ଝିଅର ପ୍ରଥମ ଚଳଚ୍ଚିତ୍ର ରିଲିଜ୍‌ ଆଗରୁ ଆଖି ବୁଜିଲେ ଶ୍ରୀଦେବୀ; ଜାହ୍ନବୀଙ୍କ ‘ଧଡକ’ ଚଳଚ୍ଚିତ୍ରର ୨୫ ମିନିଟ୍‌ର ଭିଡିଓ ଦେଖି ଏହି ଭୁଲ୍‌ କାଢ଼ିଥିଲେ ଚାନ୍ଦ୍‌ନୀ

ମୁମ୍ବାଇ: ଚଳିତବର୍ଷ ଫେବ୍ରୁଆରି ୨୮ ତାରିଖରେ ଭାରତୀୟ ସିନେ ଜଗତ ଜଣେ ପ୍ରତିଭାମୟୀଙ୍କୁ ହରାଇଛି। ଦୁବାଇଠାରେ ଅଚାନକ ଶ୍ରୀଦେବୀଙ୍କ ମୃତ୍ୟୁ ଖରବ ପୂରା ଦେଶକୁ ଦୁଃଖୀ କରିଛି। ଶ୍ରୀଦେବୀଙ୍କ ପରଲୋକ ହେବା ପରେ ସବୁଠାରୁ ଯଦି କିଏ ଦୁଃଖୀ ଅଛନ୍ତି ସେ ହେଉଛନ୍ତି ତାଙ୍କ ବଡ଼ ଝିଅ ଜାହ୍ନବୀ କପୁର୍‌। ଜାହ୍ନବୀଙ୍କ ପ୍ରଥମ ଚଳଚ୍ଚିତ୍ର ‘ଧଡକ୍‌’ ମୁକ୍ତିଲାଭ କରିବାର ପୂର୍ବରୁ ହିଁ ଶ୍ରୀଦେବୀଙ୍କ ଆଖି ବୁଜିବା ଘଟଣା ତାଙ୍କୁ ଅନେକ ଆଘାତ ଦେଇଛି ବୋଲି ନିକଟ ଅତୀତରେ ସେ ବହୁବାର କହି ସାରିଛନ୍ତି।

ମାତ୍ର ଏ ସଂପର୍କରେ ଏବେ ଏକ ରହସ୍ୟମୟ କଥା ଜଣାପଡ଼ିଛି। ଜାହ୍ନବୀଙ୍କ ଚଳଚ୍ଚିତ୍ର ସିନା ରିଲିଜ୍‌ ହୋଇ ନଥିଲା କିନ୍ତୁ ରିଲିଜ୍‌ ପୂର୍ବରୁ ବି ତାହାକୁ ଦେଖିପାରିଥିଲେ ମାଆ ଶ୍ରୀଦେବୀ। ଅବଶ୍ୟ ଶ୍ରୀଦେବୀ ସଂପୂର୍ଣ୍ଣ ଚଳଚ୍ଚିତ୍ରଟିକୁ ଦେଖିବାର ସୁଯୋଗ ପାଇଲେ ନାହିଁ। ମାତ୍ର ଜାହ୍ନବୀଙ୍କ କହିବା ଅନୁସାରେ ଶ୍ରୀଦେବୀ ଜାହ୍ନବୀଙ୍କ ଚଳଚ୍ଚିତ୍ର ‘ଧଡକ’ ଚଳଚ୍ଚିତ୍ରର ଏକ ୨୫ ମିନିଟ୍‌ର ଭିଡିଓ ଦେଖିଥିଲେ।

ଜାହ୍ନବୀଙ୍କ ଅଭିନୟ ଦେଖିସବା ପରେ ମାଆ ଶ୍ରୀଦେବୀ କ’ଣ ପ୍ରତିକ୍ରିୟା ପ୍ରକାଶ କରିଥିଲେ ତାହା ତ ଆପଣ ନିଶ୍ଚୟ ଜାଣିବାକୁ ଚାହିଁବେ। ସେ କହିଛନ୍ତି କି ‘ମାଆ ପ୍ରଥମେ ମୋ ଆଖିର ମସ୍‌କରାକୁ ଦେଖିଲେ। ତାହା ସାମନ୍ୟ ଲେସି ହୋଇ ଯାଇଥିଲା। ସେ ମୋତେ ସେ ସଂପର୍କରେ ଉପଦେଶ ଦେଇଥିଲେ। ନିଜକୁ ସଜାଇବା ବା ନ ସଜାଇବା ସମସ୍ତଙ୍କ ବ୍ୟକ୍ତିଗତ ପସନ୍ଦ। ମାତ୍ର କିଛି ବି ବ୍ୟବହାର କରୁଥିବା ବେଳେ ତାହା ଏକଦମ ଠିକ୍‌ ଭାବେ ବ୍ୟବହାର କରିବା ଉଚିତ। ଲେସି ହୋଇଥିବା ମସ୍‌କରା ଆଖିର ସୌନ୍ଦର୍ଯ୍ୟ ବୃଦ୍ଧି କରୁନାହିଁ, ବରଂ ହ୍ରାସ କରୁଛି। ତାହାଠାରୁ ଭଲ ଆଦୌ ମସ୍‌କରା ନ ଲଗାଇବା।’

ତା’ପରେ ସେ ଝିଅ ହିସାବରେ ଏକ ବ୍ୟକ୍ତିଗତ ମତ ବି ରଖିଥିଲେ। ସମସ୍ତଙ୍କ ମୁହଁରେ ସବୁ ଜିନିଷ ମାନେ ନାହିଁ। କିଛି ଚେହେରା ଥାଏ ସେଥିରେ କିଛି ବି ବ୍ୟବହାର କଲେ ସୁନ୍ଦର ଦିଶେ। ମାତ୍ର ଜାହ୍ନବୀଙ୍କ ମୁହଁ ସେପରି ନୁହେଁ ବୋଲି ଶ୍ରୀଦେବୀ ମତ ରଖିଥିଲେ। ମୁହଁକୁ ମାନିବା ପରି ସାଜସଜା ଉପକରଣ ବ୍ୟବହାର କରିବାକୁ ସେ ତାଙ୍କୁ ପରାମର୍ଶ ଦେଇଥିଲେ।

ସମ୍ବନ୍ଧିତ ଖବର