ଜୟନାରାୟଣ ପଟ୍ଟନାୟକ ପୁରୀ ଲୋକସଭା କଂଗ୍ରେସ ପ୍ରାର୍ଥୀ

ସୁଚରିତା ଟିକେଟ ଫେରାଇଦେଲେ

ପୁରୀ: ପୁରୀ ଜିଲ୍ଲା କଂଗ୍ରେସରେ ଅଡ଼ୁଆ ସ୍ଥିତି ଉପୁଜିଛି। ଆରମ୍ଭରୁ ପ୍ରାର୍ଥୀ ସଂକଟକୁ ନେଇ କଲବଲ ହୋଇଥିବା କଂଗ୍ରେସ ଏବେ ଟିକେଟ ବଣ୍ଟନକୁ ନେଇ ହରଡ଼ଘଣାରେ ପଡ଼ିଛି। କଂଗ୍ରେସର ପୁରୀ ଲୋକସଭା ପ୍ରାର୍ଥୀ ସୁଚରିତା ମହାନ୍ତି ଆଜି ତାଙ୍କ ଟିକେଟ ଫେରାଇ ଦେଇଛନ୍ତି। ନିର୍ବାଚନ ଲଢ଼ିବାରେ ଦଳର ଆର୍ଥିକ ସହଯୋଗରେ ଅବହେଳା ଓ ବିଭିନ୍ନ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ କାରଣରୁ ଟିକେଟ ଫେରାଇ ଦେଇଥିବା ସୁଚରିତା କହିଛନ୍ତି। ପ୍ରାର୍ଥିପତ୍ର ନାମାଙ୍କନକୁ ଆଉ ଦୁଇଦିନ ବାକି ଥିବାବେଳେ ଶେଷ ମୁହୂର୍ତ୍ତରେ ସୁଚରିତାଙ୍କ ଏହି ନିଷ୍ପତ୍ତି ଦଳରେ କମ୍ପନ ସୃଷ୍ଟି କରିଛି। ଏଭଳି ସ୍ଥିତିରେ ଦଳ ବିଳମ୍ବିତ ରାତିରେ ଜୟନାରାୟଣ ପଟ୍ଟନାୟକଙ୍କୁ ପୁରୀ ସଂସଦୀୟ କ୍ଷେତ୍ର ପାଇଁ ପ୍ରାର୍ଥୀ ଘୋଷଣା କରିଛି।

ସୁଚରିତା କହିଛନ୍ତି, ସେ ଖୁସି କି ଦଳ ତାଙ୍କ ଉପରେ ଭରସା କରି ପୁରୀ ଲୋକସଭା ଆସନରୁ ଲଢ଼ିବାକୁ ସୁଯୋଗ ଦେଇଥିଲା। କିନ୍ତୁ ନିର୍ବାଚନ ଲଢ଼ିବାକୁ ଯେଉଁ ଅର୍ଥ ଦରକାର, ତାଙ୍କ ପାଖରେ ନାହିଁ। ସେ ଦଳ ଉପରେ ଭରସା କରିଥିଲେ। କିନ୍ତୁ ନିର୍ବାଚନ ଲଢ଼ିବାକୁ ଦଳ କୌଣସି ଆର୍ଥିକ ସହଯୋଗ ଯୋଗାଇଦେବାକୁ ମନା କରି ଦେଇଥିଲା। ତଥାପି ସାମାଜିକ ଗଣମାଧ୍ୟମରେ ଆର୍ଥିକ ସହଯୋଗ ପାଇଁ ସେ ନିବେଦନ କରିଥିଲେ। ଏଥିରେ ବି ବିଫଳ ହେଲେ। ସେପଟେ ପୁରୀ ଲୋକସଭା ଆସନ ଅଧୀନରେ ରହିଥିବା ବିଭିନ୍ନ ବିଧାନସଭା ଆସନରେ ଦୁର୍ବଳ ପ୍ରାର୍ଥୀ ଦିଆଯାଇଛି। ଏଥିରେ ପରିବର୍ତ୍ତନ ପାଇଁ କହିଥିଲି। ସବୁ ଦିଗରୁ ବିଫଳ ହେବା ପରେ ସେ ଟିକେଟ ଫେରାଇ ଦେଇଥିବା କହିଛନ୍ତି। ସୂଚନାଯୋଗ୍ୟ, ଆଜି ବିଳମ୍ବିତ ରାତିରେ କଂଗ୍ରେସ ସାଧାରଣ ସମ୍ପାଦକ କେ.ସି. ଭେନୁଗୋପାଳ ଶ୍ରୀ ପଟ୍ଟନାୟକଙ୍କ ପ୍ରାର୍ଥିତ୍ବ ନେଇ ବିଜ୍ଞପ୍ତି ଜାରି କରିଛନ୍ତି।

ସମ୍ବନ୍ଧିତ ଖବର