ଏଥର କଳିଙ୍ଗରେ ସ୍ପୋର୍ଟସ୍‌ କ୍ଲାଇମ୍ବିଂ

ପ୍ରଶିକ୍ଷଣ ଶିବିର ୨୧ରୁ, ରାଜ୍ୟ ପ୍ରତିଯୋଗିତା ୨୩ରୁ

ଭୁବନେଶ୍ୱର: ଓଡ଼ିଶା ସ୍ପୋର୍ଟସ୍‌ କ୍ଲାଇମ୍ବି ସଂଘ ଆନୁକୁଲ୍ୟରେ ଦ୍ୱିତୀୟ ଥର ପାଇଁ ରାଜ୍ୟ ସ୍ପୋର୍ଟସ୍‌ କ୍ଲାଇମ୍ବିଂ ପ୍ରତିଯୋଗିତା ଚଳିତ ମାସ ୨୩ ଓ ୨୪ ତାରିଖରେ ଆୟୋଜିତ ହେବ। ଏଥି ସହିତ ଏହି କ୍ରୀଡ଼ା କଳିଙ୍ଗ କଳିଙ୍ଗ ଷ୍ଟାଡିୟମ୍‌ର ସ୍ପୋର୍ଟସ୍‌ କ୍ଲାଇମ୍ବିଂ କଂପ୍ଲେକ୍ସରେ ପଦାର୍ପଣ କରିବ। ଏହି ପ୍ରତିଯୋଗିତା ଦୁଇଦିନ ଧରି ଚାଲିବ। ୧୫ ମିଟର ତଥା ପ୍ରାୟ ୪୫ ଫୁଟ ଓ୍ଵାଲ୍‌ରେ ପ୍ରତିଯୋଗୀମାନେ ଚଢ଼ିବେ। ସ୍ପିଟ୍‌ ଓ ଲିଡ୍‌ରେ ହିଁ ରାଜ୍ୟ ପ୍ରତିଯୋଗିତା ହେବ। ଏଥିରେ ଉଭୟ ପୁରୁଷ ଓ ମହିଳା ପ୍ରତିଯୋଗୀମାନେ ଭାଗ ନେଇ ପାରିବେ। ଉପକନିଷ୍ଠ (୧୩ରୁ ୧୫ ବର୍ଷ), କନିଷ୍ଠ (୧୫ରୁ ୧୬ ବର୍ଷ) ଏବଂ ବରିଷ୍ଠ (୧୬ରୁ ଉର୍ଦ୍ଧ) ବର୍ଗରେ ପ୍ରତିଦ୍ୱନ୍ଦ୍ୱିତା ଦେଖିବାକୁ ମିଳିବ। ତଥାପି ଏହି କ୍ରୀଡ଼ାରେ ୧୫ ମିଟର ଓ୍ଵାଲ୍‌କୁ ୭.୬୨ ସେକେଣ୍ଡ୍‌ ସମୟରେ ଚଢ଼ିବାର ଭାରତୀୟ କୀର୍ତିମାନ ରହିଛି। ରାଜ୍ୟ ପ୍ରତିଯୋଗିତାରେ ପଦକ ପ୍ରଦାନ କରାଯିବ। ୨ ବର୍ଷ ତଳେ ରାଜ୍ୟ ପ୍ରତିଯୋଗିତାର ପ୍ରଥମ ସଂସ୍କରଣ ଉତ୍କଳ କରାଟେ ସ୍କୁଲ୍‌ ପରିସରରେ ଥିବା କ୍ଲାଇମ୍ବିଂ କଂପ୍ଲେକ୍ସରେ ଆୟୋଜିତ ହୋଇଥିଲା। ସ୍ପୋର୍ଟସ୍‌ କ୍ଲାଇମ୍ବିଂ ଏକ ନୂଆ ଖେଳ ହୋଇଥିବାରୁ ପ୍ରଥମ ସଂସ୍କରଣ ସେତେଟା ସଫଳ ହୋଇନଥିଲା। ପୁଣି କୌଣସି ଜିଲ୍ଲା ସଂଘ ନଥିବାରୁ ପ୍ରତିଯୋଗୀଙ୍କ ସଂଖ୍ୟା