୨୦ କୁଇଣ୍ଟାଲ କାଜୁ ନେଇ ବେପାରୀ ଚମ୍ପଟ

ତେଲକୋଇ: କେନ୍ଦୁଝର ଜିଲ୍ଲା ତେଲକୋଇ ଥାନା ଖୁଣ୍ଟାପଡ଼ା ପଞ୍ଚାୟତ ଅନ୍ତର୍ଗତ କୁଲାଡେରା ଗ୍ରାମରୁ ୨୦ କୁଇଣ୍ଟାଲ କାଜୁ ନେଇ ବେପାରୀ ଚମ୍ପଟ ମାରିଛି। ଯାହାର ମୂଲ୍ୟ ୨ଲକ୍ଷ ୨୦ ହଜାର ଟଙ୍କା ହେବ। ଏନେଇ ୬ଜଣ କାଜୁଚାଷୀ ତେଲକୋଇ ଥାନାରେ ଅଭିଯୋଗ କରିଛନ୍ତି।

ପ୍ରାପ୍ତ ସୂଚନା ଅନୁଯାୟୀ, ଢେଙ୍କାନାଳ ଅଞ୍ଚଳର ରାଜୁ ନାମକ ଜଣେ କାଜୁ ବେପାରୀ ଦୁଇବର୍ଷ ହେଲା କୁଲାଡେରା ଗ୍ରାମର ଚାଷୀଙ୍କଠାରୁ କାଜୁ କିଣି ନେଉଥିଲେ। ଗତକାଲି ଗ୍ରାମର ବାବୁଲି ମୁଣ୍ଡା ଅଢ଼େଇ କୁଇଣ୍ଟାଲ, ଜଟିଆ ମୁଣ୍ଡା ଦୁଇ କୁଇଣ୍ଟାଲ, ପାସିଂ ମୁଣ୍ଡା ଦେଢ଼ କୁଇଣ୍ଟାଲ, କୁଆଁର ସିଂ ମୁଣ୍ଡା ୨ କୁଇଣ୍ଟାଲ ୨୫ କେଜି, ଜିତେନ୍ଦ୍ର ମୁଣ୍ଡା ୧ କୁଇଣ୍ଟାଲ ୨୦ କେଜି, ଦୁର୍ଗା ଚରଣ ଜାମୁଦା ୧୦ କୁଇଣ୍ଟାଲ ୫୫ କେଜି ରାଜୁଙ୍କୁ ବିକ୍ରି କରିଥିଲେ। ଚାଷୀମାନେ ଏକ ପିକ୍‌ଅପ୍‌ ଭ୍ୟାନ୍‌ (ଓଡି-୦୨-ସିଜି-୪୭୧୦)ରେ କାଜୁବସ୍ତା ଗୁଡ଼ିକୁ ବୋଝେଇ କରି ଗାଡ଼ିକୁ ଛାଡ଼ି ଦେଇଥିଲେ।

ଟଙ୍କା ଦେବା ପାଇଁ ରାଜୁ ଜଣେ ଚାଷୀଙ୍କୁ ସ୍କୁଟିରେ ବସାଇ ଖୁଣ୍ଟାପଡ଼ା ମନ୍ଦିର ଛକକୁ ନେଇଥିଲେ। ଟଙ୍କା ନଦେଇ ତାଙ୍କୁ ଅଧାରାସ୍ତାରେ ଓହ୍ଲାଇ ସ୍କୁଟି ନେଇ ଚମ୍ପଟ ମାରିଥିଲେ। ସେ ଦେଇଥିବା ମୋବାଇଲ ନମ୍ବର (୯୯୩୭୨୨୫୧୭୫) ସ୍ବିଚ୍‌ ଅଫ୍‌ ରହିଛି। ‌ଏନେଇ ଥାନାରେ ଅଭିଯୋଗ ହେବା ପରେ ପୁଲିସ କାଜୁ ଚାଷୀମାନଙ୍କୁ ଡାକି ପଚରାଉଚରା କରୁଛି।

ସମ୍ବନ୍ଧିତ ଖବର