ଶୁଖିଲା ପଡ଼ିଛି କୁଶେଇ, ବଡ଼ଗଣ୍ଡ ଏବେ କାଶତଣ୍ଡୀ ବଣ

ଆନନ୍ଦପୁର: ଶୁଖିଲା ପଡ଼ିଛି କୁଶେଇ ନଦୀ। ଯେଉଁଠି ଦିନେ ଅକାତକାତ ପାଣି ଥିଲା ଏବେ ସେଠି ମରୁଭୂମିର ଭ୍ରମ ସୃଷ୍ଟି ‌ହେଉଛି। ବଡ଼ଗଣ୍ଡ ପୋତି ହୋଇ କାଶତଣ୍ଡୀ ବଣରେ ପରିଣତ ହୋଇଛି। ଅନେକ ସ୍ଥାନରେ ନଦୀକୁ ଖୋଜିଲେ ବି ମିଳୁନି। କେନ୍ଦୁଝର ଜିଲ୍ଲାର ଅନ୍ୟତମ ପ୍ରମୁଖ ନଦୀ କୁଶେଇର ଏଭଳି ଅବସ୍ଥା ପରିବେଶବିତ୍‌ଙ୍କୁ ବ୍ୟଥିତ କରିଛି। ବୈତରଣୀର ଉପନଦୀ ଭାବେ ଜଣାଶୁଣା କୁଶେଇ ନଦୀ ହରିଚନ୍ଦନପୁର ବ୍ଲକ୍‌ର ମେଘନାଦ ପାହାଡ଼ରୁ ବାହାରିଛି। ଏହି ନଦୀ ସହ ଜିଲ୍ଲାର ପ୍ରାଚୀନ ସଂସ୍କୃତି ଯୋଡ଼ି ହୋଇଥିବା ବେଳେ ପଞ୍ଚନଦୀ ସଭ୍ୟତା ସହିତ ନିବିଡ଼ ସଂପର୍କ ରହିଛି। କୁଶେଇ ନଦୀ କୂଳ‌ ଦେଓଗାଁଠାରେ ଅଛି ପ୍ରସିଦ୍ଧ ଶୈବପୀଠ କୁଶଳେଶ୍ବରଙ୍କ ମନ୍ଦିର। ଏଠା‌ରେ ଓଡ଼ିଶାର ଦ୍ବିତୀୟ ପଥରବନ୍ଧ ମଧ୍ୟ ରହିଛି। କୁଶେଇ ହରିଚନ୍ଦନପୁର ବ୍ଲକ୍‌ର ରେବଣାପଳାଶପାଳ, ବାରିଗାଁ, ଘସିପୁରା ବ୍ଲକ୍‌ର କରଞ୍ଜିଆପାଳ, ଜଳସୁଆଁ, ଦରଡ଼ିପାଳ, ଦେଓଗାଁ, ହାତୀଶିଳା, ସରେଇଁ, ବେଲବାହାଳି, ଟୋଲଙ୍କପଡ଼ା, ନୟାଗଡ଼ ଅତିକ୍ରମ କରି ବାତୋ ଦୋମୁହାଣି ନିକଟରେ ବୈତରଣୀ ନଦୀରେ ମିଶିଛି। ଏହାର ସଙ୍ଗମ ସ୍ଥଳକୁ ନେଇ ଅନେକ ପୌରାଣିକ କିଂବଦନ୍ତି ରହିଥିବା ସାହିତ୍ୟିକ ହଳଧର ପଣ୍ଡା କହିଛନ୍ତି। ସେହିପରି ଯାଜପୁର ଜିଲ୍ଲାର ବାଙ୍ଗରକୋଟା (ତେଲିବେଡ଼ା) ନିକଟରେ କୁଶେଇ ନଦୀରେ ଷେଣ୍ଢେଇ ଓ ରେମାଳ ନଦୀ ମିଶିଛି।