ବୃଦ୍ଧି ହୋଇନଥିଲା। କେବଳ ଯାହା ଗଣମାଧ୍ୟମରୁ ଜାଣି କେତେକ ପ୍ରତିଯୋଗୀ ଆଗ୍ରହ ଦେଖାଇଥିଲେ। ଅନ୍ୟପକ୍ଷରେ ରାଜ୍ୟରେ କେବଳ ତିନିଟି ଘରୋଇ କ୍ଲାଇମ୍ବି ଓ୍ଵାଲ୍‌ (ଭୁବନେଶ୍ୱର ସାଇ ଇଣ୍ଟରନ୍ୟାସ୍‌ନାଲ୍‌ ସ୍କୁଲ୍‌ ଓ ଉତ୍କଳ କରାଟେ ସ୍କୁଲ୍‌ ଏବଂ ବ୍ରହ୍ମପୁରର ନିସ୍‌ଟ) ରହିଛି। ସେଥିରୁ ଅଧିକାଂଶ ପ୍ରତିଯୋଗୀମାନେ ଗତଥର ରାଜ୍ୟ ପ୍ରତିଯୋଗିତାରେ ଭାଗ ନେଇଥିଲେ। ତଥାପି ୫୮ ପ୍ରତିଯୋଗୀ ଅଂଶଗ୍ରହଣ କରି ସ୍ପୋର୍ଟସ୍‌ କ୍ଲାଇମ୍ବିଂର ମଜା ଉଠାଇଥିଲେ। ଗତବର୍ଷ ଅନିଲ କୁମାର ଡାକୁଆ (ଯିଏକି ଗତବର୍ଷ ପୁରୀ ସମୁଦ୍ରରେ ବୁଡ଼ି ପ୍ରାଣ ହରାଇଛନ୍ତି) ପୁରୁଷ ବର୍ଗରେ ଏବଂ ପ୍ରିୟଦର୍ଶିନୀ ଘଟୁଆରୀ ମହିଳା ବର୍ଗରେ ଶ୍ରେଷ୍ଠ କ୍ଲାଇମ୍ବର୍‌ ବିବେଚିତ ହୋଇଥିଲେ। ହେଲେ ଏଥର ରାଜ୍ୟର ସ୍ୱନାମଧନ୍ୟ ପର୍ବତାରୋହୀ ଯୋଗାବ୍ୟାସ ଭୋଇ, ଗଣେଶ ଜେନା ଏବଂ କଳ୍ପନା ଦାସ ରାଜ୍ୟ ପ୍ରତିଯୋଗିତାକୁ କିଛି ପ୍ରତିଯୋଗୀ ପଠାଇବାର ସମ୍ମତି ଦେଇଛନ୍ତି।

ଏହା ଏକ ଅଲିମ୍ପିକ୍‌ ଖେଳ ଏବଂ ଏଥିରେ କୌଣସି ଆହତର ଆଶଙ୍କା ନଥାଏ। ଏହି ଖେଳ ଜରିଆରେ ଜଣେ ପ୍ରତିଯୋଗୀ ନିଜର ଫିଟ୍‌ନେସ୍‌ ସ୍ତର ବଢ଼ାଇପାରିବ ବୋଲି ଓଡ଼ିଶା ସଂଘର ସଭାପତି ଡ. ହରିପ୍ରସାଦ ପଟ୍ଟନାୟକ କହିଛନ୍ତି। ଓଡ଼ିଶାରେ ଏହି ଖେଳ ନୂଆ ହୋଇଥିବାରୁ ଏବଂ ରାଜ୍ୟ ସରକାର କଳିଙ୍ଗ ଷ୍ଟାଡିୟମ୍‌ରେ ଅନ୍ତର୍ଜାତୀୟ ମାନର କ୍ଲାଇମ୍ବିଂ ଓ୍ଵାଲ୍‌ ତିଆରି କରିଥିବାରୁ ଦ୍ୱିତୀୟ ସଂସ୍କରଣ ଅଧିକ ସଫଳ ହୋବ ବୋଲି ଡ. ପଟ୍ଟନାୟକ ଆଶା