ଦିଲ୍ଲୀ ତିଳକ ବିହାର ଥାନାରେ ମୋ ଭଉଣୀ ଫାଶୀ ଲଗାଇବା ପରେ ଛାନିଆରେ ପୁଲିସମାନେ ଲୁଚିଲେ

ନୂଆଦିଲ୍ଲୀ: ରବିବାର ପ୍ରତ୍ୟୁଷରେ ଦିଲ୍ଲୀର ତିଳକ ବିହାର ଥାନାରେ ୧୭ ବର୍ଷୀୟ ଝିଅଟି ଫାଶୀ ଲଗାଇବା ସମୟରେ ତାଙ୍କୁ ବଞ୍ଚାଇବାକୁ ଚେଷ୍ଟା ନ କରି ସେଠାରେ ଉପସ୍ଥିତ ଥାନାବାଲା ଛାନିଆରେ ବିଭିନ୍ନ କୋଠରି ଭିତରକୁ ଯାଇ ଆତ୍ମଗୋପନ କଲେ ବୋଲି ପୀଡ଼ିତାଙ୍କ ପରିବାର ଅଭିଯୋଗ କରିଛନ୍ତି।

ରବିବାର ରାତି ୩ଟା ୧୫ ମିନିଟ୍‌ରେ ଝିଅଟି ଫାଶୀ ଲଗାଇଥିବା କୁହାଯାଉଛି। କିଛି ମାସ ହେବ ଜଣେ ଯୁବକ ସହ ବନ୍ଧୁତା କରିବା ପରେ ନିଜ ପରିବାର ଏବଂ ସେ ଯୁବକଙ୍କ ସହ ଝଗଡ଼ା କରି ସେ ଝିଅଟି ଥାନାକୁ ଯାଇଥିଲା। ଦୁଇ ପରିବାର ପଡ଼ୋଶୀ। ଝିଅଟି ଆତ୍ମହତ୍ୟା କରିବା ବେଳେ ସେମାନେ ଥାନାରେ ଉପସ୍ଥିତ ଥିଲେ।

ଶନିବାର ରାତିରୁ ନିରୁଦ୍ଦେଶ ଥିବା ଝିଅଟି ରବିବାର ରାତି ପ୍ରାୟ ସାଢ଼େ ଦୁଇଟା ବେଳେ ଥାନାରେ ଉପସ୍ଥିତ ହୋଇଥିଲେ ବୋଲି ପୁଲିସ କହିଛି।
ପରିବାର ସହ ରହିବାକୁ ନ ଛାଡ଼ି ଓଲଟି ପୁଲିସ ତାକୁ ଗୋଟେ କୋଠରିରେ ପୂରାଇ ବନ୍ଦ କରିଦେଲେ ବୋଲି ଝିଅର ଭାଇ କହିଛନ୍ତି। ପାଖ କୋଠରିରେ ମୋର ଦୁଇ ସମ୍ପର୍କୀୟ ଭାଇଙ୍କ ସହ ମତେ ମଧ୍ୟ ବନ୍ଦ କରିଦିଆଯାଇଥିଲା ବୋଲି ସେ ଆହୁରି ଅଭିଯୋଗ କରିଛନ୍ତି।
ଏୟାର୍‌ କୁଲର୍‌ ଲାଗିଥିବା କାନ୍ଥର ଫାଟରେ ମୁଁ ଭଉଣୀକୁ ଦେଖିପାରୁଥିଲି। କିନ୍ତୁ କବାଟ ଭାଙ୍ଗି ଦୌଡ଼ି ଯିବା ଆଗରୁ ସେ ଫାଶୀ ଲଗାଇ ସାରିଥିଲା।

ଉପସ୍ଥିତ ପୁଲିସମାନେ ତା’ ଆତ୍ମହତ୍ୟା କଥା ଜାଣିବା ପରେ ଛାନିଆରେ ଭିନ୍ନ ଭିନ୍ନ କୋଠରିକୁ ଚାଲିଗଲେ। ସେମାନେ କବାଟ ଭାଙ୍ଗିବାରେ ଆମକୁ ସହାୟତା କଲେ ନାହିଁ କି, ତା’ ଶବକୁ ତଳକୁ ଓହ୍ଲାଇଲେ ନାହିଁ। କୋଠରିରେ ସେ ଦୁଇ ଘଣ୍ଟା ଧରି ଓହଳି ରହିଲା। ଥାନାରେ ମୃତ୍ୟୁ ହେବା କଥା ଶେଷରେ ସେମାନେ ଫୋନ୍‌ କରି ପୁଲିସ କଣ୍ଟ୍ରୋଲ୍‌ ରୁମ୍‌କୁ ଜଣାଇଥିଲେ।

ପୁଲିସ କମିସନର ବିଜୟ କୁମାର ଏ କଥା ଅଗ୍ରାହ୍ୟ କରି ଦେଇଛନ୍ତି। ସେ କହିଛନ୍ତି ଯେ ଝିଅ କୋଠରିରେ ପଶି ଭିତରପଟୁ କବାଟ କିଳି ଦେଇଥିଲା। ପୁଲିସ କବାଟ ଭାଙ୍ଗି ତା’ର ଶବ ଓହ୍ଲାଇ ଥିଲେ।

ଯୁବକ ସହ ସମ୍ପର୍କ ରଖିଥିବାରୁ କାଳେ ଘର ଲୋକ ମାରଧର କରିବେ ସେହି ଭୟରେ ଝିଅଟି ନିଜ ଘରକୁ ଫେରିବାକୁ ଚାହୁଁ ନ ଥିଲା ବୋଲି ବିଜୟ କୁମାର କହିଛନ୍ତି।

ସମ୍ବନ୍ଧିତ ଖବର