ମାସ୍କ ନ ପିନ୍ଧି କ୍ରିକେଟ୍‌ ଖେଳିଲେ ତିୱାରୀ

ନୂଆଦିଲ୍ଲୀ: କୋଭିଡ-୧୯ ଲକ୍‌ଡାଉନ ସମୟରେ ମୁହଁରେ ମାସ୍କ ନ ପିନ୍ଧି ଦିଲ୍ଲୀ ବିଜେପି ସଭାପତି ‌ମନୋଜ ତିୱାରୀ କ୍ରିକେଟ୍‌ ଖେଳି ସମାଲୋଚନାର ଶିକାର ହୋଇଛନ୍ତି। ମନୋଜ ତିୱାରୀ କୋଭିଡ-୧୯ ଲକ୍‌ଡାଉନ ସମୟରେ ହରିଆଣାର ଏକ କ୍ରିକେଟ୍‌ ଷ୍ଟାଡିୟମରେ କ୍ରିକେଟ୍‌ ଖେଳିଥିଲେ। ହରିଆଣାର ସୋନିପଥ ଜିଲ୍ଲାର ଶେଖପୁରା ଏକାଡେମୀ ଷ୍ଟାଡିୟମର ଉଦ୍‌ଘାଟନୀ ଉତ୍ସବରେ ମନୋଜ ତିୱାରୀଙ୍କୁ କ୍ରିକେଟ୍‌ ଖେଳୁଥିବାର ଦେଖାଯାଇଥିଲା। ସେହିଭଳି ବିନା ମାସ୍କରେ ମନୋଜ ତିୱାରୀ ଷ୍ଟାଡିୟମର ଗ୍ୟାଲେରୀରେ ଜଣେ ବ୍ୟକ୍ତିଙ୍କ ସହ ବସି କଥା ହେଉଥିବାର ମଧ୍ୟ ଫଟୋ ଭାଇରାଲ ହୋଇଛି। ଆହୁରି ମଧ୍ୟ କେତେକ ‌ସ୍ଥାନୀୟ କ୍ରିକେଟ୍‌ ଖେଳାଳୀଙ୍କ ଉଦ୍ଦେଶ୍ୟରେ ମନୋଜ ତିୱାରୀ ବିନା ମାସ୍କରେ ଏବଂ ବିନା ସାମାଜିକ ଦୂରତ୍ବ ରକ୍ଷା କରି ଭାଷଣ ଦେଉଥିବାର ଭିଡ଼ିଓ ମଧ୍ୟ ଭାଇରାଲ ହୋଇଛି। ଏହାକୁ ନେଇ ମନୋଜ ଅଡୁଆରେ ପଡିଛନ୍ତି। ମାତ୍ର ମନୋଜ ଏଭଳି ଅଭିଯୋଗକୁ ଖଣ୍ଡନ କରି କହିଛନ୍ତି, ସେ ଉପଯୁକ୍ତ ସାମାଜିକ ଦୂରତା ରକ୍ଷା କରିଛନ୍ତି ଏବଂ କୋଭିଡ-୧୯ ଲକ୍‌ଡାଉନର ସମସ୍ତ ନିୟମ ପାଳନ କରିଛନ୍ତି। ସୂଚନା‌ଯୋଗ୍ୟ, ମନୋଜ ତିୱାରୀ ଦିଲ୍ଲୀରେ ଥିବାବେଳେ ହରିଆଣାରେ ଯାଇ କ୍ରିକେଟ୍‌ ଖେଳୁଥିଲେ। ଏ ନେଇ ସୋନିପଥ ଉପଖଣ୍ଡ ମାଜିଷ୍ଟ୍ରେଟ୍‌ ଆଶୁତୋଷ ରାଜନ୍‌ ଷ୍ଟାଡୟିମ କର୍ତ୍ତୃପକ୍ଷଙ୍କ ନିକଟକୁ ଏକ ନୋଟିସ ଜାରି କରିଛନ୍ତି।

ସମ୍ବନ୍ଧିତ ଖବର