ମାଲିକର ମୃତ୍ୟୁ ହୋଇ ସାରିଥିବା କଥା ନ ଜାଣି ସପ୍ତାହେ ପର୍ଯ୍ୟନ୍ତ ଡ଼ାକ୍ତରଖାନା ବାହାରେ ଅପେକ୍ଷା କରି ବସିଥିଲା ପୋଷା କୁକୁର

ନୂଆଦିଲ୍ଲୀ: ଯେତେବେଳେ ଜଣେ ବିଶ୍ୱସ୍ତ ବନ୍ଧୁର କଥା ଉଠେ, ସେତେବେଳେ କୌଣସି ମଣିଷର ନାଁ ପାଟିକୁ ଆସିବା ପୂର୍ବରୁ, ଗୋଟେ କୁକୁରର ନାଁ ପାଟିକୁ ଆସି ଯାଇଥାଏ । ପୂର୍ବରୁ କିଛି କୁକୁରଙ୍କୁ ନେଇ ଅବିଶ୍ୱସନୀୟ କାହାଣୀ ସାମ୍ନାକୁ ଆସି ସାରିଥିବା ବେଳେ ଆଜି ଆମେ ନିଜ ମାଲିକ ପ୍ରତି କୁକୁରର କେତେ ଭଲ ପାଇବା ତାହା ଜଣାଇବୁ । ଘଟଣାଟି ଘଟିଛି ଆର୍ଜେଣ୍ଟିନାରେ । ଟୋମୋ ନାମକ କୁକୁର ପାଳିଥିବା ଜଣେ ଯୁବକଙ୍କର ହଠାତ୍‌ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଡ଼ାକ୍ତରଖାନା ନିଆ ଯାଇଥିଲା । ଏହା ପରେ ଯୁବକଜଣଙ୍କ ନିଜ କୁକୁର ଟୋମୋକୁ ଦେଖିବାକୁ ଚାହୁଁଥିବାରୁ ପରିବାର ଲୋକେ ଟୋମୋକୁ ଡ଼ାକ୍ତରଖାନାରେ ନେଇ ପହଞ୍ଚିଥିଲେ । କିନ୍ତୁ ଯୁବକଙ୍କ ମୃତ୍ୟୁ ପରେ ପରିବାର ଲୋକେ ଟୋମୋଙ୍କୁ ଡ଼ାକ୍ତରଖାନାରୁ ଆଣିବାକୁ ଭୁଲି ଯାଇଥିଲେ ।

indiatimes.com

ଅନ୍ୟ ପକ୍ଷରେ, ନିଜ ମାଲିକର ଫେରିବା ବାଟକୁ ଚାହିଁ ଟୋମୋ ପ୍ରାୟ ସପ୍ତାହେ ପର୍ଯ୍ୟନ୍ତ ଡ଼ାକ୍ତରଖାନା ବାହାରେ ବସି ରହିଥିଲା । କେତେବେଳେ ତା’ ମାଲିକ ଆସି ତା’କୁ ଘରକୁ ନେବେ, ସେହି ଆଶାରେ ଟୋମୋ ଡ଼ାକ୍ତରଖାନା ବାହାରେ ବସି ରହିଥିଲା ବୋଲି ଜଣା ପଡ଼ିଛି । ପରେ ମୃତ ଯୁବକଙ୍କ ପରିବାର ଲୋକେ ଟୋମୋଙ୍କୁ ଘରକୁ ନେଇଥିଲେ ମଧ୍ୟ ସେ ପୁଣି ଡ଼ାକ୍ତରଖାନାକୁ ଚାଲି ଆସିଥିଲେ । ଏଭଳି ହେବା ପରେ ଡ଼ାକ୍ତରଖାନା କର୍ତ୍ତୃପକ୍ଷ ଟୋମୋକୁ ସ୍ଥାନୀୟ ପଶୁ ସୁରକ୍ଷା ସଂସ୍ଥାକୁ ହସ୍ତାନ୍ତର କରିଥିଲେ । ଏହି ଖବର ପାଇବା ପରେ ସ୍ଥାନୀୟ ପଶୁ ସୁରକ୍ଷା ସଂସ୍ଥାର ସଦସ୍ୟ ଫାତିମା କହିଛନ୍ତି କି, ଯଦି କେହି ଟୋମୋକୁ କିଣିବାକୁ ଚାହୁଁଛି, ତେବେ ତାକୁ ନେଇ ବାନ୍ଧି ରଖିବାକୁ ହେବ । କାରଣ ତାକୁ ଖୋଲା ଛାଡ଼ିଦେଲେ ସେ ପୁଣି ଡ଼ାକ୍ତରଖାନରେ ଆସି ପହଞ୍ଚି ଯାଉଛି ।

ସମ୍ବନ୍ଧିତ ଖବର