ଆତଙ୍କବାଦ ବିରୋଧୀ ଲଢ଼େଇ: ଭାରତ-ସାଉଦୀ ଏକାଠି

ସବୁ କ୍ଷେତ୍ରରେ ସହଯୋଗ ପାଇଁ ପ୍ରସ୍ତୁତ: କ୍ରାଉନ୍‌ ପ୍ରିନ୍ସ, ପଡ଼ୋଶୀ ରାଷ୍ଟ୍ର ଆତଙ୍କବାଦୀଙ୍କୁ ପ୍ରଶ୍ରୟ ଦେଉଛି: ମୋଦୀ

ନୂଆଦିଲ୍ଲୀ: ପୁଲୱାମା ଆତଙ୍କବାଦୀ ଆକ୍ରମଣକୁ ନେଇ ବିଶ୍ବର ପ୍ରମୁଖ ରାଷ୍ଟ୍ରମାନେ ଭାରତକୁ ସହଯୋଗ ପାଇଁ ପ୍ରତିଶ୍ରୁତି ଦେଇଥିବା ବେଳେ ଆଜି ସାଉଦୀ ଆରବ ମଧ୍ୟ ଆତଙ୍କବାଦ ବିରୋଧୀ ଲଢ଼େଇରେ ଭାରତକୁ ସମସ୍ତ ସହାୟତା ଯୋଗାଇଦେବ ବୋଲି କହିଛି। ଦୁଇ ଦିନିଆ ଭାରତ ଗସ୍ତରେ ଆସିଥିବା ସାଉଦୀ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲ୍‌ମାନ ଆତଙ୍କବାଦ ପ୍ରସଙ୍ଗରେ କହିଛନ୍ତି ଯେ ଆମ ଭାରତକୁ ଗୁଇନ୍ଦା ତଥ୍ୟ ପ୍ରଦାନ କରିବା ସହିତ ଏହି ଲଢ଼େଇରେ ସବୁ ସହଯୋଗ ପାଇଁ ପ୍ରସ୍ତୁତ ରହିଛୁ। ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ପୁଲୱାମା ଆକ୍ରମଣ ପ୍ରସଙ୍ଗ ଉଠାଇ କହିଥିଲେ ଯେ ଏହି ଆକ୍ରମଣ ବିଶ୍ବରେ ଆତଙ୍କବାଦୀଙ୍କ ବର୍ବରତାର ଏକ ଜ୍ଜଳନ୍ତ ଉଦାହରଣ। ଆତଙ୍କବାଦୀଙ୍କୁ ସହାୟତା ଦେଉଥିବା ଦେଶ ବିରୋଧରେ ପ୍ରବଳ ଚାପ ସୃଷ୍ଟି କରାଯିବା ଉଚିତ ବୋଲି ମୋଦୀ କହିଥିଲେ। ସାଉଦୀ ଆରବକୁ ଭାରତର ଘନିଷ୍ଠ ସାମରିକ ସହଯୋଗୀ ବୋଲି ଦର୍ଶାଇ ମୋଦୀ କହିଥିଲେ ଯେ ଆତଙ୍କବାଦ ବିରୋଧରେ ଲଢ଼େଇ, ସାମୁଦ୍ରିକ ସୁରକ୍ଷା ଏବଂ ସାଇବର ନିରାପତ୍ତା କ୍ଷେତ୍ରରେ ଉଭୟ ରାଷ୍ଟ୍ର ବ୍ୟାପକ ବୁଝାମଣା ଭିତ୍ତିରେ କାର୍ଯ୍ୟ କରୁଛନ୍ତି ଏବଂ ଆଗକୁ ଦ୍ବିପାକ୍ଷିକ ସଂପର୍କ ଆହୁରି ସୁଦୃଢ଼ ହେବ। କ୍ରାଉନ୍‌ ପ୍ରିନ୍ସ କହିଥିଲେ, ଭାରତ ସହିତ ଆମର ସଂପର୍କ ରକ୍ତରେ ରହିଛି ଏବଂ ଏହା ହଜାରେ ବର୍ଷ ପୁରୁଣା। ବିଗତ ୫୦ ବର୍ଷ ମଧ୍ୟରେ ଏହି ସଂପର୍କ ଆହୁରି ମଜବୁତ ହୋଇଛି ବୋଲି ସେ କହିଛନ୍ତି। ଭାରତରେ ସାଉଦୀ ଆରବ ୪୪ ବିଲିୟନ ଡଲାର ପୁଂଜିନିବେଶ ପାଇଁ ପ୍ରସ୍ତୁତ ହେଉଛି ବୋଲି ସେ କହିଥିଲେ। ଏହା ପୂର୍ବରୁ ପାକିସ୍ତାନ ଗସ୍ତରେ ଯାଇଥିବା କ୍ରାଉନ୍‌ ପ୍ରିନ୍ସ ପାକିସ୍ତାନରେ ୨୦ ବିଲିୟନ ଡଲାର ପୁଂଜିନିବେଶ ପାଇଁ ପ୍ରତିଶ୍ରୁତି ଦେଇଥିଲେ।

ମଧ୍ୟସ୍ଥି ସାଜିବାକୁ ସାଉଦୀ ପ୍ରସ୍ତାବ ଦେଇନାହିଁ: ବୈଦେଶିକ ମନ୍ତ୍ରାଳୟ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ସାଉଦୀ ଆରବ କ୍ରାଉନ୍‌ ପ୍ରିନ୍ସ ମହମ୍ମଦ ବିନ୍‌ ସଲମାନଙ୍କ ମଧ୍ୟରେ ହୋଇଥିବା ବୈଠକରେ ସାଉଦୀ ଆରବ ଭାରତ-ପାକିସ୍ତାନ ମଧ୍ୟରେ ମଧ୍ୟସ୍ଥି ସାଜିବାକୁ କୌଣସି ପ୍ରସ୍ତାବ ଦେଇନାହିଁ ବୋଲି ଆଜି ବିଦେଶ ମନ୍ତ୍ରାଳୟ ସ୍ପଷ୍ଟ କରିଛି। ଉଭୟ ନେତା ନିକଟରେ ପୁଲୱାମାରେ ହୋଇଥିବା ଆତଙ୍କବାଦୀ ଆକ୍ରମଣକୁ ଦୃଢ଼ ନିନ୍ଦା କରିବା ସହ ଆତଙ୍କବାଦୀଙ୍କୁ ନିଷିଦ୍ଧ କରିବା ଏବଂ କଠୋର କଟକଣା ଲଗାଇବା ଦିଗରେ ଜାତିସଂଘ ଅଧିକ ସକ୍ରିୟ ହୋଇ କାର୍ଯ୍ୟ କରିବା ଉପରେ ଗୁରୁତ୍ବାରୋପ କରିଥିବା ବିଦେଶ ମନ୍ତ୍ରାଳୟ ପ୍ରବକ୍ତା କହିଛନ୍ତି।

ରାଜକୀୟ ସ୍ବାଗତକୁ କଂଗ୍ରେସର ବିରୋଧ
ନୂଆଦିଲ୍ଲୀ: ସାଉଦୀ ଯୁବରାଜ ମହମ୍ମଦ ବିନ୍‌ ସଲ୍‌ମାନଙ୍କୁ ଭାରତ ସରକାର ଭବ୍ୟ ସ୍ବାଗତ ସମ୍ବର୍ଦ୍ଧନା ଦେଇଥିବାରୁ କଂଗ୍ରେସ ଏହାକୁ ବିରୋଧ କରିଛି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଗତରାତିରେ ପ୍ରୋଟକଲ ଏଡ଼ାଇ ଦିଲ୍ଲୀରେ କ୍ରାଉନ୍‌ ପ୍ରିନ୍ସଙ୍କୁ ଏୟାରପୋର୍ଟରୁ ଅଲିଙ୍ଗନ କରି ପାଛୋଟି ଆଣିବାକୁ ମଧ୍ୟ କଂଗ୍ରେସ ସମାଲୋଚନା କରିଛି। ଭାରତ ଆସିବା ପୂର୍ବରୁ ସଲ୍‌ମାନ ପାକିସ୍ତାନ ଗସ୍ତ କରି ପାକିସ୍ତାନକୁ ବିପୁଳ ସହାୟତା ଘୋଷଣା କରିଥିବାରୁ ତାଙ୍କୁ ଏଭଳି ସ୍ବାଗତ ସମ୍ବର୍ଦ୍ଧନା କାହିଁକି ଦିଆଗଲା ବୋଲି କଂଗ୍ରେସ ନେତା ରଣଦୀପ ସୂର୍ଯେୱାଲା ପ୍ରଶ୍ନ କରିଛନ୍ତି ଏବଂ ଏହା ପୁଲୱାମା ସହିଦଙ୍କ ପ୍ରତି ଅପମାନ ବୋଲି କହିଛନ୍ତି।

ସମ୍ବନ୍ଧିତ ଖବର