ବଡ଼ା ପାୱ ବିକି ୧କୋଟିର କାର୍ କିଣିଲେ ଚନ୍ଦ୍ରିକା!

ନୂଆଦିଲ୍ଲୀ: ଗତ କିଛି ମାସ ହେଲାଣି ଦିଲ୍ଲୀର ବଡ଼ା ପାୱ ଗାର୍ଲ ସୋସିଆଲ ମିଡିଆରେ ଚର୍ଚ୍ଚାରେ ରହିଛନ୍ତି। ବଡ଼ା ପାୱ ଗାର୍ଲ ଭାବରେ ଜଣାଶୁଣା ଚନ୍ଦ୍ରିକା ଦୀକ୍ଷିତ୍ ଅନେକ ସମୟରେ ଲୋକଙ୍କ ସହ ଝଗଡ଼ା କରୁଥିବାର ନଜର ଆସିଛନ୍ତି। ବଡ଼ା ପାୱ ଗାର୍ଲ ଭାବରେ ଲୋକପ୍ରିୟ ହେବା ପରେ ଚର୍ଚ୍ଚାରେ ରହିବା ପାଇଁ ସେ ଅନେକ ଥର ଏଭଳି ପବ୍ଲିସିଟି ଷ୍ଟଣ୍ଟ କରୁଥିବାର ଦେଖାଯାଇଥାଏ। କିଛି ଦିନ ତଳେ ଚନ୍ଦ୍ରିକାଙ୍କୁ ପୁଲିସ ଗିରଫ କରୁଥିବାର ଭିଡିଓ ଭାଇରାଲ ହୋଇଥିବା ବେଳେ ଏବେ ସେ ଏକ ବିଳାସପୂର୍ଣ୍ଣ କାରରୁ ବାହାରୁଥିବାର ଭିଡିଓ ଭାଇରାଲ ହେଉଛି।

ସୋସିଆଲ ମିଡିଆରେ ଯେଉଁ ଭିଡିଓ ଭାଇରାଲ ହେବାରେ ଲାଗିଛି ସେଥିରେ ବଡ଼ା ପାୱ ଗାର୍ଲ ୧କୋଟି ଟଙ୍କା ମୂଲ୍ୟର ମୁସ୍ତାଙ୍ଗ କାରରୁ ବାହାରୁଥିବାର ନଜର ଆସିଛନ୍ତି। ଭିଡିଓ ଆରମ୍ଭରେ ଅନେକ ଲୋକ କାର ଚାରିପାଖରେ ଠିଆ ହୋଇ ଭିଡିଓ ସୁଟିଂ କରୁଥିବା ବେଳେ ଏହି ସମୟରେ ବଡ଼ା ପାୱ ଗାର୍ଲ କାରରୁ ବାହାରକୁ ଆସୁଛନ୍ତି। ତାଙ୍କୁ ଏଭଳି କାରରେ ଆସିବା ଦେଖି ଜଣେ ବ୍ୟକ୍ତି ବଡ଼ା ପାୱ ଗାର୍ଲଙ୍କୁ ପଚାରୁଛନ୍ତି, ତୁମର ଦୋକାନ କୁଆଡେ ଗଲା। ଉତ୍ତରରେ ସେ କହୁଛନ୍ତି, ଅପେକ୍ଷା କର, କିଛି ବଡ ଘଟଣା ଘଟିବାକୁ ଯାଉଛି। ସବୁବେଳେ ବିବାଦରେ ରହୁଥିବା ବଡ଼ା ପାୱ ଗାର୍ଲ ଏଥର କ’ଣ କରିବାକୁ ଯାଉଛି ତାହା କେବଳ ସମୟ କହିବ।

ସମ୍ବନ୍ଧିତ ଖବର