ଲାଂଚ ମାମଲାରେ ଆକାଉଣ୍ଟାଣ୍ଟଙ୍କୁ ୨ବର୍ଷ ସଶ୍ରମ କାରାଦଣ୍ଡ

ଜୟପୁର: ଜଣେ ଅବସରପ୍ରାପ୍ତ ଶିକ୍ଷକଙ୍କ ପେନସେନ୍, ଗ୍ରାଚ୍ୟୁଇଟି କରିବା ପାଇଁ ଲାଂଚ ନେବା ମାମଲାର ବିଚାର  କରିଛନ୍ତି ଜୟପୁର ସ୍ବତନ୍ତ୍ର ଭିଜିଲାନସ୍ ଜଜ୍ ରାଜେଶ ଏକ୍କା। ଅଭିଯୁକ୍ତ ଥିବା ତତ୍କାଳୀନ ଆକାଉଣ୍ଟାଣ୍ଟଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ନିମନ୍ତେ ରାୟରେ ଉଲ୍ଲେଖ କରିଛନ୍ତି। ଏହି ମାମଲାର ଅନ୍ୟ ଜଣେ ଅଭିଯୁକ୍ତ ବରିଷ୍ଠ କିରାଣୀଙ୍କୁ ନିର୍ଦୋଶରେ ଖଲାସ କରିଛନ୍ତି।

ସୂଚନା ଅନୁଯାୟୀ, ଗତ ୨୦୧୪ ମସିହାରେ ଗଣେଶ୍ବର ମିଶ୍ର ନାମକ ଜୈନେକ ଶିକ୍ଷକ ଅବସର ନେଇଥିଲେ। ଏହା ପରେ ସେ ପାଇବାକୁ ଥିବା ପେନସେନ୍ ଓ ଗ୍ରାଚ୍ୟୁଟି ଟଙ୍କାର  କାଗଜପତ୍ର କରିଦେବା ପାଇଁ ଜିଲ୍ଲା ଟ୍ରେଜରୀ କାର୍ଯ୍ୟାଳୟରେ ଆକାଉଣ୍ଟାଣ୍ଟ ଥିବା ଦାଉଦ ଜେନା ଓ ବରିଷ୍ଠ କିରାଣୀ  ନୃସିଂହନାଥ ସାହୁ ୩ହଜାର ଟଙ୍କା ଲାଂଚ ମାଗିଥିଲେ। ଶ୍ରୀ ମିଶ୍ର ଏ ନେଇ ଜୟପୁର ଭିଜିଲାନସ୍ ଏସପିଙ୍କ ନିକଟରେ ଅଭିଯୋଗ କରିଥିଲେ। ଭିଜିଲାନସ୍ ପକ୍ଷରୁ ରଂଗବୋଲା ଟଙ୍କା ଶ୍ରୀ ମିଶ୍ରଙ୍କୁ ଦିଆଯାଇଥିଲା।  ଜାନୁଆରୀ ୯ତାରିଖ ଦିନ ଏହି ରଂଗ ବୋଲା ଟଙ୍କା ଆକାଉଣ୍ଟାଣ୍ଟ ଦାଉଦ ଜେନା ଓ ବରିଷ୍ଠ କିରାଣୀ  ନୃସିଂହନାଥ ସାହୁ ନେଉଥିଲେ। ପୂର୍ବରୁ ଛପି ରହିଥିବା ଭିଜିଲାନସ ବିଭାଗର ଅଧିକାରୀ ରଂଗବୋଲା ଟଙ୍କା ଏମାନଙ୍କ ନିକଟରୁ ଉଦ୍ଧାର କରିଥିଲେ। ଭିଜିଲାନସ୍ ଉଭୟଙ୍କ ନାଁରେ  ଦଫା ୭ପିସି ଆକ୍ଟ ୧୯୮୮ର ୧୩(୧)(ଡି) ଓ  ୧୩(୨)ଆର/ଡବ୍ଲୁ ଅଫ  ରିଡ୍ ୱିଥ୍ ପିସି ଆକ୍ଟରେ ଗିରଫ କରି  ୧୦ତାରିଖ ଦିନ ‌ତାଙ୍କୁ କୋର୍ଟକୁ ଚାଳାଣ କରାଯାଇଥିଲା। ଏହି ମାମଲାର ବିଚାର ଆଜି କରି ତତ୍କାଳୀନ ଆକାଉଣ୍ଟାଣ୍ଟ ଦାଉଦ ଜେନାଙ୍କୁ ଦୁଇ ବର୍ଷ ସଶ୍ରମ କାରା ଦଣ୍ଡ ସହ ୧୦ହଜାର ଟଙ୍କା ଜରିମାନା ପ୍ରଦାନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି। ଜରିମାନା ଅନାଦେୟ  ହେଲେ ଆଉ ୬ମାସ ସଶ୍ରମ କାରାଦଣ୍ଡ ରହିବାକୁ ରାୟ ପ୍ରକାଶ କରିଛନ୍ତି। ବରିଷ୍ଠ କିରାଣୀ ଶ୍ରୀ ସାହୁଙ୍କୁ କୋର୍ଟ ନିର୍ଦୋଶରେ ଖଲାସ କରିଛନ୍ତି।  ସରକାରଙ୍କ ପକ୍ଷରୁ ସ୍ବତନ୍ତ୍ର ପବ୍ଲିକ ପ୍ରସିକ୍ୟୁଟର ପ୍ରଦୀପ କୁମାର ଦୋରା ମାମଲା ପରିଚାଳନା କରୁଥିଲେ। ଦାଉଦ ଜେନାଙ୍କ ପାଇଁ ତାଙ୍କ ଓକିଲ ଜାମିନ ଆବେଦନ କରିବା ପରେ ତାଙ୍କୁ ଜାମିନ୍ ମିଳିଛି। ସେ ଏହି ମାମଲାକୁ ନେଇ ହାଇକୋର୍ଟରେ ଆପିଲ୍ କରିବେ ବୋଲି ସୂଚନା ମିଳିଛି।

 

 

 

 

 

 

ସମ୍ବନ୍ଧିତ ଖବର