ଜିଲ୍ଲା ପରିଷଦ ସଭ୍ୟଙ୍କ ବଲେରୋ ଧକ୍କାରେ ଯୁବକ ମୃତ; ପୁଲିସ ନିଷ୍କ୍ରିୟ:ଟିଟିଲାଗଡ଼-ମୁରିବାହାଲ ମୁଖ୍ୟ ରାସ୍ତା ୧୦ ଘଣ୍ଟା ଅବରୋଧ

ମୁରିବାହାଲ: ମୁରିବାହାଲ ବ୍ଲକ ୨୮ ନମ୍ବର ଜୋନ ଜିଲ୍ଲା ପରିଷଦ ସଦସ୍ୟ ତଥା କଂଗ୍ରେସ ସଭାପତି ବେଲାରସେନ ବେହେରାଙ୍କ ବଲେରୋ ଧକ୍କାରେ ଯମୁନା ଗାଁର ସୁଦୀପ ମହାକୁର (୩୦)ଙ୍କ ମୃତ୍ୟୁ ହୋଇଯାଇଛି। ଉପଯୁକ୍ତ କ୍ଷତିପୂରଣ, ଦୋଷୀ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି ସହ ମୁରିବାହାଲ ପୁଲିସର ନିଷ୍କ୍ରିୟତା ପ୍ରତିବାଦରେ ଯମୁନା ଗ୍ରାମବାସୀ ତଥା ଆନ୍ଦୋଳନକାରୀମାନେ ମୁରିବାହାଲ- ଟିଟିଲାଗଡ଼ ମୁଖ୍ୟ ରାସ୍ତାକୁ ୧୦ ଘଣ୍ଟା ଧରି ଅବରୋଧ କରିଥିଲେ।
ସୁଦୀପ ତାଙ୍କ ବାଇକରେ ଗତ ସୋମବାର ସକାଳେ ମୁରିବାହାଲକୁ ଯାଉଥିବା ବେଳେ ରାସ୍ତାରେ ସଂପୃକ୍ତ ଜିଲ୍ଲା ପରିଷଦ ସଦସ୍ୟଙ୍କ ବଲେରୋ ତାଙ୍କୁ ଧକ୍କା ଦେଇଥିଲା। ତାଙ୍କୁ ପ୍ରଥମେ ଟିଟିଲାଗଡ଼ ଓ ପରେ ବୁର୍ଲା ଡାକ୍ତରଖାନାକୁ ନିଆଯାଇ ଥିଲା। ଶୁକ୍ରବାର ସକାଳ ୯ଟା ସମୟରେ ତାଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ଘଟିଥିଲା। ମୃତ୍ୟୁ ଖବର ପାଇବାପରେ ଯମୁନା ଗ୍ରମବାସୀ ଟିଟିଲାଗଡ଼-ମୁରିବାହାଲ ମୁଖ୍ୟରାସ୍ତାକୁ ଅବରୋଧ କରିଥିଲେ। ଦୋଷୀ ଜିଲ୍ଲା ପରିଷଦଙ୍କୁ ଗିରଫ ତଥା କ୍ଷତିପୂରଣ ଦାବି ନେଇ ଚାଲିଥିବା ଆନ୍ଦୋଳନ ରାତି ୮ଟାରେ ପ୍ରଶାସନର ପ୍ରତିଶୃତି ପରେ ପ୍ରତ୍ୟାହ୍ୟତ ହୋଇଥିଲା। ଶନିବାର ସୁଦ୍ଧା ଦୋଷୀଙ୍କୁ ଗିରଫ ପାଇଁ କଣ୍ଟାବାଞ୍ଜି ଏସ୍‌ଡିପିଓ ପ୍ରଫୁଲ୍ଲ ମିଶ୍ର ଓ ଆଇଆଇସି ଲୋକନାଥ ଭୋଇ ପ୍ରତିଶ୍ରୁତି ଦେଇଥିଲେ। ସହସିଲଦାର ଜୟେନ୍ଦ୍ର ସେଠୀ ରେଡକ୍ରସ ତରଫରୁ ପୀଡ଼ିତ ପରିବାରକୁ ଅନୁକମ୍ପା ରାଶି ପ୍ରଦାନ ପାଇଁ ମଧ୍ୟ ପ୍ରତିଶ୍ରୁତି ଦେଇଥିଲେ। ମୃତ ସୁଦୀପ ଜଣେ ପରୋପକାରୀ ବ୍ୟକ୍ତି ରୂପେ ମୁରିବାହାଲ ଅଞ୍ଚଳରେ ପରିଚିତ ଥିଲେ। ତାଙ୍କ ମୃତ୍ୟୁରେ ସମଗ୍ର ଅଞ୍ଚଳରେ ଶୋକର ଛାୟା ଖେଳି ଯାଇଛି।

ସମ୍ବନ୍ଧିତ ଖବର