ସାବରମତୀ ଆଶ୍ରମ ପୁନଃନିର୍ମାଣକୁ ବିରୋଧ

କେନ୍ଦ୍ର ଓ ଗୁଜରାଟ ସରକାର ତୁରନ୍ତ ପ୍ରକଳ୍ପ ବନ୍ଦ କରନ୍ତୁ

ଭୁବନେଶ୍ବର : ୧୨୪୬ କୋଟି ଟଙ୍କା ବ୍ୟୟରେ ଗୁଜରାଟ ସରକାର ଓ ଭାରତ ସରକାରଙ୍କ ମିଳିତ ସହଯୋଗରେ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ସାବରମତୀ ଆଶ୍ରମକୁ ଏକ ନୂଆ ରୂପ ଦେଇ ୭ ତାରକା ପର୍ଯ୍ୟଟନସ୍ଥଳୀରେ ପରିଣତ କରିବା ପାଇଁ ଯେଉଁ ଯୋଜନା କରିଛନ୍ତି। ଏହାକୁ ‘ସାବରମତୀ ବଞ୍ଚାଅ ଅଭିଯାନ’ ପକ୍ଷରୁ ବିରୋଧ କରାଯିବ।

ସାବରମତୀ ଆଶ୍ରମର ପୁନଃନିର୍ମାଣକୁ ବିରୋଧ କରି ସାବରମତୀ ବଞ୍ଚାଅ ଅଭିଯାନ ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରଫେସର ଭଗବାନ ପ୍ରକାଶ ଏହା କହିଛନ୍ତି।
ଏହି ପ୍ରକଳ୍ପ ବିରୋଧରେ ଦେଶ ବିଦେଶର ଗାନ୍ଧୀବାଦୀମାନେ ତଥା ବିଭିନ୍ନ ରାଜନୈତିକ ଦଳ ଏବଂ ଯୁବ, ଛାତ୍ର, ମହିଳା ସଂଗଠନ ପକ୍ଷରୁ ଗତ ଅକ୍ଟୋବର ୧୭ରୁ ୨୪ ତାରିଖ ପର୍ଯ୍ୟନ୍ତ ଶୋଭାଯାତ୍ରା କରିଛନ୍ତି। ଓଡ଼ିଶା ମଧ୍ୟ ଏହି ଆନ୍ଦୋଳନରେ ସାମିଲ ହୋଇ ସାବରମତୀ ବଞ୍ଚାଅ ଅଭିଯାନକୁ ଆଗେଇ ନେବାରେ ନିଜର ଉଦ୍ୟମ ଅବ୍ୟାହତ ରଖିଛି। ଭଗବାନ ପ୍ରକାଶଙ୍କ ନେତୃତ୍ବରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କ ଜରିଆରେ ପ୍ରଧାନମନ୍ତ୍ରୀ ଏବଂ ରାଷ୍ଟ୍ରପତିଙ୍କୁ ଏହି ପ୍ରକଳ୍ପ ବିରୋଧରେ ସ୍ମାରକପତ୍ର ପ୍ରଦାନ କରି ଏହାକୁ ବନ୍ଦ କରିବା ପାଇଁ ଦାବି କରାଯାଇଛି। ଆସନ୍ତା ୨୯ତାରିଖରେ ହେବାକୁ ଥିବା ପାର୍ଲାମେଣ୍ଟ ଅଧିବେଶନରେ ରାଜ୍ୟର ସମସ୍ତ ସାଂସଦ ତଥା ବିଭିନ୍ନ ରାଜନୈତିକ ଦଳର ନେତୃବୃନ୍ଦଙ୍କୁ ଏହି ପ୍ରକଳ୍ପ ବିରୋଧରେ ସ୍ବର ଉତ୍ତୋଳନ କରିବା ପାଇଁ ବିନମ୍ର ନିବେଦନ କରିବା ସହ ସ୍ଥାନୀୟ ଗାନ୍ଧୀ ପାର୍କସ୍ଥିତ ଗାନ୍ଧୀଜୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଏକ ପ୍ରତୀକାତ୍ମକ ଗଣ ଶୋଭାଯାତ୍ରା ଓ ଅନଶନ କରିବା ପାଇଁ ସ୍ଥିର କରାଯାଇଛି ବୋଲି ଭଗବାନ ପ୍ରକାଶ କହିଛନ୍ତି। କେନ୍ଦ୍ର ସରକାର ଏବଂ ଗୁଜୁରାଟ ସରକାର ତୁରନ୍ତ ଏହି ପ୍ରକଳ୍ପକୁ ବନ୍ଦ କରନ୍ତୁ। ଏଥିସହ ଦେଶର ସ୍ବାଧୀନତା ସଂଗ୍ରାମର ୭୫ବର୍ଷ ପୂର୍ତ୍ତୀ ଅବସରରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଷ୍ଟ୍ରପତିଙ୍କୁ ଦୁଇ ବର୍ଷ ତଳେ ସମ୍ବିଧାନର ମୁଖବନ୍ଧରେ ଅହିଂସା ଶବ୍ଦକୁ ସ୍ଥାନିତ କରିବା ପାଇଁ ଯେଉଁ ପ୍ରସ୍ତାବ ରଖିଥିଲେ ଏହି ଅଧିବେଶନ ସମୟରେ ଏ ଦିଗରେ ପଦକ୍ଷେପ ନେବାପାଇଁ ଅଭିଯାନ ପକ୍ଷରୁ ଦାବି କରାଯାଇଛି। ଏହି ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ ସାବରମତୀ ବଞ୍ଚାଅ ଅଭିଯାନର ଆବାହାକ ରବି ବେହେରା, ସାଧାରଣ ସମ୍ପାଦକ ଗୌରାଙ୍ଗ ମହାପାତ୍ର, ସୁଧାଂଶୁ ମହାପାତ୍ର, ସୁଦର୍ଶନ ପ୍ରଧାନ ପ୍ରମୁଖ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର