଥକ ରାୟ ଦେବା ପରେ ମାମଲା ତୃତୀୟ ବିଚାରପତିଙ୍କ ନିକଟକୁ ଆସିଥିଲା, ସେ ସଂପର୍କରେ ନଭେମ୍ବର ୧୯ରେ ଶୁଣାଣି ହେବ ବୋଲି ଧାର୍ଯ୍ୟ କରାଯାଇଛି।

ଏହି ରାୟ ପ୍ରକାଶ ସମୟରେ ଜଷ୍ଟିସ ସି.ଆର. ଦାଶ ଉଲ୍ଲେଖ କରିଛନ୍ତି ଯେ ହାଇକୋର୍ଟ ହେଉଛି ସାମ୍ବିଧାନିକ ଅଦାଲତ। ସମ୍ବିଧାନ ସମ୍ବନ୍ଧୀୟ ନୈତିକ ଜ୍ଞାନ ଥିବା ବିଚାରପତିଙ୍କୁ ନେଇ ସାମ୍ବିଧାନିକ ଅଦାଲତ ଗଠିତ ହୋଇଥିବା ବେଳେ ସଂପୂର୍ଣ୍ଣ ନ୍ୟାୟ ପ୍ରଦାନ ଏହାର ଉଦ୍ଦେଶ୍ୟ। ନିଜ ବିଚାର ଅନୁସାରେ ‌କାର୍ଯ୍ୟ କରିବାର ସ୍ବାଧୀନତା ବିଚାରପତିଙ୍କର ରହିଛି। ଏହାକୁ ନେଇ କେହି ପ୍ରଶ୍ନ କରି ପାରିବେ ନାହିଁ। ଏହି ମାମଲାଟିକୁ ଆବେଦନକାରୀ ସନ୍ଥ ଚରଣ ପଟ୍ଟନାୟକଙ୍କ ପକ୍ଷରୁ ଆଇନଜୀବୀ ଦେବାଶିଷ ପଣ୍ଡା ପରିଚାଳନା କରୁଛନ୍ତି।

ସମ୍ବନ୍ଧିତ ଖବର