ରଖିଛନ୍ତି। ତେଣୁ ରାଜ୍ୟ ପ୍ରତିଯୋଗିତା ପୂର୍ବରୁ ଆସନ୍ତା ୨୧ ଓ ୨୨ ତାରିଖ ଦୁଇ ଦିନ ଧରି ଓଡ଼ିଶାର ଆଗ୍ରହୀ ପ୍ରତିଯୋଗୀଙ୍କୁ ଏହି ଖେଳ କ’ଣ ଓ ତା’ର ନିୟମ ସଂପର୍କରେ ଶିକ୍ଷା ପ୍ରଦାନ ପାଇଁ ପ୍ରଶିକ୍ଷଣ ଶିବିର ଆୟୋଜିତ ହେବ। ପ୍ରଶିକ୍ଷଣ ଶିବିର ସହିତ ରାଜ୍ୟ ପ୍ରତିଯୋଗିତାକୁ ଭାରତୀୟ ପର୍ବତାରୋହଣ ସଂସ୍ଥା ଅନ୍ତର୍ଗତ ପୂର୍ବାଞ୍ଚଳ କମିଟିର ଜାତୀୟସ୍ତରର ପ୍ରଶିକ୍ଷକ ଓ ଅଧିକାରୀ ପରିଚାଳନା କରିବେ। ସେଥିପାଇଁ ୧୨ ଜଣ ପ୍ରଶିକ୍ଷକ ଓ ଅଧିକାରୀ ଆସନ୍ତା ୨୦ ତାରିଖ ଦିନ ଭୁବନେଶ୍ୱର ପହଞ୍ଚିବେ। ପ୍ରଶିକ୍ଷଣ ଶିବିର ସାଙ୍ଗକୁ ରାଜ୍ୟ ପ୍ରତିଯୋଗିତାରେ ଭାଗ ନେବାକୁ ଆଗ୍ରହୀ ପ୍ରତିଯୋଗୀ ଆସନ୍ତା ୧୮ ତାରିଖ ସୁଦ୍ଧା ଉତ୍କଳ କରାଟେ ସ୍କୁଲ୍‌ (୦୬୭୪-୨୫୩୨୫୩୧/୮୯୦୮୦ ୩୧୫୧୫/୯୧୭୮୩ ୪୯୯୨୪)ରେ କିମ୍ବା [email protected] ଜରିଆରେ ନାମ ଓ ଠିକଣା ପଞ୍ଜିକୃତ କରିପାରିବେ। ପଞ୍ଜିକୃତ ପ୍ରତିଯୋଗୀମାନେ ୨୦ ତାରିଖ ସଂଧ୍ୟା ସୁଦ୍ଧା ଉତ୍କଳ କରାଟେ ସ୍କୁଲ୍‌ରେ ପହଞ୍ଚିବା ଆବଶ୍ୟକ ବୋଲି ଡ. ପଟ୍ଟନାୟକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଥିଲେ। ଶୁକ୍ରବାର ଉତ୍କଳ କରାଟେ ସ୍କୁଲ୍‌ରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଅନ୍ୟମାନଙ୍କ ମଧ୍ୟରେ କାଯ୍ୟର୍ନିର୍ବାହୀ ସଦସ୍ୟ ଅବିନାଶ ପୁନ୍ଦିର, ମୀର୍‌ ଅଜ୍‌ମତ୍‌ ଅଲ୍ଲୀ ଓ ହିମାଂଶୁ ଦାସ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର