ଭିତ୍ତିଭୂମି ସଜା‌ଡ଼ିଲେ ଆନ୍ଧ୍ରକୁ ଟକ୍କର ଦେବ ଓଡ଼ିଶା ଗୋଲମରିଚ

୧୦୦ ହେକ୍ଟର ଜମିରେ ୧୦ ହଜାରୁ ଅଧିକ ଚାରା ଲଗାଇବାକୁ ଯୋଜନା

କୋରାପୁଟ: (ଶ୍ରୀକାନ୍ତ ସାହୁ): ବିଶ୍ବ ବଜାରରେ କୋରାପୁଟ କଫି ପରି କୋରାପୁଟିଆ  କଳା ଓ ଧଳା ଗୋଲମରିଚର ଚାହିଦା କାହଁରେ କ’ଣ। ଯିଏ ଚାଖୁଛି ସିଏ ଏହାକୁ ନେବାକୁ ପ୍ରାଥମିକତା ଦେଉଛି। କୋରାପୁଟରୁ ଗୋଲମରିଚ ପଡୋଶୀ ରାଜ୍ୟକୁ ଚୋରା ଚାଲାଣ ହେଉଥିବାବେଳେ ଏହାକୁ ପୃଷ୍ଠପୋଷକତା ଦେବାକୁ ଦାବି ହୋଇଛି। କୋରାପୁଟ ପ୍ରଶାସନ ଯେପରି ଭାବେ କଫିକୁ ଗୁରୁତ୍ବ ଦେଉଛି ସେହିପରି ଭାବେ ଉଭୟ କଳା ଓ ଧଳା ଗୋଲ ମରିଚକୁ ପ୍ରାଥମିକତା ଦିଆଯିବା ଉଚିତ। ଏହି ମସଲା ଜାତୀୟ ଉଦ୍ଭିଦ କୋରାପୁଟ ପରି ମାଳ ଅଞ୍ଚଳରେ ଭଲ ଫଳ ଦେଉଥିବାରୁ ଏହାକୁ କଫି ପରି ପ୍ରାଥମିକତା ଦିଆଯିବା ଦରକାର। ଏହାକୁ ଚାଷ କରାଗଲା ନା ଯେ କେବଳ ଆଦିବାସୀଙ୍କ ଜୀବନଧାରଣମାନରେ ବୃଦ୍ଧି ପାଇବ ତାହା ନୁହେଁ କୋରାପୁଟକୁ ମଧ୍ୟ ନୂଆ ପରିଚୟ ମିଳିବ। ତେବେ କୋରାପୁଟ ସହ ବିଶ୍ବ ବଜାରକୁ ଦବାଇ ରଖିଛି ଆନ୍ଧ୍ର ଗୋଲମରିଚ। ଏହି ଦବଦବାକୁ ହଟାଇବ କୋରାପୁଟ ଗୋଲମରିଚ। ଏବେ ଆନ୍ଧ୍ର ପକ୍ଷରୁ କେଜି ପ୍ରତି ୮୦୦ ଟଙ୍କାରେ ବିକ୍ରି କରାଯାଉଥିବାବେଳେ ଭିତ୍ତିଭୂମି ସଜାଡ଼ିଲେ ଆନ୍ଧ୍ରକୁ ଓଡ଼ିଶା ଗୋଲମରିଚ ଟକ୍କର ଦେବ ଏଥିରେ ସନ୍ଦେହ ନାହିଁ।

ଗୋଲମରିଚର ବହୁ ଔଷଧୀୟ ଗୁଣ ରହିଛି। ଏହା ଶରୀରର ବହୁ ସମସ୍ୟା ଦୂର କରେ। ଗୋଲମରିଚ ଏକ ବ୍ୟବସାୟିକ ମସଲା ଜାତୀୟ ଚାଷ। ଏହା କୋରାପୁଟ ଜିଲ୍ଲାର ଜୟପୁର, କୋରାପୁଟ, ଲକ୍ଷ୍ମୀପୁର, ନାରାୟଣପାଟଣା, ବୋରିଗୁମ୍ମା, ବୈପାରିଗୁଡା, ପଟାଙ୍ଗୀ, ନନ୍ଦପୁର, ଲମତାପୁଟ, ସେମିଳିଗୁଡା ଓ କୁନ୍ଦୁରାରେ ଚାଷ ହୋଇପାରିବ।  ଯେଉଁଠି ୧୦ରୁ ୪୦ ଡିଗ୍ରୀ ସେଲସିୟସ ତାପମାତ୍ରା ଅନୁଭୂତ ହେଉଥିବ ସେଠି ଏହି ଗୋଲମରିଚ ଚାଷ କରାଯାଇ ପାରିବ।

ଏହି ଗଛ ୮ରୁ ୧୦ ମିଟର ଉଚ୍ଚତା ପର୍ଯ୍ୟନ୍ତ ବଢ଼ିପାରେ ଓ ୨୫ରୁ ୩୦ ବର୍ଷ ପର୍ଯ୍ୟନ୍ତ ଭଲ ଫଳ ଦେଇଥାଏ। ଏମିତିକି ଏହି ଗଛ ୧୦୦ ବର୍ଷ ପର୍ଯ୍ୟନ୍ତ ବଞ୍ଚି ରହିପାରେ। ଗୋଲମରିଚ ଚାଷ ପାଇଁ ନିଗିଡ଼ା, ବାଲିଆ ଦୋରସା, ନାଲି ଦୋରସା, ନଈକୂଳିଆ ବାଲି ମାଟି, ଲାଲ କାଙ୍କର ମାଟି, ଗୋଲମରିଚ ଚାଷ ପାଇଁ ଖୁବ୍‌ ଭଲ ହୋଇଥିବାବେଳେ ଗୋଲମରିଚ କିସମ ମଧ୍ୟରେ ପାନିଭ, ଶୁଭକରା, ଶ୍ରୀକରା, ପଞ୍ଚମୀ, ପୌର୍ଣ୍ଣମୀ, ଗିରିମୁଣ୍ଡା, ପନିୟୁର -୧, ପନିୟୁର-୨, ପନିୟୁର -୩, ପନିୟୁର -୪ ପନିୟୁର-୫, ଶ୍ରୀକର, ବାଲାନକୋଟା, କାଲୁଭାଲି, କାରିମୁମୁଣ୍ଡା, କୁଥିରାଭାଲି, ପଞ୍ଚମୀ, ନାରାୟାକୋଡ଼ି, କୋଟାନଡ଼ନ ଶକ୍ତି ଇତ୍ୟାଦି କୋରାପୁଟ ଜିଲ୍ଲାରେ ଭଲ ଅମଳ ଦେଉଛି। ଗୋଲମରିଚ ଗଛ ମାଡ଼ିବା ପାଇଁ ଆଉ ଏକ ଆଶ୍ରୟ ଗଛର ଆବଶ୍ୟକତା ଥାଏ। ଗୋଲମରିଚ ଚାଷ କରିବାକୁ ହେଲେ ନଡ଼ିଆ, ଗୁଆ, କମଳା, ତେନ୍ତୁଳି କିମ୍ବା ଆମ୍ବ ଗଛ ମୂଳରେ ଜୁଲାଇରୁ ଅଗଷ୍ଟ ମାସ ଭିତରେ ଗୋଲମରିଚ ଚାରା ରୋପଣ କରାଯାଇଥାଏ।

ଗୋଲମରିଚ ଚାଷୀ ରାଜେଶ୍ବରୀ ରେଡ୍ଡି କହିଛନ୍ତି ଯେ କୋରାପୁଟରେ ଉଭୟ ଧଳା ଓ କଳା ଗୋଲମରିଚ ଚାଷ ପାଇଁ ପରିବେଶ ରହିଛି। ତିନିବର୍ଷ ହେବ ଏହି ଚାଷ କରି ବର୍ଷକୁ ପ୍ରାୟ ୧୦ ଲକ୍ଷ ଟଙ୍କା ଆୟ କରୁଛି। କିନ୍ତୁ ପକ୍ରିୟାକରଣ, ଭିତ୍ତିଭୂମି ଓ ବଜାରୀକରଣ ଏବଂ ସରକାରୀ ପ୍ରୋତ୍ସାହନ ମିଳିପାରିଲେ ଏହା ଶୁଭଦାୟକ ହୁଅନ୍ତା।

