ବିଜେଡିକୁ ରୋକିବା ବିଜେପି ପାଇଁ ଆହ୍ବାନ

ଅନୁଗୁଳ: ବିଜେପି ସହ ମେଣ୍ଟ ଭାଙ୍ଗିବା ପରଠାରୁ ପାଳଲହଡ଼ା ନିର୍ବାଚନମଣ୍ଡଳୀ ବିଜେଡି କବ୍‌ଜାରେ ରଖିଛି। କିନ୍ତୁ ଏଠାରେ ଗୋଟିଏ ଭିନ୍ନ ପରମ୍ପରା ସୃଷ୍ଟି କରିଛି ଦଳ। ପ୍ରତିଥର ପ୍ରାର୍ଥୀ ବଦଳାଇଛି। ବିଧାୟକ ଥିବା ନେତାଙ୍କୁ ଦଳ ଟିକେଟ୍‌ ନ ଦେଇ ନୂଆ ଚେହେରା ସାମ୍‌ନାକୁ ଆଣିଛି। ହେଲେ ଏଥର ଏହି ପରମ୍ପରା ଭାଙ୍ଗିବ, ନା ଦଳ ପୁଣି ନୂଆ ନେତାଙ୍କ ଉପରେ ଭରସା କରିବ ତାକୁ ନେଇ ଆରମ୍ଭ ହୋଇଗଲାଣି ଅବଗଣନା। ଏଥିପାଇଁ ପାଳଲହଡ଼ା ନିର୍ବାଚନମଣ୍ଡଳୀରେ ଏବେ ବିଜେଡି ଟିକେଟ୍‌ ପାଇଁ ମାଳମାଳ ଆଶାୟୀ।

ଆଶାୟୀଙ୍କ ସଂଖ୍ୟା ବୃଦ୍ଧି ବିଜେଡିର ମୁଣ୍ଡବ୍ୟଥା ବଢ଼ାଇଥିଲାବେଳେ ଏହାର ଫାଇଦା ନେବାକୁ ବିଜେପି ପ୍ରସ୍ତୁତି ଆରମ୍ଭ କରିଦେଇଛି। ଅସନ୍ତୁଷ୍ଟ ବିଜେଡି ନେତାଙ୍କୁ ଦଳକୁ ଟାଣି ବିଜେଡି‌କୁ ଫଟାଇବାକୁ ଦଳ‌ ରଣନୀତି ଚଳାଇଛି। ତେଣୁ ଏଠାରେ ବିଜେପିର ପ୍ରାର୍ଥୀ ଚୟନ ନେଇ ମଧ୍ୟ ଦ୍ବନ୍ଦ୍ବରେ। ଏପଟେ କଂଗ୍ରେସ ସ୍ଥିତି ଦିନକୁ ଦିନ ଦୁର୍ବଳ ହେବାରେ ଲାଗିଥିବାରୁ ଦଳ ଆସନ୍ତା ସାଧାରଣ ନିର୍ବାଚନରେ ପ୍ରଭାବୀ ପ୍ରଦର୍ଶନ କରିପାରିବ କି ନାହିଁ ତାହାକୁ ନେଇ ରାଜନୈତିକ ମହଲରେ ଆଲୋଚନା ହେଉଛି। ଅନୁଗୁଳ ଜିଲ୍ଲାର ପାଳଲହଡ଼ା ନିର୍ବାଚନମଣ୍ଡଳୀ‌ରେ ବିଜେପି ନେତା ଧର୍ମେନ୍ଦ୍ର ପ୍ରଧାନଙ୍କ ପୈତୃକ ଘର। ବିଜେଡି-ବିଜେପି ମେଣ୍ଟ ସମୟରେ ଏହି ଆସନ ବିଜେପି ଭାଗରେ ପଡ଼ିଥିଲା। ୨୦୦୦ରେ ଏଠାରୁ ଧର୍ମେନ୍ଦ୍ର ପ୍ରଧ‌ାନ ବିଜୟୀ ହୋଇ ପ୍ରଥମ ଥର ପାଇଁ ବିଧାନସଭାକୁ ଯାଇଥିଲେ। ୨୦୦୪ରେ ଧର୍ମେନ୍ଦ୍ର ଦେବଗଡ଼ ଲୋକସଭା ଆସନକୁ ବାଛିବା ପରେ ଏଠାରେ ତାଙ୍କ ବାପା ତଥା ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦେବେନ୍ଦ୍ର ପ୍ରଧାନ ବିଜେପିରୁ ପ୍ରାର୍ଥୀ ହୋଇଥିଲେ। କିନ୍ତୁ ବର୍ତ୍ତମାନର ବିଜେଡି ନେତା ନୃସିଂହ ସାହୁ କଂଗ୍ରେସ ଟିକେଟ୍‌ରେ ସେତେବେଳେ ପାଳଲହଡ଼ା ଆସନରୁ ବିଜୟୀ ହୋଇଥିଲେ। ୨୦୦୯ରେ ମେଣ୍ଟ ଭାଙ୍ଗିବା ପରେ ଏଠାରେ ବିଜେଡି ରବି ନାରାୟଣ ପାଣିଙ୍କୁ ଟିକେଟ୍‌ ଦେଇଥିଲା ବେଳେ ବିଜେପି ଧର୍ମେନ୍ଦ୍ରଙ୍କ ଉପରେ ଭରସା କରିଥିଲା। ଏଥିରେ ରବି ନାରାୟଣ ପାଣି ୪୦,୯୮୦ ଖଣ୍ଡ ଓ ଧର୍ମେନ୍ଦ୍ର ପ୍ରଧାନ ୩୫, ୫୧୩ ଖଣ୍ଡ ଭୋଟ୍‌ ପାଇଥିଲେ। କଂଗ୍ରେସର ବିଭୁଧେନ୍ଦ୍ର ପ୍ରତାପ ଦାସ ୨୧,୨୫୮ ଖଣ୍ଡ ଭୋଟ୍‌ ପାଇଥିଲେ। ଏହି ନିର୍ବାଚନରେ ହାରିବା ପରେ ଦିଲ୍ଲୀ ମୁହାଁ ହୋଇଥିଲେ ଧର୍ମେନ୍ଦ୍ର।

ବିଜେପି ଗଡ଼ରେ ଜିତିବା ପରେ ଉତ୍ସାହିତ ଥିବା ବିଜେଡି ୨୦୧୪ରେ କିନ୍ତୁ ରଣନୀତି ବଦଳାଇଥିଲା। ରବି ପାଣିଙ୍କ ବଦଳରେ ପୂର୍ବତନ ବିଜେପି ନେତା ମହେଶ ସାହୁଙ୍କୁ ଟିକେଟ୍‌ ଦେଇ ମଇଦାନକୁ ଓହ୍ଲାଇଥିଲା। ବିଜେପି ମଧ୍ୟ ନୂଆ ଚେହେରା ସହ ନିର୍ବାଚନ ଜିତିବାକୁ କସରତ କରିଥିଲା। ହେଲେ ମହେଶ ସାହୁ ୪୪,୨୬୪ ଖଣ୍ଡ ଭୋଟ୍‌ ପାଇ ବିଜୟୀ ହୋଇଥିଲେ। ବିଜେପିର ଅଶୋକ ମହାନ୍ତି ୩୮,୯୭୦ ଖଣ୍ଡ ଓ କଂଗ୍ରେସର ସୁବୋଧ ପାଣି ୧୮,୪୮୭ ଖଣ୍ଡ ଭୋଟ୍‌ ପାଇଥିଲେ। ୨୦୧୯ ନିର୍ବାଚନରେ ବିଜେପି ହାୱାକୁ ପ୍ରତିରୋଧ କରିବା ପାଇଁ ବିଜେଡି ଆଉ ଏକ ନୂଆ ଚାଲ ଖେଳିଥିଲା। ଧର୍ମେନ୍ଦ୍ରଙ୍କ ପାଖ ଲୋକ କୁହାଯାଉଥିବା ତତ୍କାଳୀନ ପଞ୍ଚାୟତ ସମିତି ଅଧ୍ୟକ୍ଷ ମୁକେଶ ପାଳଙ୍କୁ ବିଜେଡି ନିଜ ଦଳରେ ମିଶାଇ ବିଧାୟକ ପ୍ରାର୍ଥୀ କରିଥିଲା। କିନ୍ତୁ ବିଜେପି ପୁଣି ଅଶୋକ ମହାନ୍ତିଙ୍କ ଉପରେ ଭରସା କରିଥିଲା। ନିର୍ବାଚନରେ ମୁକେଶ ୫୯,୩୫୦ ଖଣ୍ଡ ଭୋଟ୍‌ ପାଇଥିଲା ବେଳେ ଅଶୋକ ୫୩,୧୩୬ ଓ କଂଗ୍ରେସର ସୁବ୍ରତ ଗଡ଼ନାୟକ ୧୨,୨୬୬ ଖଣ୍ଡ ଭୋଟ୍‌ ପାଇଥିଲେ। ମୁକେଶ ଏଠାରୁ ଜିତି ଦଳ ପାଇଁ ହାଟ୍ରିକ୍‌ କରିଥିଲେ ମଧ୍ୟ ଆରମ୍ଭରୁ ଦଳର ଆଭ୍ୟନ୍ତରୀଣ ବିବାଦରେ ଛନ୍ଦି ହୋଇ ପଡ଼ିଛନ୍ତି। ସାଂସଦ ମହେଶ ସାହୁଙ୍କ ସହ ତାଙ୍କର ବିବାଦ ଦାଣ୍ଡରେ ପଡ଼ି ହାଟରେ ଗଡ଼ୁଥିଲାବେଳେ ଦଳର ଅନ୍ୟତମ ନେତା ତଥା ରାଜ୍ୟ ଖାଦ୍ୟ ଆୟୋଗର ଅଧ୍ୟକ୍ଷ ଅବନୀକାନ୍ତ ସାହୁ ସମାନ୍ତରାଳ ସଂଗଠନ କରି ମୁକେଶଙ୍କୁ ଅଡ଼ୁଆରେ ପକାଇବାକୁ ଚେଷ୍ଟା କରୁଛନ୍ତି। ତେଣୁ ଦଳର ଚିତ୍ର ଗୋଳିଆ ହୋଇ ରହିଛି। ସେପଟେ ମୁକେଶଙ୍କୁ ଦଳ ପୁଣି ଭରସା କରିବ ବୋଲି ତାଙ୍କ ସମର୍ଥକ ଦାବି କରୁଛନ୍ତି। ଟିକେଟ୍‌ ଚର୍ଚ୍ଚାରେ ସାଂସଦ ମହେଶ ସାହୁ, ଅବନୀକାନ୍ତ ସାହୁ ଓ ଡାକ୍ତର ପ୍ରତାପ ପାଣିଙ୍କ ନାମ ରହିଛି। ବିଜେପିରୁ କେବଳ ଅଶୋକ ମହାନ୍ତିଙ୍କ ନାମ ଚର୍ଚ୍ଚାରେ ରହିଥିଲେ ମଧ୍ୟ ଦଳ ବାହାରୁ କାହାକୁ ଟିକେଟ୍‌ ମିଳିବାର ସମ୍ଭାବନାକୁ ଏଡ଼ାଇ ହେବନି। ଏହି ଦୁଇ ଦଳ ତୁଳନାରେ କଂଗ୍ରେସରେ ଆଶାୟୀ କମ୍‌ ଥିଲାବେଳେ ସୁଶାନ୍ତ ଶଶିକାନ୍ତ ସାମଲ, ଚିତ୍ତରଂଜନ ପ୍ରଧାନ, ଫକୀର ସାମଲ, ସୁବ୍ରତ ଗଡ଼ନାୟକଙ୍କ ନାମକୁ ନେଇ ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର