ଜୟଦେବ ଉତ୍ସବ-୨୦୧୮ : ଗୀତଗୋବିନ୍ଦ ଓ ଜଗନ୍ନାଥଙ୍କୁ ନେଇ ଚିତ୍ର ଆଙ୍କିଲେ କୁନି ପ୍ରତିଯୋଗୀ

ଭୁବନେଶ୍ୱର : ପବିତ୍ର ଅକ୍ଷୟ ତୃତୀୟା ଓ ଶ୍ରୀଜୟଦେବଙ୍କ ଜୟନ୍ତୀ ଅବସରରେ ‘ଜୟଦେବ ଉତ୍ସବ-୨୦୧୮’ ଜୟଦେବ ଭବନଠାରେ ପାଳିତ ହୋଇଯାଇଛି। ଏହି ଅବସରରେ ପୂର୍ବାହ୍ନରେ କୁନି କୁନି ପିଲାଙ୍କ ମଧ୍ୟରେ ‘ଶ୍ରୀ ଗୀତଗୋବିନ୍ଦ ଓ ଶ୍ରୀ ଜଗନ୍ନାଥ’ ଶୀର୍ଷକ ଚିତ୍ରାଙ୍କନ ପ୍ରତିଯୋଗିତା ଆୟୋଜନ କରାଯାଇଥିଲା। ଏଥିରେ ମୁଖ୍ୟ ଅତିଥି ଭାବେ ଟିମ୍‌ ଆଡ୍‌ମାର୍କ ଅଧ୍ୟକ୍ଷ ନିଶିକାନ୍ତ ମିଶ୍ର ଯୋଗ ଦେଇଥିଲା ବେଳେ ସମ୍ମାନିତ ଅତିଥି ଭାବେ ଭାରତୀୟ ଶିକ୍ଷା ବିକାଶ ସଂସ୍ଥାନର ସମ୍ପାଦକ ଡ. କରୁଣାକର ପ୍ରଧାନ, ଭେଙ୍କଟେଶ୍ୱର ଇଂରାଜୀ ମାଧ୍ୟମ ସ୍କୁଲ୍‌ର ସମ୍ପାଦିକା କ୍ରିଷ୍ଣାକୁମାରୀ ଦେବୀ ଯୋଗଦେଇ ଆମର ସଂସ୍କୃତି ଓ ପରମ୍ପରାକୁ ବଜାୟ ରଖିବା ପାଇଁ ପିଲାମାନଙ୍କୁ ପରାମର୍ଶ ଦେଇଥିଲେ। କଳ୍ପତରୁ ଆର୍ଟ ଆଣ୍ଡ କ୍ରାଫ୍ଟର ସଭାପତି ଜୋତ୍ସ୍ନାରାଣୀ ପଣ୍ଡା ଏଥିରେ ସଭାପତିତ୍ୱରେ କରିଥିଲେ। ବିଭିନ୍ନ ସ୍କୁଲରୁ ୧୨୦ ଜଣ ଛାତ୍ରଛାତ୍ରୀ ପ୍ରତିଯୋଗିତାରେ ଭାଗନେଇଥିଲେ। ଏହା ପରେ ଶିଳ୍ପୀ ପ୍ରତିଭା ସମ୍ମାନରେ କୈଳାସ ନାୟକ,ଲୋକନାଥ ନନ୍ଦ ଓ କଳାଶିକ୍ଷକ ମନୋଜ କୁମାର ବେହେରାଙ୍କୁ ସମ୍ମାନିତ କରାଯାଇଥିଲା। ବନ୍ଦେ ଉତ୍କଳ ଜନନୀ ଗାନ କରି ବିଶ୍ୱ ରେକର୍ଡ କରିଥିବା ରସୁଲଗଡ଼, କଣ୍ଟାବାଡ଼, ଘାଟିକିଆ ଓ ଭରତପୁରର ସରସ୍ୱତୀ ଶିଶୁବିଦ୍ୟା ମନ୍ଦିରକୁ ସମ୍ବର୍ଧିତ କରାଯାଇଥିଲା। ଓଡ଼ିଶୀ ନୃତ୍ୟ ଶିଳ୍ପୀ ସୁଲଗ୍ନା ପତି ଓ ତାଙ୍କର ସାଥୀ, କଣ୍ଠଶିଳ୍ପୀ ସିଦ୍ଧାର୍ଥ ଶତପଥୀ, ଲିପସ୍‌ା ମିଶ୍ର ଓ ସାୟରି ଶ୍ୱେତାସ୍ୱିନୀଙ୍କୁ ସମ୍ବର୍ଧିତ କରାଯାଇଥିଲା। ପୂର୍ଣ୍ଣତ୍ରେୟ ପାଇକରାୟ ଓଡ଼ିଶୀରେ ଗୀତଗୋବିନ୍ଦର ଭୂମିକା ଉପରେ ଆଲୋଚନା କରିଥିଲେ। କାର୍ଯ୍ୟକ୍ରମକୁ ଚିନ୍ତାମଣି ବିଶ୍ୱାଳ ଉପସ୍ଥାପନା କରିଥିବା ବେଳେ କଳ୍ପଶ୍ରୀ ଜଗଦେବ ପରିଚାଳନା କରିଥିଲେ।

ସମ୍ବନ୍ଧିତ ଖବର