ଜିଲ୍ଲାରେ ହକିର ମାହୋଲ ସୃଷ୍ଟି ପାଇଁ ପ୍ରଶାସନର ପ୍ରସ୍ତୁତି

ରାଉରକେଲା: ଆସନ୍ତା ଜାନୁଆରି ମାସରେ ଭୁବନେଶ୍ବର ଓ ରାଉରକେଲାରେ ପୁରୁଷ ହକି ବିଶ୍ୱକପ ମ୍ୟାଚ୍‌ ଖେଳାଯିବ। ଏନେଇ ସମଗ୍ର ଜିଲ୍ଲାରେ ଉତ୍ସବର ବାତାବରଣ ସୃଷ୍ଟି କରିବା ଉଦ୍ଦେଶ୍ୟରେ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ପଦକ୍ଷେପ ନିଆଯାଉଛି। ଏହି କ୍ରମରେ ଆଜି ଜିଲ୍ଲାର ବିଭିନ୍ନ କ୍ରୀଡ଼ା ସଂଗଠନ, କ୍ରୀଡ଼ାବିତଙ୍କ ସହ ଜିଲ୍ଲା ପ୍ରଶାସନ ଆଲୋଚନା କରିଛି। ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) କାଉନସିଲ ହଲ୍‌ରେ ଅନୁଷ୍ଠିତ ବୈଠକରେ ଜିଲ୍ଲାପାଳ ପରାଗ ହର୍ଷଦ ଗାଭାଲି ଅଧ୍ୟକ୍ଷତା କରି କହିଲେ, ବିଶ୍ବକପ୍‌ ମ୍ୟାଚ୍‌ ରାଉରକେଲାରେ ନିର୍ମାଣାଧୀନ ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମରେ ଅନୁଷ୍ଠିତ ହେବ।

ଏବେଠାରୁ ଏହି ବିଶ୍ୱସ୍ତରୀୟ କାର୍ଯ୍ୟକ୍ରମକୁ ସ୍ୱାଗତ କରିବାକୁ ଗାଁରୁ ସହର ପର୍ଯ୍ୟନ୍ତ ବିଭିନ୍ନ ପ୍ରକାର କ୍ରୀଡ଼ା ଓ ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇପାରିବ ସେଥିପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ଏକ ଖସଡ଼ା ପ୍ରସ୍ତୁତ କରାଯାଉଛି। ଜନସାଧାରଣଙ୍କ ସହଭାଗିତାରେ ଏହାକୁ ସଫଳ କରାଯାଇପାରିବ। ହକି ମହାପର୍ବରେ ଜିଲ୍ଲାର ସବୁ ବର୍ଗର ଜନସାଧାରଣ କିଭଳି ଯୋଡ଼ିହେବେ ସେ ଦିଗରେ ପ୍ରଶାସନ ଗୁରୁତ୍ୱ ଦେଉଛି।

କ୍ରୀଡ଼ାବିତ ଓ ଜନସାଧାରଣଙ୍କୁ ସାମିଲ କରି ବିଭିନ୍ନ ପ୍ରକାର ପ୍ରତିଯୋଗିତା ଆୟୋଜନ କରାଯିବ। ଏହାସହ ସ୍କୁଲ, କଲେଜସ୍ତରରେ ଛାତ୍ରଛାତ୍ରୀଙ୍କ ମଧ୍ୟରେ କୁଇଜ, ଚିତ୍ରାଙ୍କନ, କ୍ରୀଡ଼ା ଆଦି ବିଭିନ୍ନ ପ୍ରତିଯୋଗିତା ହେବ। ସବୁ ବର୍ଗର ଜନସାଧାରଣଙ୍କ ପାଇଁ ବିଭିନ୍ନ ପ୍ରକାର ଆକର୍ଷଣୀୟ କାର୍ଯ୍ୟକ୍ରମ ହାତକୁ ନିଆଯିବ। ଏହିଅବସରରେ କ୍ରୀଡ଼ାବିତ୍‌, କ୍ରୀଡ଼ା ସଂଗଠନର କର୍ମକର୍ତ୍ତା ବିଭିନ୍ନ ପ୍ରସ୍ତାବ ରଖିଥିଲେ। ବୈଠକରେ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିସନର ଡା. ଶୁଭଙ୍କର ମହାପାତ୍ର, ଡେପୁଟି କମିଶନର ସୁଧାଂଶୁ ଭୋଇ, ଜିଲ୍ଲା କ୍ରୀଡା ଅଧିକାରୀ ପ୍ରଶାନ୍ତ ତରାଇ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର