କେନାଲରେ ପାଣି ଛାଡ଼ିବା ଦାବିରେ ଚାଷୀଙ୍କ ରାସ୍ତା ଅବରୋଧ

ଭେଡ଼େନ: ବରଗଡ଼ ଜିଲ୍ଲା ଭେଡ଼େନ ବ୍ଲକ୍‌ ଅନ୍ତର୍ଗତ ମାଇନର କେନାଲରେ ପାଣି ଅଭାବରୁ ନଷ୍ଟ ହେଉଛି ଧାନ ଫସଲ। ଏହାର ପ୍ରତିବାଦରେ ଚାଷୀମାନେ ଆଜି ଆନ୍ଦୋଳନକୁ ଓହ୍ଲାଇଥିଲେ। ମରିଯାଇଥିବା ଧାନର କ୍ଷୟକ୍ଷତି ଆକଳନ କରି କ୍ଷତିପୂରଣ ଓ ୧୫ ତାରିଖ ପର୍ଯ୍ୟନ୍ତ କେନାଲରେ ପାଣି ଛାଡ଼ିବା ଦାବି କରି ଶନିବାର ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୋଡ଼ଭଗା-ତୁରୁମ ରାସ୍ତାର ଗର୍ଭନା ଛକରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ। ଚାଷୀଙ୍କ କହିବା ହେଲା, ଭେଡ଼େନ ବ୍ଲକ ପପଙ୍ଗା, ଭାଙ୍ଗକୁଦ, ସିଆଲଖଣ୍ଡହତା, ଋଷୁଡ଼ା ଆଦି ମାଇନର କେନାଲରେ କିଛିଦିନ ହେବ ପାଣି ଆସୁନି। ଫଳରେ ବିଭିନ୍ନ ଗ୍ରାମର ଏକର ଏକର ଜମିରେ ହୋଇଥିବା ଧାନ ଫସଲ ପାଣି ଅଭାବରୁ କ୍ଷୟକ୍ଷତି ହୋଇଛି। ଏହାକୁ ନେଇ ଚାଷୀମାନେ ଆଜି ସକାଳ ୬ଟାରୁ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଗୋଡ଼ଭଗା-ତୁରୁମ ରାସ୍ତାର ଗର୍ଭନା ଛକରେ ଚାଷୀମାନେ ରାସ୍ତା ଅବରୋଧ କରିଥିଲେ।

ଋଷୁଡ଼ା ଫାଣ୍ଡି ଅଧିକାରୀ ପ୍ରମୋଦ ସାହୁ, ଭେଡ଼େନ ଥାନାଧିକାରୀ ପ୍ରେମଜିତ ଦାଶ, ତହସିଲଦାର ଗୌରବ ବର୍ଗେ, ଏସ୍‌ଡିଓ ମହେନ୍ଦ୍ର କୁଅଁର ପ୍ରମୁଖ ଆସି ବୁଝାସୁଝା କରିଥିଲେ। ପରେ ଏସ୍‌ଡିପିଓ  ପଦାରବିନ୍ଦ ତ୍ରିପାଠୀ, ଏଏସ୍‌ପି  ସୁରେଶ ନାଏକ, କେନାଲ ବିଭାଗର ଏସ୍‌ଇ ପ୍ରଦୀପ ସାମଲ ପ୍ରମୁଖ ଘଟଣାସ୍ଥଳକୁ ପହଞ୍ଚି ସମାଧାନ କରିଥିଲେ। ଏସ୍‌ଇ ଶ୍ରୀ ସାମଲ  ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ କେନାଲରେ ପାଣି ଆସିବା ନେଇ ବିଭାଗୀୟ ଚିଠି ଦେଲାପରେ ଓ ତହସିଲଦାର ଶ୍ରୀ ବର୍ଗେ କ୍ଷୟକ୍ଷତି ଆକଳନ କରି ଉଚ୍ଚ ପଦାଧିକାରୀ ଓ ସରକାରଙ୍କୁ ଜଣାଇବୁ ବୋଲି ପ୍ରତିଶ୍ରୁତି ଦେଲାପରେ ଅପରାହ୍ନ ୨ଟାରେ ରାସ୍ତା ଅବରୋଧ ହଟିଥିଲା। ଚାଷୀମାନେ ରାସ୍ତା ଉପରେ ରୋଷେଇ କରି ଅଟକ ରହିଥିବା ଗାଡ଼ିଗୁଡ଼ିକର ଚାଳକ, ହେଲପର ଓ ଯାତ୍ରୀଙ୍କୁ ଚାଷୀମାନେ ଖାଇବାକୁ ଦେଇଥିଲେ। ଏହି ରାସ୍ତା ଅବରୋଧ ସମୟରେ ଭେଡ଼େନ ଚାଷୀ ସଂଗଠନର ନରେନ୍ଦ୍ର ଭୋଇ, ସୁଦାମ ପାତ୍ର, ନନ୍ଦିଘୋଷ ମିଶ୍ର, ବିଜୟ ଲହରିଆଙ୍କ ସମେତ ଅନେକ କର୍ମକର୍ତ୍ତା ଆଲୋଚନାରେ ଭାଗ ନେଇଥିଲେ।

ସମ୍ବନ୍ଧିତ ଖବର