କର୍ଣ୍ଣାଟକରେ ତେଜୁଛି ଅସନ୍ତୋଷ

ବେଙ୍ଗାଲୁରୁ: କର୍ଣ୍ଣାଟକରେ ଜେଡିଏସ୍‌ ଓ କଂଗ୍ରେସ ମେଣ୍ଟ ସରକାର ଘରେ ନ ପଶୁଣୁ ଆରମ୍ଭରୁ ଚାଳ ବାଜିବା ପରିସ୍ଥିତି ସୃଷ୍ଟି ହେଲାଣି। ଶପଥ ଗ୍ରହଣର ଦୀର୍ଘଦିନ ପରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଆଜି ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ତେବେ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିବା କଂଗ୍ରେସ ବିଧାୟକମାନଙ୍କ ଅସନ୍ତୋଷ ଚରମ ସୀମାରେ ପହଞ୍ଚିଛି। ଅସନ୍ତୁଷ୍ଟ କଂଗ୍ରେସ ବିଧାୟକଙ୍କ ନେତୃତ୍ୱ ନେଉଥିବା ଏମ. ବି. ପାଟିଲଙ୍କୁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଓ ବରିଷ୍ଠ କଂଗ୍ରେସ ନେତାମାନେ ଭେଟିଥିଲେ ମଧ୍ୟ ପରିସ୍ଥିତିରେ କିଛି ଉନ୍ନତି ଆସିି ନାହିଁ। ଏହି ମାମଲାରେ ଦିଲ୍ଲୀର କଂଗ୍ରେସ ନେତାମାନେ ତୁରନ୍ତ ହସ୍ତକ୍ଷେପ କରି ସମାଧାନର ରାସ୍ତା ବାହାର କରିବା ଆବଶ୍ୟକ ବୋଲି କୁମାରସ୍ୱାମୀ କହିଛନ୍ତି। ଅନ୍ୟପକ୍ଷରେ ମିିଳିଥିବା ସୂଚନା ଅନୁଯାୟୀ ଶ୍ରୀ ପାଟିଲ ଦଳର ହାଇକମାଣ୍ଡଙ୍କ ସହିତ ଆଲୋଚନା ପାଇଁ ଦିଲ୍ଲୀ ଯିବେ। ଗତକାଲି ଅସନ୍ତୁଷ୍ଟ ବିଧାୟକମାନେ ପାଟିଲଙ୍କ ବାସଭବନରେ ଏକାଠି ହୋଇଥିଲେ। ଗତ ୩ ଦିନ ହେଲା ଅସନ୍ତୁଷ୍ଟ ବିଧାୟକମାନଙ୍କ ଏକାଧିକ ବୈଠକ ହେଲାଣି। ଏହି ବୈଠକରେ ଅସନ୍ତୁଷ୍ଟ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ଏଚ. କେ. ପାଟିଲ ମଧ୍ୟ ଯୋଗ ଦେଉଛନ୍ତି। ଏଆଇସିସି ସଚିବ ଥାଇ ମଧ୍ୟ ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇ ନଥିବାରୁ ସତୀଶ ଜାରକିହୋଲି ତାଙ୍କ ପଦରୁ ଇସ୍ତଫା ଦେବା ନେଇ ଚିନ୍ତା କରୁଛନ୍ତି ବୋଲି କହିଛନ୍ତି। ଆସନ୍ତା ୧୧ ତାରିଖରେ ପୁଣି ଅସନ୍ତୁଷ୍ଟ ବିଧାୟକମାନଙ୍କର ଏକ ବୈଠକ ହେବ ବୋଲି ଶ୍ରୀ ଜାରକିହୋଲି କହିଛନ୍ତି। ତେବେ ଏମ ବି ପାଟିଲ କହିଛନ୍ତି ୧୫ରୁ ୨୦ ବିଧାୟକ ଏକାଠି ଅଛନ୍ତି। ଯାହାକିଛି ନିଷ୍ପତ୍ତି ନେବେ ସେମାନେ ମିଳିମିଶି ନେବେ । ପୂର୍ବର ସିଦ୍ଧରାମେୟା ସରକାରରେ ମନ୍ତ୍ରୀ ଥିବା ଅନେକ ବିଧାୟକ ଏବର ମନ୍ତ୍ରିମଣ୍ଡଳରେ ସ୍ଥାନ ପାଇନାହାନ୍ତି। ଏତେସବୁ ଘଟଣା ମଧ୍ୟରେ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ଏଚ ଡି କୁମାରସ୍ୱାମୀ ଆଜି ନୂଆକରି ଶପଥ ନେଇଥିବା ମନ୍ତ୍ରୀମାନଙ୍କ ମଧ୍ୟରେ ବିଭାଗ ବଣ୍ଟନ କରିଛନ୍ତି। ଅପରପକ୍ଷେ, ଅସନ୍ତୁଷ୍ଟ କଂଗ୍ରେସ ବିଧାୟକମାନେ ବିଜେପିରେ ଯୋଗଦେବା ନେଇ ଯୋଜନା କରୁଥିବା ଚର୍ଚ୍ଚା ହେଉଛି। ବିଧାୟକ ଏମ ବି ପାଟିଲ ଖୋଲାଖୋଲି ଭାବେ ଏହି କଥାକୁ ସ୍ୱୀକାର ମଧ୍ୟ କରିଛନ୍ତି।

ପାଳିରେ ମିଳିବ ମନ୍ତ୍ରୀପଦ
ବେଙ୍ଗାଲୁରୁ: ଅନ୍ୟ ଏକ ସୂତ୍ରରୁ ମିଳିଥିବା ସୂଚନା ମୁତାବକ ମନ୍ତ୍ରୀପଦ ନମିଳିବାରୁ ଅସନ୍ତୁଷ୍ଟ ଥିବା ବିଧାୟକଙ୍କୁ ମନାଇବା ପାଇଁ କଂଗ୍ରେସ ନୂଆ ଫର୍ମୁଲା ଆପଣାଇଛି। ପାଳିରେ ମନ୍ତ୍ରୀପଦ ନୀତି ଆଧାରରେ ପ୍ରତି ଦୁଇ ବର୍ଷରେ ମନ୍ତ୍ରିମଣ୍ଡଳ ସମ୍ପ୍ରସାରଣ ହେବ। ଯେଉଁ ମନ୍ତ୍ରୀଙ୍କର ପ୍ରଦର୍ଶନ ଭଲ ନରହିବ ସେମାନଙ୍କୁ ଦୁଇ ବର୍ଷ ପୂର୍ବରୁ ମଧ୍ୟ ବିଦା କରିଦିଆଯିବ। ପ୍ରତି ୬ ମାସରେ ଥରେ ମନ୍ତ୍ରୀଙ୍କ ପ୍ରଦର୍ଶନର ସମୀକ୍ଷା କରାଯିବ ବୋଲି ଜଣାପଡ଼ିଛି। ରାଜ୍ୟରେ ମେଣ୍ଟ ସରକାର ଯେଭଳି ନଭାଙ୍ଗେ ସେଥିପାଇଁ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ଏହି ପଦକ୍ଷେପ ନେଇଛନ୍ତିି। ଏହା ପୂର୍ବରୁ ରାଜ୍ୟରେ କଂଗ୍ରେସ ସରକାର ଅମଳରେ ମଧ୍ୟ ମନ୍ତ୍ରୀଙ୍କର ଏଭଳି ପ୍ରଦର୍ଶନ ସମୀକ୍ଷା ବୈଠକ ନିୟମ ଲାଗୁ ହୋଇଥିଲା।

ସମ୍ବନ୍ଧିତ ଖବର