ତାଳଡ଼ିହା ଗ୍ରାମବାସୀ ପାନୀୟ ଜଳ ପାଇଁ ଡହଳ: ଉପଜିଲ୍ଲାପାଳଙ୍କ ଦ୍ଵାରସ୍ଥ ହେଲେ ଲୋକେ

ରାଇରଙ୍ଗପୁର: ଗାଁ ଗଣ୍ଡାର ନଦୀ, ନାଳ, ପୋଖରୀ କୂଅ ସବୁ ଶୁଖିଗଲାଣି। ଜଳ ସ୍ତର ମଧ୍ୟ ହ୍ରାସ ପାଇଲାଣି। ଦିନକୁ ଦିନ ଚାଲିଛି ଗ୍ରୀଷ୍ମ ତାପର ପ୍ରକୋପ ବୃଦ୍ଧି। ୪୪  ଡିଗ୍ରିରୁ ଅଧିକ ତାପମାତ୍ରାରେ ସିଝୁଛି ସାରା ଓଡ଼ିଶା। ଖରା ଯେତେ ବଢୁଛି ପିଇବା ପାଣି ସମସ୍ୟା ସେତେ ଉତ୍କଠ ଦେଖାଦେଇଛି। ସରକାର ଲୋକଙ୍କୁ ବିଶୁଦ୍ଧ ପାନୀୟ ଜଳ ଯୋଗାଣ ପାଇଁ କୋଟି କୋଟି ଟଙ୍କାର ପ୍ରକଳ୍ପ କରୁଛନ୍ତି ହେଲେ କୌଣସି ନା କୌଣସି କାରଣରୁ ମନ୍ଥର ଗତିରେ ନିର୍ମାଣ ଚାଲୁଥିବା ପ୍ରକଳ୍ପ ଯୋଗୁଁ ପ୍ରକଳ୍ପରେ ପାଣି ଉପଲବ୍ଧ ହୋଇ ପାରୁନାହିଁ । କେଉଁଠି ବିଦ୍ୟୁତ ସଂଯୋଗ ନାହି ତ କେଉଁଠି ପାଇପ ବିଛା ସରିନାହିଁ ତ କେଉଁଠି ଓଭର ହେବ ଟ୍ଯାଙ୍କ ନିର୍ମାଣ ସରିନାହିଁ । ଯାହାଫଳରେ ଲୋକେ ପିଇବା ପାଣିରୁ ବଂଞ୍ଚିତ ହେଉଛନ୍ତି।

ମୟୂରଭଞ୍ଜ ଜିଲ୍ଲା ବିଜାତଳା ବ୍ଳକର ବଣକାଟି ପଞ୍ଚାୟତର ୧୦୦୦ ରୁ ଊର୍ଦ୍ଧ୍ବ ଗ୍ରାମବାସୀ ଥିବା ତାଳଢ଼ିଆ ଗ୍ରାମରେ ଜଳ ସଂକଟ ଦେଖାଦେଇଛି। ଗ୍ରାମବାସୀଙ୍କ ଅଭିଯୋଗ ଅନୁଯାୟୀ ଗ୍ରାମରେ  ୫ଟି ନଳକୂପରୁ ଗୋଟିଏ କାର୍ଯ୍ୟକ୍ଷମ ଅଛି। ସେଥିରୁ ମଧ୍ୟ ନାଲିଆ ପାଣି ବାହାରୁଛି। ପୋଖରୀ, ନାଳ ମଧ୍ୟ ଶୁଖିଗଲାଣି। ଗୋରୁଗାଈ, ଛେଳି, ବୁଢ଼ାବୁଢ଼ୀ, ମହିଳାମାନେ ଶୌଚ ପାଇଁ ପାଇଁ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି। ସରପଞ୍ଚକୁ କହିଲେ ସେ ଅସହାୟ। ସରକାରଙ୍କ ବସୁଧା ଯୋଜନାଠାରୁ ଆରମ୍ଭ କରି ପ୍ରତ୍ୟେକ ଘରେ ଡ୍ରିଙ୍କ ଫ୍ରମ ଟେପ୍ ଯୋଜନା ଲୋକଙ୍କ କାମରେ ଲାଗୁନାହିଁ। ବାଧ୍ୟ ହୋଇ ଆଜି ତାଳଢ଼ିହା ଗ୍ରାମବାସୀ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟକୁ ଆସି ପାଣି ସମସ୍ୟା ସମାଧାନ ପାଇଁ ଲିଖିତ ଗୁହାରି ଜଣାଇଛନ୍ତି। ଆଗାମୀ ଦିନରେ ପାନୀୟ ଜଳ ସମସ୍ୟା ସମାଧାନ ନ ହେଲେ ଚଳିତ ସାଧାରଣ ନିର୍ବାଚନରେ ଭୋଟ ବର୍ଜନ କରିବେ। ପାଣି ନାହିଁ ତ ଭୋଟ ନାହିଁ ନାହିଁ ବୋଲି ଚେତାବନୀ ଦେଇଛନ୍ତି ଗ୍ରାମବାସୀ। ଦାବି ପତ୍ର ପ୍ରଦାନ ସମୟରେ ଗ୍ରାମର ଓ୍ବାର୍ଡ ମେମ୍ବର ସଲାରାମ ସୋରେନ, ମଦନ ମୁର୍ମୁ, କାପୁରା ହାଁସଦା, ପିତାମ୍ବର ସୋରେନ, ମନା ମୁର୍ମୁଙ୍କ ସମେତ ଅନ୍ୟ ଗ୍ରାମବାସୀ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର