ମେ’ ୮ରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଦୁଇଦିନିଆ ଓଡ଼ିଶା ଗସ୍ତ, ଜନ୍ମମାଟି ରାଇରଂଗପୁରକୁ ଆସିବେ ମହାମହିମ

ବାରିପଦା/ରାଇରଂଗପୁର: ‌ଆସନ୍ତା ମେ’ ମାସ ୮ ତାରିଖ ଠାରୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଓଡ଼ିଶା ମାଟିର ଝିଅ ଦ୍ରୌପଦୀ ମୁର୍ମୁ ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର ପାଇଁ ଜନ୍ମମାଟି ରାଇରଙ୍ଗପୁରକୁ ଆସୁଛନ୍ତି। ମେ’ ୮ ତାରିଖରେ ଦ୍ରୌପଦୀ ମୁର୍ମୁ ଆସୁଥିବା ଖବର ଜାଣିବା ପରେ ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରବାସୀଙ୍କ ମନରେ ଖୁସିର ଲହରି ଖେଳିଯାଇଛି। ଏହି ଖବର ପାଇବା ପରେ ତାଙ୍କୁ ସ୍ବାଗତ କରିବା ପାଇଁ ବ୍ୟାପକ ପ୍ରସ୍ତୁତି କରାଯିବ ବୋଲି ସୂଚନା ମିଳିଛି।

ସୂଚନା ଅନୁସାରେ, ରାଷ୍ଟ୍ରପତି ମେ’  ୮ ତାରିଖ ତାଙ୍କ ଶ୍ବଶୁର ଘର ଗ୍ରାମ ପାହାଡ଼ପୁରସ୍ଥିତ ବାସଭବନ ଯିବେ। ସେଠାରେ ତାଙ୍କ ସ୍ୱାମୀ ଓ ପୁତ୍ରଙ୍କ ସ୍ମୃତିରେ ନିର୍ମାଣ ହୋଇଥିବା ଏସଏଲଏସ ଆବାସିକ ବିଦ୍ୟାଳୟରେ ଆୟୋଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେବେ। ଏହା ପରେ ରାଇରଙ୍ଗପୁର ମହୁଲଡିହାସ୍ଥିତ ପୂର୍ତ୍ତ ବିଭାଗର ଡାକ ବଙ୍ଗଳାରେ ରାତ୍ରଭୋଜନର ସହିତ ରହଣି କାର୍ଯ୍ୟକ୍ରମ ରହିଛି।

ରାଷ୍ଟ୍ରପତି ମେ’ ୯ ତାରିଖରେ ବାରିପଦାସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ଵବିଦ୍ୟାଳୟର ସମବର୍ତ୍ତନ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବେ ବୋଲି ବିଶେଷ ସୂତ୍ରରୁ ଜଣାପଡିଛି। ତେବେ ସେ ଗତ ୨୫ ଜୁଲାଇରେ ରାଷ୍ଟ୍ରପତି ଭାବେ ଶପଥ ପାଠ କରିବା ପରେ ପ୍ରଥମ ଥର ପାଇଁ ରାଇରଙ୍ଗପୁର ଆସିବା ଖବର ପ୍ରଚାର ହେବା ପରେ ଅଞ୍ଚଳରେ ଖୁସିର ଲହରୀ ଖେଳିଯାଇଛି।

ସମ୍ବନ୍ଧିତ ଖବର