ନୀତିନ ଗଡ଼କରୀଙ୍କୁ ସୁପ୍ରିମ୍‌ କୋର୍ଟଙ୍କ ପରାମର୍ଶ, ପ୍ରଦୂଷଣ ନିୟନ୍ତ୍ରଣ ଦିଗରେ ନୂଆ ଉପାୟ ଜଣାନ୍ତୁ

ନୂଆଦିଲ୍ଲୀ : କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀଙ୍କର ଅଭିନବ ଚିନ୍ତାଧାରା ରହିଛି। ପ୍ରଦୂଷଣ ରୋକିବା ଦିଗରେ ସେ ନୂଆ ଯୋଜନା କାର୍ଯ୍ୟକାରୀ କରିପାରିବେ। ତେଣୁ ଗଡ଼କରୀ ସୁପ୍ରିମ‌କୋର୍ଟ ଆସି ପ୍ରଦୂଷଣ ରୋକିବା ଦିଗରେ କିଛି ନୂତନ ଉପାୟ ସଂପର୍କରେ କୁହନ୍ତୁ ବୋଲି ସୁପ୍ରିମକୋର୍ଟ ଆଜି କହିଛନ୍ତି। ପ୍ରଧାନ ବିଚାରପତି ଏସ୍‌ ଏ ବୋବଡେଙ୍କ ନେତୃତ୍ବାଧୀନ ଖଣ୍ଡପୀଠ ଆଜି କହିଛନ୍ତି, ନୀତିନଙ୍କୁ ସମନ୍‌ କରାଯାଇନି ବରଂ ତାଙ୍କୁ ଏନେଇ ପରାମର୍ଶ ଦେବାକୁ ଡକାଯାଇଛି। ତେବେ ସୁପ୍ରିମକୋର୍ଟ ନୀତିନଙ୍କ ପରାମର୍ଶ ଲୋଡ଼ି ତାଙ୍କୁ କୋର୍ଟକୁ ଡାକିବା ପରେ ଆଜି କୋର୍ଟରେ ଉପସ୍ଥିତ ଥିବା ଅତିରିକ୍ତ ସଲିସିଟର ଜେନେରାଲ ଏହାର ବିରୋଧ କରିଥିଲେ। କିଛି ଲୋକ ଏହାକୁ ରାଜନୈତିକ ରଙ୍ଗ ଦେବେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ। କିନ୍ତୁ ପ୍ରଧାନ ବିଚାରପତି ସ୍ପଷ୍ଟ ଭାବେ ଜଣା‌ଇଥିଲେ ଯେ, ନୀତିନଙ୍କୁ ସମନ କରାଯାଇନାହିଁ ଏହା କେବଳ ଏକ ଆମନ୍ତ୍ରଣ। ନୀତିନ ସର୍ବଦା ନୂତନ ଯୋଜନା କାର୍ଯ୍ୟକାରୀ କରିବା କ୍ଷେତ୍ରରେ ନିଜ ଦକ୍ଷତା ଦେଖାଇ ଥିବାରୁ ଥିବାରୁ ତାଙ୍କଠାରୁ ଏନେଇ ପରାମର୍ଶ ମଗାଯାଇଛି। ଉଲ୍ଲେଖଯୋଗ୍ୟ ଇଲେକ୍ଟ୍ରିକ୍‌ ଯାନ ନେଇ ସରକାରୀ ନୀତି କାର୍ଯ୍ୟକାରୀ କରିବା ଦିଗରେ ଏକ ଆବେଦନର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ନୀତିନଙ୍କୁ ଏ ବାବଦରେ କହିବାକୁ କହିଛନ୍ତି।

ସମ୍ବନ୍ଧିତ ଖବର