ସୈନିକ ସ୍କୁଲରେ ନିର୍ଯାତନା ମାମଲା: ୬ ଜଣଙ୍କ ବିରୋଧରେ ମାମଲା ରୁଜୁ

ବୁର୍ଲା : ଗୋଶାଳା ସୈନିକ ସ୍କୁଲରେ ଜଣେ ଛାତ୍ରଙ୍କୁ ନିର୍ଯାତନା ମାମଲାରେ ଆଜି ୬ ଜଣଙ୍କ ବିରୋଧରେ ଥାନାରେ ମାମଲା ରୁଜୁ କରାଯାଇଛି।

ପୀଡ଼ିତ ଛାତ୍ରଙ୍କ ଅଭିଭାବକ ବୁର୍ଲା ଥାନାରେ ଲିଖିତ ଅଭିଯୋଗ କଲା ପରେ ପୁଲିସ୍‌ର ତଦନ୍ତ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ବୁଧବାର ଦିନ ଥାନାରେ ସଂପୃକ୍ତ ଛାତ୍ରର ୧୬୧ ଧାରାରେ ବୟାନ ରେକର୍ଡ କରାଯାଇଥିବା ପରେ ସିଡବ୍ଲୁସି ସମ୍ମୁଖରେ ଉପସ୍ଥାପନ କରାଯାଇଥିଲା। ତେବେ, ଆଜି ପୀଡ଼ିତ ଛାତ୍ରର ୧୬୪ ଧାରାରେ ବୟାନ ରେକର୍ଡ କରାଯାଇଥିଲା। ଛାତ୍ରର ବୟାନ ରେକର୍ଡ ପରେ ବିଦ୍ୟାଳୟର ୬ ଜଣଙ୍କ ବିରୋଧରେ ରୁଜୁ କରାଯାଇଥିବା ଥାନା ସୂତ୍ରରୁ ସୂଚନା ମିଳିଛି। ତେବେ ଏହି ୬ ଜଣଙ୍କ ମଧ୍ୟରେ ଜଣେ ବରିଷ୍ଠ ପିଇଟି, ଜଣେ କନିଷ୍ଠ ପିଇଟି, ଆଡମ୍ ଅଫିସର୍, ଦୁଇ ଜଣ ମେଟ୍ରନ୍ ଏବଂ ଜଣେ ଶିକ୍ଷକ ରହିଛନ୍ତି। ପୁଲିସ୍ ଏହି ମାମଲାକୁ ଗୁରୁତର ସହିତ ନେଇ ବିଭିନ୍ନ ଦିଗରୁ ତର୍ଜମା କରୁଛି। ଆସନ୍ତାକାଲି ବୁର୍ଲା ପୁଲିସ୍‌ର ଗୋଟିଏ ଟିମ୍ ସୈନିକ ସ୍କୁଲକୁ ଯାଇ ସ୍କୁଲର ଗାଇଡଲାଇନ ବିଷୟରେ ଅଧ୍ୟକ୍ଷଙ୍କ ସହିତ ଆଲୋଚନା କରିବେ। ତତ୍ ପରେ ସଂପୃକ୍ତ ଛାତ୍ରକୁ ପ୍ରକୃତରେ ନିର୍ଯାତନା ଦିଆଯାଇଛି ନାହିଁ, ତାହା ଜଣାପଡ଼ିବ।

ସୂଚନା ଥାଉ କି ଗୋଶାଳା ସୈନିକ ସ୍କୁଲରେ ଜଣେ ଛାତ୍ରଙ୍କୁ ନିର୍ଯାତନା ଦିଆଯାଇଥିବା ଅଭିଯୋଗ ଭୁବନେଶ୍ଵର ନିବାସୀ ଅଭିଭାବକଙ୍କ ଲିଖିତ ଅଭିଯୋଗ ପରେ ବୁର୍ଲା ଥାନାରେ ୩୪ , ୨୯୪ , ୩୪ ଆଇପିସି ଏବଂ ଜୁଭେନାଇଲ ଜଷ୍ଟିସ ଆକ୍ଟରେ ଧାରା ୭୫ ଅନୁଯାୟୀ ମଙ୍ଗଳବାର ଦିନ ମାମଲା ରୁଜୁ କରାଯାଇଛି। ତେବେ ସୈନିକ ସ୍କୁଲରେ ଛାତ୍ର ନିର୍ଯାତନା ନୂଆ ଘଟଣା ନୁହେଁ। ତେବେ, ପୀଡ଼ିତ ଛାତ୍ରକୁ ଉଚିତ୍ ନ୍ୟାୟ ମିଳୁଛି କି ପୂର୍ବ ଘଟଣା ପରି ପୁଣି ସ୍କୁଲ କର୍ତ୍ତୃପକ୍ଷ ଏହାକୁ ବି ଚପାଇ ଦେବାରେ ସଫଳ ହେଉଛନ୍ତି, ତାହା ଦେଖିବା ବାକି ରହିଲା।

ସମ୍ବନ୍ଧିତ ଖବର