ଖୋଲା ଝରକା – ବିଚିତ୍ର ଗାଁ

ଆଫ୍ରିକାର ପ୍ରତିଟି ଦେଶରେ ଭିନ୍ନ ଭିନ୍ନ ପରମ୍ପରା, ସଂସ୍କୃତି ଓ ନିୟମ ରହିଛି, ଯାହା ଅନ୍ୟ ଦେଶଠାରୁ ସ୍ବତନ୍ତ୍ର ଏବଂ ଅନନ୍ୟ। ରିପୋର୍ଟ ଅନୁଯାୟୀ ଆଫ୍ରିକାର ଘାନା ସୀମାରେ ବୁର୍କିନା ଫାସୋରେ ଟିବେଲେ ନାମକ ଏକ ଗାଁ ଅଛି, ଯାହା ଏକ କଳା ସଂଗ୍ରହାଳୟଠାରୁ କିଛି କମ୍‌ ନୁହେଁ। ତିନି ଏକରରେ ବ୍ୟାପ୍ତ ଏହି ଗ୍ରାମଟି ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ, କାରଣ ଗାଁର ଘରଗୁଡ଼ିକୁ ସୁନ୍ଦର ଚିତ୍ରକଳାରେ ଚିତ୍ରିତ କରାଯାଇଛି। ପୈତୃକ ପ୍ରତୀକ ଓ ପଶୁ ଚିତ୍ରଗୁଡ଼ିକ କାନ୍ଥରେ ଅତି ସୁନ୍ଦର ଭାବେ ତିଆରି ହୋଇଛି। ପ୍ରତ୍ୟେକ ଚିତ୍ରରେ ପୁରୁଣା ରହସ୍ୟ ଲୁଚି ରହିଥିବା ପରି ମନେ ହୁଏ। ଏହା ବାସ୍ତବରେ ଆଫ୍ରିକୀୟମାନଙ୍କର ପରମ୍ପରା ଓ ସଂସ୍କୃତିର ଜୀବନ୍ତ ପ୍ରମାଣ। ଏହାକୁ ଗାଁର ସ୍ତ୍ରୀଲୋକମାନେ ହିଁ ଆଙ୍କିଥାନ୍ତି। ପ୍ରତ୍ୟେକ ଘରେ ବିଭିନ୍ନ ଡିଜାଇନ୍‌ର ଚିତ୍ର ଅଙ୍କନ କରାଯାଏ। ଏହି ଚିତ୍ରଗୁଡ଼ିକରେ ମୁଖ୍ୟତଃ ଜ୍ୟାମିତିକ ଡିଜାଇନ୍‌ ରହିଛି ଯାହା ଧାର୍ମିକ ପ୍ରଥା ଓ ଲୋକଙ୍କ ଦୈନନ୍ଦିନ ଜୀବନକୁ ଚିତ୍ରଣ କରିଥାଏ। ଗାଁରେ ମାଟି, କାଦୁଅ ଓ ନଡ଼ା ଘର ଦେଖାଯାଏ। ଏଗୁଡ଼ିକ ଭିତରେ ଏକ ସରଳ ଡିଜାଇନ୍‌ ଅଛି ଯାହା ସୂର୍ଯ୍ୟ କିରଣଠାରୁ ସୁରକ୍ଷା ଯୋଗାଇଥାଏ।

ଏକାକ୍ଷର ଶବ୍ଦ ‘ନି’

ଓଡ଼ିଆ ବର୍ଣ୍ଣମାଳାରେ କେତେକେତେ ଅକ୍ଷର ଅଛି ଯାହା ଆପେ ଗୋଟିଏ ଶବ୍ଦ। ଯେମିତି କି ‘ନି’। ‘ନି’ ଅକ୍ଷର ବିଶେଷ୍ୟ ଭାବରେ ଗଣେଶ, ଦାନ ଓ ଯୁଦ୍ଧକୁ ମଧ୍ୟ ବୁଝାଏ। ହେଲେ ସେଇ ଅକ୍ଷରରେ ମାତ୍ରା ଯୋଗ ହୋଇ ନା, ନାଁ, ନି, ନୃ, ନୌ ହୋଇଗଲେ ତାହା ଆହୁରି ଅନେକ ଶବ୍ଦକୁ ରୂପାନ୍ତରିତ ହୋଇଯାଏ। ଓଡ଼ିଆ ଶବ୍ଦଭଣ୍ଡାର ସେଥିପାଇଁ ଏତେ ବ୍ୟାପକ ଓ ଗଭୀର। ‘ନି’ ଅକ୍ଷର, ଶବ୍ଦ ଭାବରେ ଏକ ଉପସର୍ଗ ରୂପେ ବ୍ୟବହୃତ ହୋଇଥାଏ। ଯେମିତି ନି‌େଷଦ, ଅଭାବ, ସାମୀପ୍ୟ, ନିଶ୍ଚୟ, ଉତ୍କର୍ଷ ଓ ନିମ୍ନତା ଭଳି ଶବ୍ଦ। ପୁଣି ଆମର ସଙ୍ଗୀତ ଶାସ୍ତ୍ରରେ ଯେ ‘ସାରେଗାମାପାଧାନି’ ଅଛି, ସେହି ସ୍ବର ପୁଞ୍ଜ ଭିତରେ ‘ନି’ ଶେଷ ବା ସପ୍ତମ ସ୍ବରକୁ ବୁଝାଇଥାଏ। ‘ନି’ କହିଲେ ଏହା ‘ନିଷାଦ’ ବା ହସ୍ତୀର ସ୍ବରକୁ ବୁଝାଇଥାଏ। ଅତଏବ ‘ନି’ ଅକ୍ଷରର ବ୍ୟାପକତା ଶବ୍ଦ ହୋଇ ଓଡ଼ିଆ ଅଭିଧାନରେ ନାନା ଅର୍ଥ ବହନ କରେ।

କଥା-ଫରୁଆ – କଙ୍କଡ଼ାକୁ ଗୋଳିପାଣି

ଓଡ଼ିଆରେ ଗୋଟେ କଥା ଅଛି ଯେ କଙ୍କଡ଼ାକୁ ଗୋଳିପାଣି ସୁହାଏ। କଙ୍କଡ଼ା ନରମ ମାଟିରେ ପୁଣି କେତେବେଳେ ବାଲିରେ ଗାତ ଖୋଳି ରହେ। ପାଣିରେ ବି ପଙ୍କ ଭିତରେ କଙ୍କଡ଼ା ରହିବାକୁ ଭଲପାଏ। ‌େତବେ ତା’ର ମଧ୍ୟ ଜୀବନକୁ ଭୟ ଅଛି। ଖାଦ୍ୟ ଖୋଜିବାର ଆବଶ୍ୟକତା ଅଛି। ସେଥିରେ ତା’କୁ ସ୍ବଚ୍ଛଜଳ ଅପେକ୍ଷା ଗୋଳିପାଣି ଅଧିକ ସାହାଯ୍ୟ କରେ। ସ୍ବଚ୍ଛପାଣିରେ ସେ ସହଜରେ ଧରା ପଡ଼ିଯିବ ତେଣୁ ତାହା ତା’କୁ ସୁହାଇବ ନାହିଁ। ଖାସ୍‌ ସେଇଥିପାଇଁ କଙ୍କଡ଼ା ଗୋଳିପାଣିକୁ ପସନ୍ଦ କରେ। ଗାଆଁ ଗହଳରେ କହନ୍ତି, କଙ୍କଡ଼ାକୁ ଗୋଳିପାଣି ସୁହାଏ। ହେଲେ ତା’ର ମଣିଷ ସମାଜ ପାଇଁ ଗୋଟେ ବାର୍ତ୍ତା ଅଛି। ଯେଉଁ ବ୍ୟକ୍ତି କିଛି ଭୁଲକାମ କରିଥାନ୍ତି ସେ ତାହାକୁ ଛପେଇବା ପାଇଁ ମଧ୍ୟ ଗୋଟେ ଗୋଳମାଳିଅା ପରିସ୍ଥିତି ସୃଷ୍ଟିକରି ଖସିଯିବାକୁ ଚାହାନ୍ତି। ତେଣୁ ଘଟଣା ଜଟିଳ ହେଲେ ତା’ଙ୍କୁ ଭଲ। ଅତଏବ ସେ ଭଳି ପରିସ୍ଥିତିରେ କୁହାଯାଏ, ‘କଙ୍କଡ଼ାକୁ ‌େଗାଳିପାଣି’।

ସମ୍ବନ୍ଧିତ ଖବର