ଘସିପୁରା ବ୍ଲକ୍‌ ମଦନପୁର ପଞ୍ଚାୟତ କାନପୁର ଗ୍ରାମର ବାସିନ୍ଦା ଗୋଲକ ଜେନା (୬୨) କହିଛନ୍ତି, ସେ କୁଶଳେଶ୍ବର ହାଇସ୍କୁଲରେ ପଢ଼ୁଥିବା ସମୟରେ ହାତୀଶିଳା ନିକଟରେ କୁଶେଇ ନଦୀ ପାର ହୋଇ ସ୍କୁଲକୁ ଯାଉଥିଲେ। ହାତୀଶିଳା ବାଙ୍କ ଓ ଯାଜପୁର ଜିଲ୍ଲା କରଡ଼ାପାଳ ବାଙ୍କରେ ଦୁଇଟି ବିରାଟ ଗଣ୍ଡ ଥିଲା। ଗ୍ରୀଷ୍ମଋତୁରେ ଆଖପାଖ ଗ୍ରାମର ଲୋକେ ଏହି ଗଣ୍ଡରେ ସ୍ନାନ କରୁଥିଲେ। ସ୍ଥାନୀୟ ମତ୍ସ୍ୟଜୀବୀମାନେ ଏଠାରୁ ମାଛ ଧରୁଥିଲେ। ଏବେ ଏହି ସ୍ଥାନରେ ନଦୀକୁ ଖୋଜିଲେ ବି ପାଇବା କଷ୍ଟକର। ଚାରିଆଡ଼େ କାଶତଣ୍ଡୀ ବଣ ଭର୍ତ୍ତି ହୋଇଛି। ୨୦ ନମ୍ବର ଜାତୀୟ ରାଜପଥର ବେଲବାହାଳି ପୋଲ ଉପରୁ ଦେଖିଲେ ନଦୀର କୌଣସି ଚିହ୍ନବର୍ଣ୍ଣ ନଥିବା ଭଳି ମନେହେଉଛି।
କୁଶେଇ ନଦୀ ଉପରେ ବିଭିନ୍ନ ସ୍ଥାନରେ ୧୦ରୁ ଅଧିକ ପୋଲ ନିର୍ମାଣ କରାଯାଇଛି। ତେବେ ଜଳସେଚନ ପାଇଁ ନଦୀବନ୍ଧ ନିର୍ମାଣ କରାଯାଇ ନାହିଁ। କେବଳ ହରିଚନ୍ଦନପୁର ବ୍ଲକ୍‌ର ବୁଢ଼ୀପଦାରେ କ୍ଷୁଦ୍ର ଜଳସେଚନ ବିଭାଗ ପକ୍ଷରୁ ଏକ ଜଳସେଚନ ପ୍ରକଳ୍ପ ନିର୍ମାଣ କରାଯାଇଛି। ଜଙ୍ଗଲ ଓ ଜନବସତି ମଧ୍ୟ ଦେଇ ୮୩ କିମି ଅତିକ୍ରମ କରିଥିଲେ ମଧ୍ୟ ନଦୀ ଜଳ ବିନିଯୋଗ କ୍ଷେତ୍ରରେ କୌଣସି ପଦକ୍ଷେପ ଗ୍ରହଣ କରାଯାଇ ନାହିଁ। ଘସିପୁରା, ଆନନ୍ଦପୁର ବ୍ଲକ୍‌ ମୁଖ୍ୟତଃ କୃଷିବହୁଳ ଅଞ୍ଚଳ ହୋଇଥିବା ବେଳେ ବର୍ଷ‌ାଜଳ ଉପରେ ଚାଷୀମାନେ ନିର୍ଭର କରିଥା’ନ୍ତି। ବର୍ଷା ନହେଲେ ଚାଷୀ ମରୁଡ଼ିର ସମ୍ମୁଖୀନ ହୋଇଥା’ନ୍ତି। ନଦୀର ବିଭିନ୍ନ ସ୍ଥାନରେ ରାଜସ୍ବ ବିଭାଗ ପକ୍ଷରୁ ବାଲିଘାଟ ଲିଜ୍ ଦିଆଯାଇ କୋଟି କୋଟି ଟଙ୍କା ରାଜସ୍ବ ଆଦାୟ କରାଯାଉଛି। ଏହା ସହ ବାଲି ମାଫିଆ କୁଶେଇରୁ ଅହରହ ବାଲି ଲୁଟ୍‌ କରୁଛନ୍ତି। ଏହି କାରଣରୁ କୁଶେଇ ମରିମରି ଯାଉଛି ବୋଲି ଅଭିଯୋଗ ହେଉଛି।

ସମ୍ବନ୍ଧିତ ଖବର