୨୦୦ ୟୁନିଟ୍ ମାଗଣା ବିଜୁଳି ଦାବି: ଆମ୍ ଆଦମୀ ପାର୍ଟି ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ ଚେତାବନୀ

ଭୁବନେଶ୍ବର: ଓଡ଼ିଶାବାସୀଙ୍କୁ ୨୦୦ ୟୁନିଟ୍ ମାଗଣା ବିଜୁଳି ପ୍ରଦାନ ଦାବିରେ ଆମ୍ ଆଦମୀ ପାର୍ଟି (ଆପ୍) ଓଡ଼ିଶା ଶାଖା ପକ୍ଷରୁ ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯିବ। ଏନେଇ ପାର୍ଟି ପକ୍ଷରୁ ଇନଷ୍ଟିଚ୍ୟୁଟ୍ ଅଫ୍ ଇଞ୍ଜିନିୟର୍ସ ଠାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିସହିତ ଆପ୍ ଓଡ଼ିଶା ପକ୍ଷରୁ ଏକ ଦସ୍ତଖତ ଅଭିଯାନ ଆରମ୍ଭ ହୋଇଛି। ଏହି ଦସ୍ତଖତ ସମ୍ବଳିତ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରାଯିବ ବୋଲି ପାର୍ଟି ପକ୍ଷରୁ କୁହାଯାଇଛି।

କାର୍ଯ୍ୟକ୍ରମରେ ଓଡ଼ିଶା ରାଜ୍ୟ ଆବାହକ ନିଶିକାନ୍ତ ମହାପାତ୍ର ଯୋଗ ଦେଇ କହିଛନ୍ତି, ଦିଲ୍ଲୀ ବିଦ୍ୟୁତ୍ ଉତ୍ପାଦନକାରୀ ରାଜ୍ୟ ନହୋଇ ବି ସେଠାକାର ରାଜ୍ୟ ସରକାର ରାଜ୍ୟବାସୀଙ୍କୁ ମାଗଣାରେ ୨୦୦ୟୁନିଟ୍ ବିଜୁଳି ପ୍ରଦାନ କରୁଛନ୍ତି। ସେହିପରି ଆପ୍ ଶାସିତ ପଞ୍ଜାବ ସରକାର ମଧ୍ୟ ୩୦୦ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ କରୁଛନ୍ତି। ଓଡ଼ିଶା ବିଦ୍ୟୁତ୍ ଉତ୍ପାଦନକାରୀ ରାଜ୍ୟ ଏବଂ ବିଦ୍ୟୁତ୍ ବଳକା ରାଜ୍ୟ ମଧ୍ୟ, ତେଣୁ ରାଜ୍ୟ ସରକାର ପ୍ରତ୍ୟେକ ପରିବାରକୁ ୨୦୦ ୟୁନିଟ୍ ପର୍ଯ୍ୟନ୍ତ ବିଜୁଳି ପ୍ରଦାନ କରନ୍ତୁ ବୋଲି ଶ୍ରୀ ମହାପାତ୍ର କହିଛନ୍ତି। ଏନେଇ ପାର୍ଟି ପକ୍ଷରୁ ଆରମ୍ଭ ହୋଇଥିବା ଆନ୍ଦୋଳନକୁ ପ୍ରାୟ ୨୫ଲକ୍ଷ ଲୋକଙ୍କ ଘରେ ପହଞ୍ଚାଇବା ପାଇଁ ସେ ଆହ୍ବାନ ଦେଇଛନ୍ତି। କାର୍ଯ୍ୟକ୍ରମରେ ରାଜ୍ୟ ସାଧାରଣ ସଂପାଦକ ସୌମ୍ୟରଞ୍ଜନ ସ୍ବାଇଁ, ମୁଖପାତ୍ର ରଙ୍ଗାଚରଣ ପ୍ରଧାନ ପାର୍ଟି ସଂଗଠନ ଉପରେ ଆଲୋଚନା କରିଥିଲେ। ଏଥିରେ ରାଜ୍ୟର ବିଭିନ୍ନ ପ୍ରାନ୍ତରୁ ୧ହଜାରୁ ଊର୍ଦ୍ଧ୍ବ କର୍ମକର୍ତ୍ତା ଯୋଗ ଦେଇଥିଲେ। ଏଥିସହ ଏହି ସଭାରେ ଏକ ମିଶ୍ରଣ ପର୍ବ ମଧ୍ୟ ଅନୁଷ୍ଠିତ ହୋଇଥିଲା। ଯେଉଁଥିରେ ବିଭିନ୍ନ ରାଜନୈତିକ ଦଳର ଶତାଧିକ ନେତୃବୃନ୍ଦ ଓ ସାମାଜିକ କର୍ମୀ ଯୋଗ ଦେଇଥିଲେ।

ସମ୍ବନ୍ଧିତ ଖବର