ବାଟୋଇଙ୍କ ପାଇଁ ଦେବୀ ରୂପରେ ପୁଲିସ ଦିଦି

ଭୁବନେଶ୍ୱର: ମୁଣ୍ଡଫଟା ତାତିରେ ସିଝିଯାଉଛି ରାଜଧାନୀ ଭୁବନେଶ୍ୱର | ଦେହରୁ ଗମଗମ ଝାଳ ସାଙ୍ଗକୁ ସନ୍ତୁଳି ହେଲେଣି ରାଜଧାନିଆ | ଘରେ ବି ପଙ୍ଖା ସେତେ ଆରାମ ଦେଉନି ଆଉ ବାଟୋଇଙ୍କ କଥା ନ କହିବା ଭଲ | କଥା କଣ ସେମାନଙ୍କ ଅବସ୍ଥା କଣ କେବଳ ଧୁ ଧୁ ଖରାରେ ଯାଉଥିବା ବାଟୋଇର ମନ ହିଁ କହିପାରିବ | ମୁଣ୍ଡ ଉପରୁ ଯେମିତି ତାତି ବରଷୁଛି ପିଚୁ ରାସ୍ତା ବି ତାତି ଯାଇ ଅବସ୍ଥା ଅସମ୍ଭାଳ | ଗଛ ଛାଇ କେତେକାଂଶରେ ଆଶ୍ବସ୍ତି ଦେଲେ ବି ଟ୍ରାଫିକ ପୋଷ୍ଟରେ ନାଲି ବତୀ ଜଳିଲେ ବାଇକ ଆରୋହୀଙ୍କ କଷ୍ଟ କିନ୍ତୁ ଦ୍ଵିଗୁଣ ହୋଇଯାଉଛି | ପାଣି ମୁନ୍ଦେ ପାଇଁ ଓଠ ଆତୁର ହେଉଛି, ହେଲେ ମଝି ରାସ୍ତାରେ ଗାଡି ରଖି ଯିବେ ବା କୁଆଡେ ?

କିନ୍ତୁ ଏସବୁ ଭିତରେ ବାଟୋଇଙ୍କ ପାଇଁ ସତେ ଯେମିତି ଜଳ ଦେବୀ ପାଲଟିଯାଇଛନ୍ତି ଏହି ପୁଲିସ କର୍ମଚାରୀ | ହାତରେ ଦୁଇ ବୋତଲ ପାଣି, ଆଉ ଟ୍ରାଫିକ ପୋଷ୍ଟରେ ଅପେକ୍ଷା କରିଥିବା ବାଇକ ଚାଳକମାନଙ୍କ ପାଖକୁ ଧାଇଁ ଧାଇଁ ଯାଇ ପାଣି ବୋତଲ ବଢ଼ାଇଦେଉଛନ୍ତି | ଭୁବନେଶ୍ୱରର ଓୟୁଏଟି ଟ୍ରାଫିକ ପୋଷ୍ଟରେ ଏହି ଦୃଶ୍ୟ ଦେଖିବାକୁ ମିଳିଛି | ପୁଲିସ କର୍ମଚାରୀଙ୍କ ପାଖରୁ ଥଣ୍ଡା ପାଣି ଠୋପେ ପାଇ ବାଇକ ଚାଳକମାନଙ୍କ ମୁହଁରୁ ଖାଲି ଗୋଟିଏ କଥା ହିଁ ବାହାରୁଛି, ଧନ୍ୟବାଦ ମ୍ୟାଡ଼ାମ |

ଅଳ୍ପ ହସି ଦେଇ ପୁଣି ଆଉ ଜଣେ ବାଇକ ଆରୋହୀଙ୍କ ପାଖକୁ ଧାଇଁ ଯାଉଛନ୍ତି ଏହି ପୁଲିସ ଦିଦି | ଟ୍ରାଫିକ ପୋଷ୍ଟରେ ଯେତିକି ସମୟ ବି ବାଇକ ଆରୋହୀ ସବୁଜ ବତୀକୁ ଅପେକ୍ଷା କରୁଛନ୍ତି, ସେତିକି ସମୟ ପୁଲିସ ଦିଦି ପାଣି ବୋତଲ ଧରି ଧାଇଁ ଯାଉଛନ୍ତି | ଗରମ ଦିନରେ ଥଣ୍ଡା ପାଣି ପିଇ ବାଇକ ଚାଳକ ଯେତିକି ଖୁସି ତାଙ୍କୁ ପାଣି ପିଆଇ ଦିଦିଙ୍କୁ ବି ମିଳୁଛି ଅମାପ ଆତ୍ମସନ୍ତୋଷ |

ସମ୍ବନ୍ଧିତ ଖବର