ନୂଆଦିଲ୍ଲୀ : ନ୍ୟାୟିକ ନିଯୁକ୍ତି କ୍ଷେତ୍ରରେ ସ୍ବଚ୍ଛତା ସପକ୍ଷରେ ସୁପ୍ରିମକୋର୍ଟ ଅଛନ୍ତି। କିନ୍ତୁ ଏ ନେଇ ଏକ ରେଖା ଟଣା ଯିବାର ଆବଶ୍ୟକତା ରହିଛି। ନ୍ୟାୟିକ ବା ବିଚାରପତି ନିଯୁକ୍ତି ବ୍ୟବସ୍ଥାରେ କେତେ ସୂଚନା ସାଧାରଣରେ ପ୍ରକାଶ ପାଇବା ଉଚିତ ଯାହା ଦ୍ବାରା କି ପ୍ରତିଷ୍ଠାନ ପ୍ରତି କୌଣସି ଆଞ୍ଚ ଆସିବ ନାହିଁ। କେହି ଅସ୍ପଷ୍ଟ ବ୍ୟବସ୍ଥା ସପକ୍ଷରେ ନାହାନ୍ତି। କେହି ଅନ୍ଧକାରରେ ରହିବାକୁ ଚାହାନ୍ତି ନାହିଁ। କେହି କାହାରିକୁ ମଧ୍ୟ ଅନ୍ଧକାରରେ ରଖିବାକୁ ଚାହାନ୍ତି ନାହିଁ। କିନ୍ତୁ ଏ ନେଇ ଏକ ରେଖା ଟଣାଯିବା ଉଚିତ। କାରଣ ସ୍ବଚ୍ଛତା ବା ସ୍ପଷ୍ଟତା ନାମରେ ତୁମେ ପ୍ରତିଷ୍ଠାନକୁ ଧ୍ବଂସ କରିପାରିବ ନାହିଁ। ପ୍ରଧାନ ବିଚାରପତି ରଂଜନ ଗୋଗୋଇଙ୍କ ଅଧ୍ୟକ୍ଷତାରେ ଗଠିତ ୫ ଜଣିଆ ସମ୍ବିଧାନ ଖଣ୍ଡପୀଠ ଆଇନଜୀବୀ ପ୍ରଶାନ୍ତ ଭୂଷଣଙ୍କୁ ଏହା ଶୁଣାଇଛନ୍ତି।
Sambad is now on WhatsApp
Join and get latest news updates delivered to you via WhatsApp
ପ୍ରଧାନ ବିଚାରପତି ଗୋଗୋଇ ନିଜର କ୍ଷୋଭ ବ୍ୟକ୍ତ କରି କହିଥିଲେ, କଲେଜିୟମର ପ୍ରତ୍ୟେକ ନିଷ୍ପତ୍ତିକୁ ରଙ୍ଗ ଦିଆଯାଉଛି, ଯାହାକି ହେବା ଉଚିତ ନୁହେଁ। ଏ ନେଇ କିଛିଟା ବିଶ୍ବାସ ବା ଆସ୍ଥା ରହିବା ଉଚିତ ବୋଲି ଗୋଗୋଇ କହିଛନ୍ତି।
୨୦୧୦ ମସିହାରେ ସୁପ୍ରିମକୋର୍ଟର ସେକ୍ରେଟାରି ଜେନେରାଲ ଏବଂ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀଙ୍କ ପକ୍ଷରୁ ହୋଇଥିବା ୩ଟି ମାମଲାର ଶୁଣାଣି ଏହି ଖଣ୍ଡପୀଠ କରିବା ବେଳେ ଉପରୋକ୍ତ ଟିପ୍ପଣୀ ଦେଇଛନ୍ତି। ୨୦୧୦ ଜାନୁଆରିରେ ଦିଲ୍ଲୀ ହାଇକୋର୍ଟ ତାଙ୍କ ରାୟରେ କହିଛନ୍ତି, ସୂଚନା ଅଧିକାର ଆଇନ-୨୦୦୫ ଅନୁଯାୟୀ, ସୁପ୍ରିମକୋର୍ଟ ଏବଂ ଭାରତର ପ୍ରଧାନ ବିଚାରପତି ହେଉଛନ୍ତି ସରକାରୀ କର୍ତ୍ତୃପକ୍ଷ ବା ପବ୍ଲିକ୍ ଅଥରିଟିଜ୍। ଦିଲ୍ଲୀ ହାଇକୋର୍ଟ ଦେଇଥିବା ରାୟ ବିରୋଧରେ ଉପରୋକ୍ତ ଆବେଦନ କରାଯାଇଛି।
ଉଲ୍ଲେଖ ଯୋଗ୍ୟ ଯେ, ସୂଚନା ଅଧିକାର କର୍ମୀ ସୁଭାଷ ଚନ୍ଦ୍ର ଅଗ୍ରୱାଲ ସୁପ୍ରିମକୋର୍ଟ ବିଚାରପତିମାନଙ୍କ ସମ୍ପତ୍ତି ସମ୍ପର୍କରେ ତଥ୍ୟ ମାଗିଥିଲେ। ମୁଖ୍ୟ ସୂଚନା କମିସନ ଏହା ଦେବାକୁ ନିର୍ଦ୍ଦେଶ ଦେଇଥିଲେ। ମୁଖ୍ୟ ସୂଚନା କମିସନଙ୍କ ନିର୍ଦ୍ଦେଶ ଦିଲ୍ଲୀ ହାଇକୋର୍ଟରେ ମଧ୍ୟ କାଏମ ରହିବା ସହିତ ହାଇକୋର୍ଟ ସୁପ୍ରିମକୋର୍ଟଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀଙ୍କୁ ଏହି ତଥ୍ୟ ଦେବାକୁ ନିର୍ଦ୍ଦେଶ ଦେଇଥିଲେ।
ତେବେ ସମ୍ବିଧାନ ଖଣ୍ଡପୀଠ ଏହି ମାମଲାର ରାୟ ସଂରକ୍ଷିତ ରଖିଛନ୍ତି। ଏହି ଖଣ୍ଡପୀଠରେ ଥିବା ଅନ୍ୟ ବିଚାରପତିମାନେ ହେଲେ ଏନ ଭି ରମନ୍ନା, ଡି ୱାଇ ଚନ୍ଦ୍ରଚୂଡ଼, ଦୀପକ ଗୁପ୍ତା ଏବଂ ସଂଜୀବ ଖାନ୍ନା।
ପ୍ରଧାନ ବିଚାରପତି ଏହା ମଧ୍ୟ କହିଛନ୍ତି, ଅନେକ ଭଲ ଲୋକ ଯୋଉଁମାନଙ୍କୁ ବିଚାରାପତି ଭାବେ ନିଯୁକ୍ତି ଦେବାକୁ ବିବେଚନା କରାଯାଉଛି ପରବର୍ତ୍ତୀ ସମୟରେ ସେମାନେ ଏଥିପାଇଁ ରାଜି ହେଉ ନଥିବା କଲେଜିୟମ ଅନୁଭବ କରୁଛନ୍ତି। ସେମାନଙ୍କ ସମ୍ପର୍କରେ ସର୍ବସାଧାରଣରେ ଭୁଲରେ ହେଉ କିମ୍ବା ଠିକରେ ଯେଉଁ ନକାରାତ୍ମକ ତଥ୍ୟ ପ୍ରସାର ହେବାର ସମ୍ଭାବନା ରହିଛି ତାହା ଏହାର ଏକ କାରଣ ବୋଲି ଆଲୋଚନାବେଳେ ଶ୍ରୀ ଗୋଗୋଇ ଜାଣିବାକୁ ପାଇଛନ୍ତି। ଏହା ସେମାନଙ୍କ ବୃତ୍ତିଗତ ଜୀବନ, ପାରିବାରିକ ଜୀବନକୁ ପ୍ରଭାବିତ କରୁଛି।