ମଧୁବାଲାଙ୍କ ବାୟୋପିକ୍‌କୁ ନେଇ ସାନଭଉଣୀଙ୍କ ଚେତାବନୀ: ମୋ ବିନା ଅନୁମତିରେ ଏ ଚଳଚ୍ଚିତ୍ର କରିବାର ଉଦ୍ୟମ କରନ୍ତୁ ନାହିଁ

ମୁମ୍ବାଇ: ସତୁରୀ ଦଶକର ଲୋକପ୍ରିୟ ଅଭିନେତ୍ରୀ ମଧୁବାଲାଙ୍କ ଜୀବନୀକୁ ନେଇ ନିର୍ମାଣ ହେବ ଚଳଚ୍ଚିତ୍ର। ମଧୁବାଲାଙ୍କ ସାନ ଭଉଣୀ ମଧୁର ବ୍ରିଜ୍‌ ଭୁଷଣ ଏହି ଘୋଷଣା କରିଛନ୍ତି। ଚଳଚ୍ଚିତ୍ରକୁ ନେଇ ଆନୁଷ୍ଠାନିକ ଘୋଷଣା ପରବର୍ତ୍ତୀ ମୂହୁର୍ତ୍ତରେ କରାଯିବ। କାହାର ନାମ ନ ନେଇ ମଧୁବାଲାଙ୍କ ଭଉଣୀ ପ୍ରକାଶ କରିଛନ୍ତି ଯେ ଚଳଚ୍ଚିତ୍ରଟିକୁ ତାଙ୍କର ନିଜ ବନ୍ଧୁମାନେ ପ୍ରଯୋଜନା କରିବେ। ମଧୁର ବ୍ରିଜ୍‌ ବଲିଉଡ୍‌ ଓ ବଲିଉଡ୍‌ ବାହାରର ସମସ୍ତଙ୍କୁ ଅନୁରୋଧ କରିଛନ୍ତି ଯେ ତାଙ୍କ ଅନୁମତି ବିନା କେହି ତାଙ୍କ ଭଉଣୀଙ୍କ ବାୟୋପିକ୍‌ କରିବାର ଉଦ୍ୟେମ କରନ୍ତୁ ନାହିଁ।

ମଧୁବାଲାଙ୍କ ପ୍ରଶଂସକ ତଥା ସିନେ ପ୍ରଶଂସକମାନଙ୍କୁ ଉଚିତ ସମୟ ଆସିଗଲେ ଏନେଇ ସବିଶେଷ ବିବରଣୀ ପ୍ରଦାନ କରାଯିବ ବୋଲି ସେ କହିଛନ୍ତି। ଗତବର୍ଷ ଦିଲ୍ଲୀସ୍ଥିତ ମାଡାମ ତୁଷାଦ ମିଉଜିୟମ୍‌ରେ ମଧୁବାଲାଙ୍କ ମହମ ମୂର୍ତ୍ତି ସ୍ଥାନ ପାଇବା ପରେ ତାଙ୍କ ଜୀବନୀକୁ ନେଇ ଏକ ବାୟୋପିକ୍‌ ନିର୍ମାଣ କରିବାର ଚିନ୍ତାଧାରା ଭଉଣୀ ମଧୁର ବ୍ରିଜ୍‌ ଭୁଷଣଙ୍କ ମୁଣ୍ଡରେ ଜୁଟିଛି।

ତାଙ୍କ ଭଉଣୀଙ୍କ ଜୀବନକୁ ଠିକ୍‌ ଭାବେ କାଳେ ଅନ୍ୟ କେହି ପ୍ରତିପାଦନ କରିପାରିବେ ନାହିଁ, ସେ ଭୟରେ ସେ ନିଜେ ହିଁ ଏହି ଦାୟିତ୍ୱ ବହନ କରିଛନ୍ତି। ଚଳଚ୍ଚିତ୍ରର ନିର୍ଦ୍ଦେଶକ ତ କେବେ ବି ନିଜେ ମଧୁର ବ୍ରିଜ୍‌ ଭୁଷଣ ହେବେ ନାହିଁ! ତେବେ ଏହାକୁ କିଏ ନିର୍ଦ୍ଦେଶନା ଦେବେ ଓ କିଏ ମଧୁବାଲାଙ୍କ ଭୂମିକା ନିଭାଇବେ ଏଯାବତ୍‌ ସ୍ଥିର ହୋଇନାହିଁ। ମାତ୍ର ଅନେକ ଦିନ ହେବ କଥା ଉଠୁଛି ଯେ ମଧୁବାଲାଙ୍କ ଭୂମିକା ପାଇଁ ତାଙ୍କ ଭଉଣୀ ମନେ ମନେ କରୀନା କପୁରଙ୍କୁ ସ୍ଥିର କରିଛନ୍ତି, ଯଦିଓ ଏ ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ।

ଉଲ୍ଲେଖଯୋଗ୍ୟ, ନିଜର ଅପରୂପା ସୌନ୍ଦର୍ଯ୍ୟ ଓ ମନଲୋଭା ଅଭିନୟ ହେତୁ ଦେହତ୍ୟାଗର ଏତେ ବର୍ଷ ପରେ ବି ଲୋକଙ୍କ ମନରେ ଏବେ ବି ରାଜ୍‌ କରନ୍ତି ମହମ କୁଇନ୍‌ ମଧୁବାଲା। ତାଙ୍କର ଉଲ୍ଲେଖନୀୟ ଚଳଚ୍ଚିତ୍ର ମଧ୍ୟରେ ରହିଛି ‘ମୁଗଲ୍‌-ଇ-ଆଜମ୍‌’, ‘ଚଲ୍‌ତି କା ନାମ ଗାଡ଼ି’, ‘ମିଷ୍ଟର୍‌ ଆଣ୍ଡ୍‌ ମିଷ୍ଟ୍ରେସ୍‌ ୫୫’, ‘ମାହଲ’ ଇତ୍ୟାଦି।

ଅଭିନେତା ସଞ୍ଜୟ ଦତ୍ତଙ୍କ ଉପରେ ହୋଇଥିବା ବାୟୋପିକ୍‌ ‘ସଞ୍ଜୁ’ ଅଭୂତପୂର୍ବ ସଫଳତା ହାତେଥିବା ପରେ ଏବେ ମଧୁବାଲାଙ୍କ ଜୀବନୀ ଦର୍ଶକୁ ସମାନ ପରିମାଣର ଖୋରାକ ଯୋଗାଉଛି କି ନାହିଁ ଦେଖିବା ବାକି ରହିଲ।

ସମ୍ବନ୍ଧିତ ଖବର