‌ପ୍ରେମିକ ବ୍ଲାକମେଲିଂ କରୁଥିଲେ ବୋଲି ୨ ମହଲା କୋଠାରୁ ଡେଇଁଲେ ବିବାହିତା ମହିଳା, ଅଭିଯୁକ୍ତ ଅଟକ

ଜୟପୁର: ସ୍ଥାନୀୟ କେଲ୍ଲାସାହି ଅଂଚଳରେ ଜୈନେକା ବିବାହିତା ମହିଳା ନିଜର ପ୍ରେମିକର ଚାପରେ ୨ମହଲା କୋଠାରୁ ଡେଇଁ ଜୀବନ ହାରିଛନ୍ତି। ମୃତକା ୟୁ.ହାରିକାଙ୍କ ପରିବାର ଲୋକେ ଏଭଳି ଅଭିଯୋଗ ଆଣିଛନ୍ତି। ମୃତ ମହିଳାଙ୍କ ପରିବାର ଲୋକଙ୍କ ଅଭିଯୋଗକ୍ରମେ ଜୟପୁର ଟାଉନଥାନା ପୁଲିସ ଏକ ମାମଲା ରୁଜୁ କରି ଅଭିଯୁକ୍ତ ପ୍ରେମିକକୁ ଅଟକ ରଖି ଘଟଣା‌ର ତଦନ୍ତ କରୁଥିବା କହିଛନ୍ତି ଟାଉନଥାନା ଅଧିକାରୀ ରମଣୀ ରଂଜନ ଦଳାଇ।

ସୂଚନା ଅନୁଯାୟୀ, ଜୟପୁର ଟାଉନଥାନା ଅଂଚଳ କେଲ୍ଲାସାହିର ୟୁ.ହାରିକା ବିଜୟନଗରମରେ ବିଏଡ୍ ପଢ଼ୁଥିବା ବେଳେ ସେଠାରେ ଜଣେ ଯୁବକଙ୍କ ସହ ପ୍ରେମ ସଂପର୍କ ରହିଥିଲା। ଗତ ଦେଢ଼ ମାସ ତଳେ  ହାରିକାଙ୍କୁ ପରିବାରବର୍ଗ ନିଜ ସଂପର୍କୀୟ ଆନ୍ଧ୍ରପ୍ରଦେଶର ଏସ କୋଟା ଅଂଚଳରେ ବାହା କରିଦେଇଥିଲେ। ତେବେ ପ୍ରେମିକ ଜଣକ ହାରିକା ବାହା ହେବା ପରେ ବି ତାଙ୍କ ପିଛା ଛାଡ଼ି ନଥିଲେ।

ଗତକାଲି ମଧ୍ୟ ହାରିକା ନିଜ ବାପାଙ୍କ ଘରକୁ ଆସିଥିବା ବେଳେ ସେ ଏଠାକୁ ଆସିଥିଲେ। ତେବେ ଆଜି ସକାଳୁ ମୃତ ହାରିକା ନିଜ ଘରର ୨ମହଲା ଉପରକୁ ଯାଇ ଡେଇଁ ପଡ଼ି ଆତ୍ମହତ୍ୟା କରିବା ସମୟରେ ବି ଯୁବକ ଜଣକ ଉପସ୍ଥିତ ଥିଲେ। ଗୁରତର ଅବସ୍ଥାରେ ହାରିକାଙ୍କୁ ଜୟପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ନେଇକି ଯାଇଥିବା ବେଳେ ‌ଡାକ୍ତର ପ୍ରାଣବାୟୁ ଚାଳିଯାଇଥିବା କହିଥିଲେ। ସୂଚନା ପାଇ ଟାଉନଥାନା ଅଧିକାରୀ ରମଣୀ ରଂଜନ ଦଳାଇ ପହଚିଂ ଘଟଣାର ତଦନ୍ତ ଆରମ୍ଭ କରିଥିଲେ। ପରିବାରବର୍ଗର ଅଭିଯୋଗକ୍ରମେ ମାମଲା ରୁଜୁ କରି ବିଜୟନଗରମରୁ ଆସିଥିବା ଯୁବକଙ୍କୁ ଅଟକ ରଖି ପଚାରାଉଚାରା କରୁଥିବା କହିଛନ୍ତି। ସେଭଳି ଶବବ୍ୟାବଛେଦ କରି ପରିବାରବର୍ଗକୁ ହସ୍ତାନ୍ତର କରିଛନ୍ତି।

ସମ୍ବନ୍ଧିତ ଖବର