ସ୍ୱାସ୍ଥ୍ୟଶିକ୍ଷା ବ୍ୟବସ୍ଥାରେ ବିଚିତ୍ର ଚିତ୍ର: ୨୦ଦିନ ହେଲା ଡିଏମ୍‌ଇଟି ପଦ କାମଚଳା! ବାରିପଦା ମେଡିକାଲ କଲେଜକୁ ମିଳୁନାହାନ୍ତି ଇନ୍‌ଚାର୍ଜ ଅଧ୍ୟକ୍ଷ

କଟକ : ରାଜ୍ୟ ସ୍ବାସ୍ଥ୍ୟଶିକ୍ଷା ବ୍ୟବସ୍ଥାରେ ପୁଣି ଦେଖିବାକୁ ମିଳିଛି ବିଚିତ୍ର ଚିତ୍ର। ଡାକ୍ତରୀ ଶିକ୍ଷା ଓ ତାଲିମ ନିର୍ଦ୍ଦେଶକ (ଡିଏମ୍‌ଇଟି) ପଦକୁ ବି କାମଚଳା କରି ଦିଆଯାଉଛି। ବର୍ତ୍ତମାନ ଯିଏ ରାଜ୍ୟରେ ଡିଏମ୍‌ଇଟି ଦାୟିତ୍ବରେ ଅଛନ୍ତି, ସେ ରହିଛନ୍ତି ବାରିପଦାର ରଘୁନାଥ ମୁର୍ମୁ ମେଡିକାଲ କଲେଜ ଏଣ୍ଡ ହସ୍ପିଟାଲର ଅଧ୍ୟକ୍ଷ ତଥା ଡିନ୍‌। ଦୁଇଟି ଗୁରୁତ୍ବପୂର୍ଣ୍ଣ ପଦରେ ଜଣେ ବ୍ୟକ୍ତି। ଦୀର୍ଘ ୨୦ଦିନ ହେଲାଣି ସରକାର ତାଙ୍କୁ ଡିଏମ୍‌ଇଟି ଭାବେ ନିଯୁକ୍ତି ଦେଇଛନ୍ତି। ତାଙ୍କ ପୁରୁଣା ଦାୟିତ୍ବ ବାରିପଦା ପାଇଁ କାହାରିକୁ ଡିନ୍‌ ବା ଅଧ୍ୟକ୍ଷ ଭାବେ ନିଯୁକ୍ତି କରିନାହାନ୍ତି। ଫଳରେ, ଉଭୟ ଦାୟିତ୍ବ ଏବେ ଜଣେ ଅଧିକାରୀଙ୍କ ହାତରେ ରହିଛି।

ଗତ ଅକ୍ଟୋବର ୩୧ରେ ଡିଏମ୍‌ଇଟି ଥିବା‌ ପ୍ରଫେସର ଡାକ୍ତର ସିବିକେ ମହାନ୍ତି ଅବସର ଗ୍ରହଣ କରିସାରିଛନ୍ତି। ତାଙ୍କ ସ୍ଥାନରେ ନୂତନ ଡିଏମ୍‌ଇଟି (ଇନ୍‌ଚାର୍ଜ) ଭାବେ ବାରିପଦା ମେଡିକାଲ କଲେଜର ଡିନ୍‌ ତଥା ଅଧ୍ୟକ୍ଷ ପ୍ରଫେସର ଡାକ୍ତର ରମାରମଣ ମହାନ୍ତିଙ୍କୁ ସରକାର ନିଯୁକ୍ତ କରିଛନ୍ତି। ପ୍ରଫେସର ଡା. ମହାନ୍ତିଙ୍କୁ ଡିଏମ୍‌ଇଟି ଭାବେ ନିଯୁକ୍ତ କ‌ରିଥିଲେ ମଧ୍ୟ ଅନ୍ୟ ପ୍ରଫେସରଙ୍କୁ ବାରିପଦା ମେଡିକାଲ କଲେଜର ଅଧ୍ୟକ୍ଷ ବା ଡିନ୍‌ ଭାବେ ନିଯୁକ୍ତି ଦେଇନାହାନ୍ତି। ଫଳରେ ପ୍ରଫେସର ଡା. ମହାନ୍ତିଙ୍କୁ ଉଭୟ ଗୁରୁଦାୟିତ୍ବ ବହନ କରିବାକୁ ପଡ଼ୁଛି। କୁହାଯାଉଛି ଯେ, ସେ ଭୁବନେଶ୍ବରରୁ ବାରିପଦା ଯିବାଆସିବା କରିବା ବା ଭୁବନେଶ୍ବରକୁ ଫାଇଲ୍‌ ତାଙ୍କ ହସ୍ତଖତ ପାଇଁ ଆସିବା; ଉଭୟ ପଦ୍ଧତିରେ ଦୁଇଟିଯାକ ପଦବିର ଦାୟିତ୍ବ ପ୍ରଭାବିତ ହେବାର ଆଶଙ୍କା ରହିଛି। ଖାଲି ଏତିକି ନୁହେଁ, ମେଡିକାଲ କଲେଜ ପରିଚାଳନା କ୍ଷେତ୍ରରେ ଆଗକୁ ଯଦି ଏଭଳି ପ୍ରକ୍ରିୟା ଲାଗି ରହେ , ତା’ ହେଲେ ବଡ଼ ଧରଣର ବିଭ୍ର‌ାଟ ସୃଷ୍ଟି ହୋଇପାରେ ବୋଲି କୁହାଯାଉଛି। ଏ ସଂପର୍କରେ ସ୍ବାସ୍ଥ୍ୟ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କୁ ଯୋଗାଯୋଗ କରାଯିବାରୁ ବର୍ତ୍ତମାନ ପାଇଁ ଯିଏ ଡିନ୍‌ ସେ ହିଁ ବାରିପଦା ମେଡିକାଲ କଲେଜ ଅଧ୍ୟକ୍ଷ ଅଛନ୍ତି। ସ୍ବାସ୍ଥ୍ୟ ବିଭାଗ ଯାହା ପରବର୍ତ୍ତୀ ନିର୍ଦ୍ଦେଶ ଗ୍ରହଣ କରିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର