ରାବଣ ଓ କଂସର ବି ଦିନେ ଦର୍ପ ଭାଙ୍ଗିଥିଲା: ଧର୍ମେନ୍ଦ୍ର

ଭଦ୍ରକ/ଧାମନଗର/ତିହିଡ଼ି : ଗଣତନ୍ତ୍ରରେ ଅହଙ୍କାର କସ୍ମିନ୍ କାଳେ ଗ୍ରହଣୀୟ ନୁହେଁ। ରାବଣ ଓ କଂସର ବି ଦିନେ ଦର୍ପ ଭାଙ୍ଗିଥିଲା। ଜନ ଆଶୀର୍ବାଦ ବଳରେ ଶାସକ ଦଳର ଅହଙ୍କାର ଭାଙ୍ଗିବ ଓ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ସ୍ଥିତପ୍ରଜ୍ଞଙ୍କ ଭଳି ଯୁବ ନେତୃତ୍ୱକୁ ଧାମନଗରର ଜନତା ମାଟିମାଆର ସେବା କରିବାକୁ ସୁଯୋଗ ଦେବେ ବୋଲି କହିଛନ୍ତି କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ।

ଶନିବାର ଦ୍ୱିତୀୟ ଦିନରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ପ୍ରଧାନ ଦଳୀୟ ପ୍ରାର୍ଥୀ ସୂର୍ଯ୍ୟବଂଶୀଙ୍କ ପାଇଁ ଧାମନଗର ନିର୍ବାଚନମଣ୍ଡଳୀର ବିଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି। ତିହିଡ଼ି ବ୍ଲକର ପାଳିଆବିନ୍ଧା, କୁମାରସାହି, ଅଲ୍ଲୀବଜାର, ଗୁଆମାଳ, ନୂଆନନ୍ଦ, ଦୋଳସାହି, କୁବେରା, ବିଲଣା, ବୋଡ଼କ ଆଦି ସ୍ଥାନରେ ଅନୁଷ୍ଠିତ ଜନସମାବେଶରେ ଯୋଗ ଦେଇ ଶ୍ରୀ ପ୍ରଧାନ କହିଥିଲେ, ରାଜ୍ୟରେ ମହିଳା ବିକାଶର ଡିଣ୍ଡିମ ପିଟାଯାଉଛି। ମାତ୍ର ବିଜେଡି ସରକାରର ଦୀର୍ଘ ୨୨ ବର୍ଷ ଶାସନରେ ମହିଳାମାନେ ସବୁଠୁ ଅଧିକ ନିର୍ଯାତିତ। ଅଧିକ ଦିନ କ୍ଷମତାରେ ରହିବା କାରଣରୁ ଶାସନତନ୍ତ୍ର ଅହଙ୍କାରୀ ହୋଇଯାଇଛି। ଏକଦା ଭାରତକୁ ଲମ୍ବା ସମୟ ପରାଧୀନ କରି ରଖିବାକୁ ଚାହୁଁଥିବା ବ୍ରିଟିସ ସରକାରର ଅହଙ୍କାରକୁ ମଧ୍ୟ ଭଦ୍ରକର ବୀର ସଂଗ୍ରାମୀମାନେ ଭାଙ୍ଗିଛନ୍ତି। ଧାମନଗରବାସୀ ସାଙ୍କେତିକ ନେତୃତ୍ୱକୁ ବିଶ୍ୱାସ କରନ୍ତିନାହିଁ। ଏ ଅଞ୍ଚଳ ହେଉଛି ସ୍ବାଭିମାନର ମାଟି, କେବେ ସାଲିସ୍ କରିବା ଶିଖିନାହାନ୍ତି। ଏହି ସ୍ବାଭିମାନୀ ଭୂମିରେ ଶାସକ ଦଳର ଅପପ୍ରଚାରକୁ ଧା‌ମନଗରବାସୀ କେବେ ମଧ୍ୟ ପ୍ରଶୟ ଦେବେ ନାହିଁ। ସେଥିପାଇଁ ମାଟିର ଲୋକପ୍ରିୟ ନେତା ସ୍ୱର୍ଗତ ବିଷ୍ଣୁ ସେଠୀଙ୍କ ପୁଅ ସୂର୍ଯ୍ୟବଂଶୀଙ୍କୁ ଧାମନଗର ମାଟିର ମାଆମାନେ ଓ ପ୍ରତ୍ୟେକ ସଚେତନ ନାଗରିକ ଆଶୀର୍ବାଦ ଦେଉଛନ୍ତି। ତେଣୁ ବିଜେପିର ବିଜୟ ସୁନିଶ୍ଚିତ ବୋଲି ଶ୍ରୀ ପ୍ରଧାନ ଦୃଢୋକ୍ତି ପ୍ରକାଶ କରିଥିଲେ।

ପ୍ରଚାର ବେଳେ ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୁରଜ, ପୂର୍ବତନ ମନ୍ତ୍ରୀ ମନମୋହନ ସାମଲ, ବ୍ରହ୍ମଗିରି ବିଧାୟକ ଲଳିତେନ୍ଦୁ ବିଦ୍ୟାଧର ମହାପାତ୍ରଙ୍କ ସମେତ ବହୁ ବିଜେପି ନେତା ଓ କର୍ମୀ ଯୋଗ ଦେଇଥିଲେ। ସେହିପରି କେନ୍ଦ୍ର ଆଦିବାସୀ ବ୍ୟାପାରମନ୍ତ୍ରୀ ବିଶେଶ୍ୱର ଟୁଡୁ, ବିଜେପିର ରାଷ୍ଟ୍ରୀୟ ପ୍ରବକ୍ତା ଡ.ସମ୍ବିତ ପାତ୍ର, ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା ବାଲେଶ୍ବର ସାଂସଦ ପ୍ରତାପଚନ୍ଦ୍ର ଷଡ଼ଙ୍ଗୀ ମଧ୍ୟ ଧାମନଗର ଓ ତିହିଡ଼ି ବ୍ଲକର ବିଭିନ୍ନ ପଞ୍ଚାୟତରେ ରୋଡ୍‌ ସୋ କରିବା ସହ ସୂର୍ଯ୍ୟବଂଶୀଙ୍କ ସପକ୍ଷରେ ଭୋଟ୍‌ ଦେବାକୁ ନିବେଦନ କରିଥିଲେ।

ସମ୍ବନ୍ଧିତ ଖବର