କୋରାପୁଟ କଫି ବୋର୍ଡର ବରିଷ୍ଠ ଅଧିକାରୀ ଉପେନ୍ଦ୍ର ଶାହା କହିଛନ୍ତି ଯେ ମାଳଭୂମି କୋରାପୁଟ ଜିଲ୍ଲାରେ କଫି ପରି କଳା ଓ ଧଳା ଗୋଲମରିଚ ଚାଷରେ ପ୍ରାକୃତିକ ଉପାୟରେ ଭଲ ଅମଳ ହେଉଛି। ଏହାର ଭୂମିରୂପ ଗଡାଣିଆ ହୋଇଥିବାରୁ ଗୋଲମରିଚ ଚାଷ ପାଇଁ ବେଶ ଉପଯୋଗୀ। ଆଦ୍ର ଜଳବାୟୁ ଓ ସୁସ୍ଥ ପରିବେଶ ଏହି ଚାଷକୁ ସୁହାଉଛି। କିଛି ଘରୋଇ ଚାଷୀ ଚାଷ କରି ଭଲ ଲାଭବାନ ହୋଇଛନ୍ତି। ତେଣୁ ଚଳିତବର୍ଷ କୋରାପୁଟ ପ୍ରଶାସନ ଓ କଫି ବୋର୍ଡ ମିଳିତ ଭାବେ ୧୦୦ ହେକ୍ଟର ଜମିରେ ୧୦ ହଜାର ଉଭୟ କଳା ଓ ଧଳା ଗୋଲମରିଚ ଚାରା ଲଗାଇବା ପାଇଁ ଯୋଜନା ହୋଇଛି। ଆସନ୍ତା ତିନିବର୍ଷରେ ପର୍ଯ୍ୟାୟକ୍ରମେ ଏଥିରେ ଅର୍ଥ ଓ ମାନବସମ୍ଭଳ ବ୍ୟବହାର କରାଯାଇ ବ୍ୟବସ୍ଥା‌ ଗ୍ରହଣ କରାଯିବ ବୋଲି ସେ କହିଛନ୍ତି।

କୃଷି ବୈଜ୍ଞାନିକ ପଶୁର୍ରାମ ଶିଅଳ କହିଛନ୍ତି ଯେ ଗୋଲମରିଚ କିସମ ମଧ୍ୟରେ ପାନିଭ, ଶୁଭକରା, ଶ୍ରୀକରା, ପଞ୍ଚମୀ, ପୌର୍ଣ୍ଣମୀ, ଗିରିମୁଣ୍ଡା, ପନିୟୁର -୧, ପନିୟୁର-୨, ପନିୟୁର -୩, ପନିୟୁର -୪ ପନିୟୁର-୫, ଶ୍ରୀକର, ବାଲାନକୋଟା, କାଲୁଭାଲି, କୁଥିରାଭାଲି, ପଞ୍ଚମୀ, ନାରାୟାକୋଡ଼ି, କୋଟାନଡ଼ନ ଶକ୍ତି ଇତ୍ୟାଦି କୋରାପୁଟ ଜିଲ୍ଲାରେ ଭଲ ଅମଳ ଦେଉଛି। କିନ୍ତୁ କାରିମୁମୁଣ୍ଡା ସବୁଠୁ ବେଶୀ ଭଲ ଅମଳ ଦେଉଛି। ଏହି ଚାଷ କରିବାକୁ ହେଲେ ସରକାରୀ ପ୍ରୋତ୍ସାହନ ନିହାତି ଆବଶ୍ୟକ। ସରକାର ଏହି ଚାଷ କରୁଥିବା ଚାଷୀଙ୍କୁ ଆଡ ଆଖିରେ ଚାହୁଁ ନାହାନ୍ତି। ଯଦି କଫି ପରି ଏହି ଗୋଲମରିଚ ଚାଷୀଙ୍କୁ ଶୁଭଦୃଷ୍ଟି ଦିଅନ୍ତେ ତେବେ ଭଲ ହୁଅନ୍ତା ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର