ଆଜି ୫ ଜିଲ୍ଲାରେ କାଳବୈଶାଖୀ: ବଲାଙ୍ଗୀର ଓ ବୌଦ୍ଧ ସବୁଠୁ ଉତ୍ତପ୍ତ

ଭୁବନେଶ୍ବର: ଆସନ୍ତାକାଲି ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ପ୍ରଭୃତି ୫ ଜିଲ୍ଲାରେ କାଳବୈଶାଖୀ ବର୍ଷାର ସମ୍ଭାବନା ରହିଛି। ଏହି ଜିଲ୍ଲାଗୁଡ଼ିକ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର। କେନ୍ଦ୍ର ପକ୍ଷରୁ କୁହାଯାଇଛି, ଶୁକ୍ରବାର ଫୁଲବାଣୀଠାରେ କୁଆପଥର ବର୍ଷା ହୋଇଯାଇଛି। ୧ ସେଣ୍ଟିମିଟର ଡାଇସେନ୍‌ସନ୍‌ର ଏହି ବର୍ଷା ୧୫ମିନିଟ୍‌ ଧରି ହୋଇଥିବା ଜଣାପଡ଼ିଛି। ଏଥିସହ ମୟୂରଭଞ୍ଜ, କେନ୍ଦୁଝର, ଝାରସୁଗୁଡ଼ା, ବରଗଡ଼, ନବରଙ୍ଗପୁର, କନ୍ଧମାଳ ଓ କୋରାପୁଟ ଆଦି ଜିଲ୍ଲାରେ ହାଲୁକା ବର୍ଷା ହୋଇଯାଇଛି।

ଆସନ୍ତା ୫ ଦିନ ପର୍ଯ୍ୟନ୍ତ ରାଜ୍ୟରେ ଭୀଷଣ ଗ୍ରୀଷ୍ମପ୍ରବାହ ଜାରି ରହିବ। ୯ ସହରର ତାପମାତ୍ରା ୪୦ ଡିଗ୍ରି ଉପରେ ରହିଥିବା ବେଳେ ବଲାଙ୍ଗୀର ଓ ବୌଦ୍ଧଠାରେ ସର୍ବାଧିକ ୪୧.୫ଡିଗ୍ରି ରେକର୍ଡ ହୋଇଛି। ସେହିଭଳି ଝାରସୁଗୁଡ଼ାଠାରେ ୪୧.୪ ଡିଗ୍ରି, ବାରିପଦା ଓ ଟିଟିଲାଗଡ଼ରେ ୪୧ ଡିଗ୍ରି, ସୋନପୁରଠାରେ ୪୦.୮ ଡିଗ୍ରି, ଅନୁଗୁଳରେ ୪୦.୭ ଡିଗ୍ରି, ତାଳଚେରଠାରେ ୪୦.୪ ଡିଗ୍ରି ଓ ସମ୍ବଲପୁରଠାରେ ୪୦.୨ ଡିଗ୍ରି ରେକର୍ଡ ହୋଇଛି। ଏଥିସହ ସୁନ୍ଦରଗଡ଼, ହୀରାକୁଦ, ଭବାନୀପାଟଣା ଓ ମାଲକାନଗିରି ତାପମାତ୍ରା ମଧ୍ୟ ୪୦ ଡିଗ୍ରି ପାଖାପାଖି ରହିଛି। ଫଳରେ ଅଧା ଓଡ଼ିଶା ପ୍ରଚଣ୍ଡ ରୌଦ୍ରତାପ ସହୁଛି। ଆସନ୍ତା ୫ ଦିନ ପର୍ଯ୍ୟନ୍ତ ମଧ୍ୟ ଏହି ତାତି ଜାରି ରହିବ। ଆଭ୍ୟନ୍ତରୀଣ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନର ତାପମାତ୍ରା ୨ରୁ ୩ ଡିଗ୍ରି ପର୍ଯ୍ୟନ୍ତ ଅଧିକ ରହିବ ବୋଲି କେନ୍ଦ୍ର ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର