ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଶୁଣାଣି ଆଜି; ସୁପ୍ରିମକୋର୍ଟ ଏ ନେଇ ଦେଇପାରନ୍ତି ରାୟ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ଆଜି ମିଳିବ କି ଅନ୍ତରୀଣ ଜାମିନ । ଆଜି ସୁପ୍ରିମକୋର୍ଟ ଏ ନେଇ ରାୟ ଦେଇପାରନ୍ତି । ଏହାପୂର୍ବରୁ ଇଡି ଏକ ସତ୍ୟପାଠ ଦାଖଲ କରିଛି । ଯେଉଁଥିରେ କୁହାଯାଇଛି, ପ୍ରଚାର ଏକ ମୌଳିକ ଅଧିକାର ନୁହେଁ । ଏହାକୁ ଅନ୍ତରୀଣ ଜାମିନ ପାଇଁ ଆଧାର କରାଯାଇପାରିବ ନାହିଁ । ଅବକାରୀ ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ଏହି ନେତାଙ୍କୁ ନିର୍ବାଚନ ଆଳରେ ମୁକ୍ତ କରିବାକୁ ଚେଷ୍ଟା କରାଯାଉଛି । ଯଦି ସେ ମୁକ୍ତ ହେବେ ତାହେଲେ ଏହା ଏକ ଭୁଲ ଉଦାହରଣ ସୃଷ୍ଟି କରିବ ।

ଇଡି ଆହୁରି ମଧ୍ୟ କହିଛି ଯେ ଯଦି ଏହି ଆଧାରରେ ମୁକ୍ତ କରାଯାଏ, ତେବେ ଦେଶରେ ନିର୍ବାଚନ ହେଉଥିବାରୁ ଜଣେ ରାଜନେତାଙ୍କୁ ଗିରଫ କିମ୍ବା ଅଟକ ରଖିବା କଷ୍ଟକର ହେବ । ଏହା ପୂର୍ବରୁ ଇଡି ଫେବ୍ରୁଆରି ୯ ତାରିଖରେ ଏହାର ସତ୍ୟପାଠ ଦାଖଲ କରିଛି । ଗତ ୭ ତାରିଖରେ ସୁପ୍ରିମକୋର୍ଟ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଉପରେ ରାୟ ସଂରକ୍ଷିତ ରଖିଥିଲେ । ଇଡି ପକ୍ଷରୁ ସଲିସିଟର ଜେନେରାଲ ତୁଷାର ମେହେଟ୍ଟା ଅରବିନ୍ଦ କେଜ୍ରିୱାଲଙ୍କ ଅନ୍ତରୀଣ ଜାମିନକୁ ବିରୋଧ କରି କୋର୍ଟରେ କହିଛନ୍ତି ଯେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଅନ୍ତରୀଣ ଜାମିନ ଦେବା ରାଜନେତାଙ୍କ ପାଇଁ ଏକ ଅଲଗା ଶ୍ରେଣୀ ସୃଷ୍ଟି କରିବା ପରି ହେବ । ଗତ ଶୁଣାଣିରେ ସୁପ୍ରିମକୋର୍ଟଙ୍କ ଖଣ୍ଡପୀଠ ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କ ଓକିଲଙ୍କୁ କହିଥିଲେ, ପ୍ରଥମେ ଦେଖିବାକୁ ହେବ ଯେ ଅନ୍ତରୀଣ ଜାମିନ ପ୍ରଦାନ କରାଯାଇପାରିବ କି ନାହିଁ ।

ସମ୍ବନ୍ଧିତ ଖବର