ସହରାଞ୍ଚଳ ଶୌଚାଳୟରେ ମାଗଣା ସେବା

ଭୁବନେଶ୍ବର: ରାଜ୍ୟରେ ସହରାଞ୍ଚଳରେ ଥିବା ସାର୍ବଜନୀନ ଶୌଚାଳୟ ଓ ଗୋଷ୍ଠୀ ଶୌଚାଳୟଗୁଡ଼ିକରେ ଆଉ ୟୁଜର୍ସ ଫି’ ଆଦାୟ ହେବନି। ଲୋକମାନେ ମାଗଣାରେ ଏହି ସେବା ପାଇପାରିବେ। ଟଙ୍କା କାରବାରରେ ସଂକ୍ରମଣର ଆଶଙ୍କା ରହିଥିବାରୁ ନଗର ଉନ୍ନୟନ ବିଭାଗ ଏମିତି ନିଷ୍ପତ୍ତି ନେଇଛି। ଆଜି ବିଭାଗ ପକ୍ଷରୁ ଏ ସମ୍ପର୍କରେ ସମସ୍ତ ପୌରସଂସ୍ଥାକୁ ଜଣାଇ ଦିଆଯାଇଛି।

ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ ଜି ମାଥିଭାଥାନନ୍‌ ଲେଖିଥିବା ଚିଠିରେ ଦର୍ଶାଇଛନ୍ତି, ସହରାଞ୍ଚଳଗୁଡ଼ିକରେ ଥିବା ଶୌଚାଳୟଗୁଡ଼ିକର ପରିଚାଳନା ଭାର ଆଉଟ୍‌ସୋର୍ସିଂ ଏଜେନ୍ସିକୁ ଦିଆଯାଇଛି। ସେଠାରେ ସେମାନେ ଶୌଚ ଓ ଗାଧୋଇବା ପାଇଁ ଲୋକଙ୍କ ଠାରୁ ୟୁଜର୍ସ ଫି’ ବାବଦରେ ୨ରୁ ୧୦ ଟଙ୍କା ପର୍ଯ୍ୟନ୍ତ ଆଦାୟ କରନ୍ତି। ବର୍ତ୍ତମାନର କରୋନା ମହାମାରୀ ସମୟରେ ଶୌଚାଳୟ କମ୍ପ୍ଲେକ୍ସରେ ଟଙ୍କା ଆଦାନପ୍ରଦାନ ବିପଦପୂର୍ଣ୍ଣ ଓ ଏଥିରେ ସଂକ୍ରମଣର ଆଶଙ୍କା ରହିଛି। ୟୁଜର୍ସ ଫି ଆଦାୟ କରା ନ ଗଲେ ମଧ୍ୟ ଶୌଚାଳୟର ସ୍ବଚ୍ଛତାରେ ଆଦୌ ସାଲିସ୍‌ କରାଯିବ ନାହିଁ। ସ୍ଥାନୀୟ ପୌରସଂସ୍ଥା ଏହି ଖର୍ଚ୍ଚ ବହନ କରିବ। ଯଦି ଆଉଟ୍‌ସୋର୍ସିଂ ଏଜେନ୍ସି ମାଗଣା ସେବା ଯୋଗାଇବାକୁ ମନା କରିବେ, ତେବେ ସେମାନଙ୍କୁ ହଟାଯାଇ ‌ସ୍ବୟଂ ସହାୟକ ଗୋଷ୍ଠୀ ଓ ଅନ୍ୟାନ୍ୟ ସଂସ୍ଥା ଦ୍ବାରା ଶୌଚାଳୟଗୁଡ଼ିକୁ ପରିଚାଳନା କରାଯାଇପାରିବ। ମହାମାରୀ ଆଇନ୍‌ରେ ଥିବା ବ୍ୟବସ୍ଥା ଅନୁଯାୟୀ ପୌରସଂସ୍ଥା କର୍ତ୍ତୃପକ୍ଷମାନେ ଏହି ପଦକ୍ଷେପ ନେଇପାରିବେ। ଆସନ୍ତା ୩୧ ତାରିଖ ପର୍ଯ୍ୟନ୍ତ ନୂଆ ବ୍ୟବସ୍ଥା ବଳବତ୍ତର ରହିବ ବୋଲି ପ୍ରମୁଖ ସଚିବ ଜଣାଇଛନ୍ତି।

ସମ୍ବନ୍ଧିତ ଖବର