ଟିଭି ଅଭିନେତ୍ରୀ ସନୟା ଇରାନୀ, ଅଭିନୟ ସାଥୀରୁ ଜୀବନସାଥୀ

ବେଳେ ବେଳେ ସମ୍ମାନ ଓ ପ୍ରତିଷ୍ଠା ଜଣକୁ ଉତ୍ସାହିତ କରି ଜୀବନକୁ ସରସ ସୁନ୍ଦର କରିଦେଇ। ତେବେ କେବଳ ସମ୍ମାନ କି ପୁରସ୍କାର ପାଇଲେ ଯେ ଜୀବନ ଅପାର ଆନନ୍ଦରେ ଭରିଯିବ, ତାହାର କିଛି ମାନେ ନାହିଁ। ଏମିତି ବି କେହି କେହି କୌଣସି ତଥାକଥିତ ପୁରସ୍କାରରୁ ବଞ୍ଚିତ ହୋଇ ସୁଦ୍ଧା ନିଜର କାର୍ଯ୍ୟକୁଶଳତା ପାଇଁ ଅପାର ଆତ୍ମସନ୍ତୋଷ ଲାଭ କରିଥା’ନ୍ତି। ଟିଭି ଅଭିନେତ୍ରୀ ସନୟା ଇରାନୀ ହେଉଛନ୍ତି ସେଭଳି ଜଣେ କଳାକାର ଯିଏ କୋଡ଼ିଏରୁ ଅଧିକ ମେଗା ଧାରାବାହିକରେ ଅଭିନୟ କରି ମଧ୍ୟ ଗୋଟିଏ ହେଲେ ଜାତୀୟ ସ୍ତରୀୟ ପୁରସ୍କାର ହାସଲ କରିପାରିନାହାନ୍ତି। ଅପରପକ୍ଷେ, ଏଥିରେ ସେ ହତୋତ୍ସାହିତ ନହୋଇ ନିଜର ଅଭିନୟ ଦକ୍ଷତାକୁ ଏଭଳି ପ୍ରତିପାଦନ କରିଚାଲିଛନ୍ତି ଯେ ଅନ୍ୟ ଯେ କୌଣସି ସମସାମୟିକ ପୁରସ୍କାରପ୍ରାପ୍ତା ଅଭିନେତ୍ରୀଙ୍କ ଅନୁରୂପ ଲୋକପ୍ରିୟ ସେ ହୋଇପାରିଛନ୍ତି। ତାଙ୍କ ପାଇଁ ସବୁଠୁ ବଡ଼ ଉପଲବ୍‌ଧି ହେଲା ନିଜ ଅଭିନୟ ସାଥୀଙ୍କୁ ଜୀବନସାଥୀ କରି ଶାନ୍ତିପୂର୍ଣ୍ଣ ଦାମ୍ପତ୍ୟ ଜୀବନ ବିତାଇବା। ମାୟାନଗରୀ ମୁମ୍ବାଇର ଏକ ଜୋରୋଷ୍ଟ୍ରୀୟ ପରିବାରରେ ୧୯୮୩ ସେପ୍ଟେମ୍ବର ୧୭ ତାରିଖରେ ଜନ୍ମିତ ସନୟା ଶିକ୍ଷାରେ ଏମ୍‌ବିଏ ଡିଗ୍ରି ହାସଲ କରିଛନ୍ତି। ପ୍ରଥମ ପଦାର୍ପଣ ଭାବେ ୨୦୦୬ ମସିହାରେ ହିନ୍ଦୀ ଫିଲ୍ମ ‘ଫନା’ରେ ଏକ କ୍ଷୁଦ୍ର ଭୂମିକାରେ ସେ ଅବତୀର୍ଣ୍ଣ ହୋଇଥିଲେ।

