ଗୀତା-ବବିତାଙ୍କୁ ବଳିଲେ ବିନେଶ

ଜାକର୍ତା/ପାଲେମବାଙ୍ଗ: ଅଷ୍ଟାଦଶ ଏସୀୟ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତି ବିନେଶ ଫୋଗଟ ଭାରତୀୟ କୁସ୍ତିରେ ନୂଆ ଅଧ୍ୟାୟ ଯୋଡ଼ିଛନ୍ତି। ତା’ ସହ ଫୋଗଟ ପରିବାରର କୁସ୍ତି ପରମ୍ପରାକୁ ଆହୁରି ଜାଜ୍ଜୁଲ୍ୟମାନ କରିଛନ୍ତି। ଭାରତୀୟ ମହିଳା କୁସ୍ତିରେ ନାଟକୀୟ ପରିବର୍ତନ ଆଣିବାରେ ପ୍ରମୁଖ ଭୂମିକା ତୁଲାଇଥିବା ହରିଆଣାର ‘ଫୋଗଟ ପରିବାର’ ସହ ତାଙ୍କର ରକ୍ତ ସଂପର୍କ ରହିଛି। ଭାରତୀୟ ମହିଳା କୁସ୍ତିର ମହାନାୟିକା ଗୀତା ଏବଂ ବବିତା ଫୋଗଟଙ୍କର ସେ ହେଉଛନ୍ତି ଦାଦା ଝିଅ ଭଉଣୀ। ହେଲେ ଏସୀୟ ପ୍ରଦର୍ଶନରେ ସେ ଗୀତା-ବବିତାଙ୍କୁ ବି ବଳି ଯାଇଛନ୍ତି। ଗୀତା ଓ ବବିତା ଯାହା କରି ପାରି ନାହାନ୍ତି ସେ ତାହା କରି ଦେଖାଇଛନ୍ତି।
୧୯୯୪ ମସିହା ଅଗଷ୍ଟ ୨୫ ତାରିଖରେ ହରିଆଣାର ବଲାଲି ଗାଁରେ ଜନ୍ମ ଗ୍ରହଣ କରିଥିବା ବିନେଶ ହେଉଛନ୍ତି ଗୀତା ଓ ବବିତାଙ୍କ ପିତା ତଥା ପ୍ରସିଦ୍ଧ କୁସ୍ତି ଗୁରୁ ମହାବୀର ସିଂହ ଫୋଗଟଙ୍କ ସାନ ଭାଇ ରାଜପାଲ ସିଂହ ଫୋଗଟଙ୍କ ଝିଅ। କୁସ୍ତିକୁ ପେସା କଲା ବେଳେ ଗୀତା ଓ ବବିତାଙ୍କ ଭଳି ସେ ମଧ୍ୟ ନାନା ଟାହି ଟାପରାର ସମ୍ମୁଖୀନ ହୋଇଥିଲେ। ହେଲେ ଏହାକୁ ଭ୍ରୁକ୍ଷେପ ନ କରି ଆଗେଇ ଚାଲିବା ସହ ଆଜି ସଫଳତାର ଶୀର୍ଷ ଛୁଇଁଛନ୍ତି। କୁସ୍ତି ଜୀବନ ଆରମ୍ଭ କଲା ବେଳେ ବିନେଶ ୪୮ କିଲୋଗ୍ରାମରେ ପ୍ରତିଦ୍ୱନ୍ଦ୍ୱିତା କରୁଥିଲେ। ଏଥିରେ ସେ ୨୦୧୪ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ସ୍ୱର୍ଣ୍ଣ ପଦକ ଜିତିଥିଲେ। ତେବେ ତାଙ୍କ ପଦକ ବିଜୟ ଧାରା ୨୦୧୩ ମସିହାରୁ ଆରମ୍ଭ ହୋଇ ଯାଇଥିଲା। ସେହିବର୍ଷ ଦକ୍ଷିଣ ଆଫ୍ରିକାର ଜୋହାନେସବର୍ଗରେ ଆୟୋଜିତ ରାଜ୍ୟଗୋଷ୍ଠୀ କୁସ୍ତି ଚାମ୍ପିଅନ୍‌ସିପ୍‌ ସହ ନୂଆଦିଲ୍ଲୀ ଏସୀୟ ଚାମ୍ପିଅନ୍‌ସିପରେ କାଂସ୍ୟ ପଦକ ଜିତି ବିନେଶ ଅନ୍ତର୍ଜାତୀୟ ସଫଳତାର ସ୍ୱାଦ ଚାଖିଥିଲେ। ଉଭୟ ପ୍ରତିଯୋଗିତାରେ ସେ ୫୧ କିଲୋଗ୍ରାମ ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ। ବର୍ଷକ ପରେ ଗ୍ଲାସ୍‌ଗୋ ରାଜ୍ୟଗୋଷ୍ଠୀ କ୍ରୀଡ଼ା ସ୍ୱର୍ଣ୍ଣ ଜିତିବା ପରେ ୨୦୧୫ ଦୋହା ଏସୀୟ ଚାମ୍ପିଅନସିପରେ ସେ ରୌପ୍ୟ ପଦକ ହାସଲ କରିଥିଲେ। ସେହିଭଳି ୨୦୧୬ ବ୍ୟାଙ୍କକ୍‌ ଏସୀୟ ଚାମ୍ପିଅନସିପ୍‌ରେ କାଂସ୍ୟ (୫୧ କିଲୋଗ୍ରାମ), ୨୦୧୭ ନୂଆଦିଲ୍ଲୀ ଏସୀୟ ଚାମ୍ପିଅନସିପ୍‌ରେ ରୌପ୍ୟ (୫୫ କିଲୋଗ୍ରାମ) ଏବଂ ଚଳିତ ବର୍ଷର ବିସକେକ୍‌ ଏସୀୟ ଚାମ୍ପିଅନସିପରେ ବିନେଶ ରୌପ୍ୟ ପଦକ ଜିତିଥିଲେ। ଚଳିତ ବର୍ଷ ଗୋଲ୍ଡକୋଷ୍ଟ ରାଜ୍ୟଗୋଷ୍ଠୀ କ୍ରୀଡ଼ାରେ ମଧ୍ୟ ସେ ସ୍ୱର୍ଣ୍ଣିମ ସଫଳତା ଲାଭ କରିଥିଲେ। ଜାକର୍ତାରେ ସ୍ୱର୍ଣ୍ଣ ଜିତିବା ପୂର୍ବରୁ ୨୦୧୪ ଇଞ୍ଚିଅନ୍‌ ଏସୀୟକ୍ରୀଡ଼ାରେ କାଂସ୍ୟ ପଦକ ପାଇଥିଲେ। ବିବାହ ପରେ କୁସ୍ତି ଆଖଡ଼ାରୁ ଦୂରେଇ ରହିଥିବା ଗୀତାଙ୍କୁ ୨୩ ବର୍ଷୀୟା ବିନେଶ ନିଜ ଆଦର୍ଶ ମାନନ୍ତି। ସେହିଭଳି ଗୀତାଙ୍କ ଜୀବନୀକୁ ନେଇ ନିର୍ମିତ ଚଳଚ୍ଚିତ୍ର ‘ଦଙ୍ଗଲ’ରୁ ପ୍ରେରଣା ନେଇ ସଫଳ ହୋଇଥିବା କହିଛନ୍ତି। ବିନେଶ ଗୀତା-ବବିତାଙ୍କ ପିତା ମହାବୀରଙ୍କଠାରୁ ପ୍ରଶିକ୍ଷଣ ନେଉଥିଲା ବେଳେ ତାଙ୍କ ନିଜ ଉଭଣୀ ପ୍ରିୟଙ୍କା ଫୋଗଟ ମଧ୍ୟ ଜଣେ ଅନ୍ତର୍ଜାତୀୟ କୁସ୍ତି ତାରକା। କୁସ୍ତି କ୍ଷେତ୍ରରେ ଅନନ୍ୟ ସଫଳତା ଲାଗି ତାଙ୍କୁ ସମ୍ମାନଜନକ ଅର୍ଜୁନ ପୁରସ୍କାର ମିଳି ସାରିଛି।

ସମ୍ବନ୍ଧିତ ଖବର