ଭୁବନେଶ୍ୱର : କାଳବୈଶାଖୀ ପ୍ରଭାବରେ ସାରା ରାଜ୍ୟରେ ତାପମାତ୍ରା ହ୍ରାସ ପାଇଛି। ଗତ ଦୁଇ ଦିନ ହେଲା ଉପକୂଳ ଓ ଉତ୍ତର ଓଡ଼ିଶାରେ ତାତିରୁ ତ୍ରାହି ମିଳିଥିବା ବେଳେ ଆଜି ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ବି ତାପମାତ୍ରା କମିଛି। ପ୍ରତି ସ୍ଥାନରେ ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ହ୍ରାସ ପାଇଥିବାରୁ ସାଧାରଣ ଲୋକଙ୍କୁ ତାତିରୁ ଆଶ୍ୱସ୍ତି ମିଳିଛି। କାଳବୈଶାଖୀର ପ୍ରଭାବ ବି କମିଛି। କେତେକ ସ୍ଥାନରେ ଘଣ୍ଟାପ୍ରତି ୪୦ରୁ ୫୦ କି.ମି. ବେଗରେ ପବନ ବୋହିଥିଲା। ଆସନ୍ତା ୬ ତାରିଖ ପର୍ଯ୍ୟନ୍ତ ଏଭଳି ପାଗ ଲାଗିରହିବ। ତାତି ବଢ଼ିବ ନାହିଁ। ଉତ୍ତର ଓଡ଼ିଶା ଉପରେ ଘୂର୍ଣ୍ଣିବଳୟ ସୃଷ୍ଟି ହୋଇଥିବାରୁ ତାହାର ପ୍ରଭାବରେ ପାଗ କୋହଲା ରହିବ ବୋଲି ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ କୁହାଯାଇଛି ଯେ ଏପ୍ରିଲ ୧୪ ପର୍ଯ୍ୟନ୍ତ ତାପମାତ୍ରା ସେଭଳି ବଢ଼ିବ ନାହିଁ। ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଏପାଖ ସେପାଖ ହୋଇପାରେ। କାଳବୈଶାଖୀର ଆଶଙ୍କା ରହିବ। ୫ ତାରିଖ ବେଳକୁ ଅଧିକାଂଶ ସ୍ଥାନରେ କାଳବୈଶାଖୀର ପ୍ରଭାବ ଦେଖିବାକୁ ମିଳିବ। ଗତ ୨୪ ଘଣ୍ଟା ମଧ୍ୟରେ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ହୋଇଛି। ବାରିପଦାରେ ସର୍ବାଧିକ ୩୫.୬ ମି.ମି. ବର୍ଷା ହୋଇଥିବା ବେଳେ ବାଲେଶ୍ୱରରେ ୩୩.୧, ଦାରିଙ୍ଗବାଡ଼ିରେ ୨୭, ପୁରୀରେ ୨୦, କୋରାପୁଟରେ ୧୯.୪, କେନ୍ଦୁଝରଗଡ଼ରେ ୧୨.୯, ଟିଟିଲାଗଡ଼ରେ ୧୦, ଭୁବନେଶ୍ୱରରେ ୬.୩, ସୁନ୍ଦରଗଡ଼ରେ ୫, କଟକରେ ୪.୮, ଫୁଲବାଣୀରେ ୩.୬, ବଲାଙ୍ଗୀର ଓ ମାଲକାନଗିରିରେ ୩, ଚାନ୍ଦବାଲିରେ ୨.୨ ମି.ମି. ବର୍ଷା ହୋଇଛି। ଆଜି ଓଡ଼ିଶାର କୌଣସି ବି ସ୍ଥାନରେ ବର୍ଷା ହୋଇ ନ ଥିବା ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ଦିଆଯାଇଛି।