ତାହା ତାଙ୍କୁ ସେଭଳି ସଫଳତା ଦେଇନଥିଲେ ହେଁ ବିଭିନ୍ନ ବିଜ୍ଞାପନରେ ମଡେଲିଂ କରିବା ପାଇଁ ତାଙ୍କୁ ଏକ ମଞ୍ଚ ମିଳିଯାଇଥିଲା। ଅପରପକ୍ଷେ, ହିନ୍ଦୀ ଭାଷାରେ ପାରଙ୍ଗମ ନଥିବା ସନୟାଙ୍କୁ ପ୍ରଥମେ ପ୍ରଥମେ ଭୀଷଣ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥିଲା। ତେଣୁ ଫିଲ୍ମ ନିଶା ଛାଡ଼ି ସେ ନିୟମିତ ବିଜ୍ଞାପନରେ ଅଭିନୟ କରିବାକୁ ଲାଗିଲେ। ତେବେ ମଡେଲିଂ ଅବସରରେ ୨୦୦୭ରେ ସାବ୍‌ ଟିଭି ପାଇଁ ଧାରାବାହିକ ‘ଲେଫ୍ଟ ରାଇଟ୍‌ ଲେଫ୍ଟ’ରେ ସେ ବିଧିବଦ୍ଧ ପ୍ରଥମ ପ୍ରବେଶ କରିଥିଲେ। ଏଥିପାଇଁ ସଂପୃକ୍ତ ନିର୍ଦ୍ଦେଶକଙ୍କ ଦ୍ବାରା ସେ ହିନ୍ଦୀ ଭାଷାର ସ୍ବତନ୍ତ୍ର ତାଲିମ ନେଇଥିଲେ। ଏହାପରେ ଧାରାବାହିକ ‘ରାଧା କୀ ବେଟିୟାଁ କୁଛ କର ଦିଖାଏଙ୍ଗି’ରେ ଜଣେ ଖଳନାୟିକା ଭୂମିକା ନିଭାଇଥିଲେ। ତେବେ ୨୦୦୮ରୁ ୨୦୧୦ ଯାଏ ପ୍ରସାରିତ ‘ମିଲେ ଜବ୍‌ ହମ୍‌ ତୁମ୍‌’ ଧାରାବାହିକ ହିଁ ତାଙ୍କ ପାଇଁ ଅପୂର୍ବ ଦର୍ଶକୀୟ ସ୍ବୀକୃତି ଆଣିଦେବା ସହ ତାଙ୍କୁ ଆଉ ପଛକୁ ଫେରିବାକୁ ଦେଇନଥିଲା। ସେଥିରେ ସେ ନିଭାଇଥିବା ଗୁଞ୍ଜନ ଭୂମିକା, ପରେ ‘ଇସ୍‌ ପ୍ୟାର କୋ କ୍ୟା ନାମ୍‌ ଦୁଁ?’ର ଖୁସି ଚରିତ୍ର ଏବଂ ‘ରଙ୍ଗରସିୟା’ର ପାର୍ବତୀ ଭୂମିକା ତାଙ୍କୁ ଘରେ ଘରେ ଏକ ପରିଚିତ ମୁହଁ କରିଦେଇଥିଲା।

ବିଭିନ୍ନ ଚ୍ୟାନେଲ୍‌ ଦ୍ବାରା ପ୍ରଯୋଜିତ ଭିନ୍ନ ଭିନ୍ନ ରୁଚିର ଧାରାବାହିକ ଓ ରିଅଲିଟି ସୋ’ରେ ସେ ନିଜକୁ ବାନ୍ଧି ରଖି ୨୦୧୮ରେ ପୁଣି ଫେରିଥିଲେ ଫିଲ୍ମ ଦୁନିଆଁକୁ ଏକ କ୍ଷୁଦ୍ର ସିନେମା ‘ପିହୁ’ ଜରିଆରେ। ସେହିପରି ୨୦୧୯ରେ ମଧ୍ୟ ‘ଘୋଷ୍ଟ’ ସିନେମାରେ ତାଙ୍କ ଅଭିନୟ ତାଙ୍କୁ ଲୋକପ୍ରିୟତାରେ କିଛି ବାଟ ଆଗକୁ କଢ଼ାଇ ନେଇଥିଲା। ଏଥି ସହିତ ତାଙ୍କ ଅଭିନୀତ ୱେବ୍‌ ଧାରାବାହିକ ‘ଆଇ ଡୋଣ୍ଟ ଵାଚ୍‌ ଟିଭି’ ଓ ‘ଭୋଡକା ସଟ୍‌ସ’ରେ ମଧ୍ୟ ସେ ଦର୍ଶକଙ୍କୁ ମନଭରି ଆପ୍ୟାୟିତ କରିଛନ୍ତି। ନିଜର ପୁରୁଷବନ୍ଧୁ ତଥା ‘ମିଲେ ଜବ୍‌ ହମ୍‌ ତୁମ୍‌’ର ସହଅଭିନେତା ମୋହିତ ସେହଗାଲଙ୍କୁ ୨୦୧୬ ଜାନୁଆରିରେ ବିବାହ କରିଥିବା ସନୟାଙ୍କୁ ୟୁକେର ଖବରକାଗଜ ‘ଇଷ୍ଟରଣ୍ଣ ଆଇ’ ସବୁଠୁ ଶ୍ରେଷ୍ଠ ଏସୀୟ କାମିନୀ ତାଲିକାରେ ରଖିଥିଲା। ସେହିପରି ରେଡିଫ୍‌ ଦ୍ବାରା ମଧ୍ୟ ଶ୍ରେଷ୍ଠ ଟେଲି ଅଭିନେତ୍ରୀଙ୍କ ଦଶଜଣିଆ ତାଲିକାରେ ସେ ସ୍ଥାନ ପାଇଥିଲେ।

ସମ୍ବନ୍ଧିତ ଖବର