‘ମେ’ରେ ଗୁରୁପ୍ରିୟା, ଜୁନ୍‌ରେ ବମିଖାଲ୍‌ ସେତୁର ଲୋକାର୍ପଣ’

ଭୁବନେଶ୍ୱର : ବିଧାନସଭାରେ ପୂର୍ତ୍ତ ବିଭାଗର ୨୦୧୮-୧୯ ପାଇଁ ୪୨୬୭ କୋଟି ୮୭ ଲକ୍ଷ ୫୭ ହଜାର ଟଙ୍କାର ଖର୍ଚଦାବି ପାରିତ ହୋଇଛି। ଏହି ଖର୍ଚଦାବି ଆଲୋଚନା ଅବସରରେ ବିରୋଧୀ ଦଳର ସଦସ୍ୟମାନେ ଏହି ବିଭାଗ ଅଧୀନରେ ରାସ୍ତା କାମ ଭଲ ହୋଇଥିବା ସ୍ୱୀକାର କରିଥିଲେ। ତେବେ ଏହି ବିଭାଗ ଦୁର୍ନୀତିର ଗନ୍ତାଘର, ଏଥିରେ ପିସି କାରବାର ବ୍ୟାପକ ଚାଲିଥିବା ସେମାନେ ଅଭିଯୋଗ କରିଥିଲେ। ସରକାର ଦଳର ସଦସ୍ୟମାନେ ବିରୋଧୀଙ୍କ ଅଭିଯୋଗକୁ ଖଣ୍ଡନ କରିଥିଲେ।

ଆଲୋଚନା ଆରମ୍ଭ କରି ବିରୋଧୀ ଦଳ ମୁଖ୍ୟ ସଚେତକ ତାରାପ୍ରସାଦ ବାହିନୀପତି କହିଲେ, ଫ୍ଲାଏଓଭର ବ୍ରିଜ୍‌ ନିର୍ମାଣ ହେଉଛି ବିଜେଡିର ଖାଦ୍ୟ ବିଭାଗ ସଦୃଶ। ଏ ନେଇ ଟେଣ୍ଡର ଫିକ୍ସିଂ ହୁଏ। ନିର୍ବାଚନ ପାଇଁ ଚାନ୍ଦା ଉଠେ। ବମିଖାଲ, ଜଟଣୀ, ସମ୍ବଲପୁର ଫ୍ଲାଏ ଓଭରବ୍ରିଜ୍‌ ଭୁଶୁଡ଼ିବା ନେଇ ଗୃହରେ ହୋ-ହଲ୍ଲା ହେଲା। କମିସନ ବସିଲା। କିନ୍ତୁ ରିପୋର୍ଟ ଆସିଲାନି। ଉପା ସରକାର ସମୟରେ ଗୁରୁପ୍ରିୟା ସେତୁ ପାଇଁ ଟଙ୍କା ଆସିଥିଲା। ବିଳମ୍ବରେ ହେଲେ ବି କାମ ଆରମ୍ଭ ହୋଇଛି। ଏହାର କାମ କେବେ ସରିବ ବୋଲି ସେ ମନ୍ତ୍ରୀଙ୍କୁ ପଚାରିଥିଲେ। ବଣ୍ଟି ଅଗ୍ରଓ୍ଵାଲ୍‌ ଟିଡିଆର ଦୁର୍ନୀତି ମାମଲାରେ ସରକାର ତାଙ୍କୁ ଖାଲି ବାନ୍ଧିଦେଲେ ହେବନାହିଁ। ଏଥିରେ ଯେଉଁ ଯନ୍ତ୍ରୀ, ଅଫିସର ଜଡ଼ିତ ସେ ନେଇ ତଦନ୍ତ ହେବା ଦରକାର। ପିଡବ୍ଲ୍ୟୁଡି କାମରେ ପିସି କାରବାର ଏମିତି ଯେ କେ-୨ କାମରେ ଚୂନ ମାରି ଟଙ୍କା ଲୁଟ୍‌ ହେଉଥିବା ଶ୍ରୀ ବାହିନିୀପତି ଅଭିଯୋଗ କରିଥିଲେ।

ବିଜେପି ବିଧାୟକ ଦଳ ନେତା କନକ ବର୍ଦ୍ଧନ ସିଂହଦେଓ କହିଲେ, ବମିଖାଲ ପୋଲ ଭୁଶୁଡ଼ିବା ପୂର୍ବରୁ ପୋଲର ନିମ୍ନମାନର କାମ ସଂପର୍କରେ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଥିଲେ। କିନ୍ତୁ ତାଙ୍କୁ ଉତ୍ତର ମିଳିନଥିଲା। ରାଜ୍ୟରେ ରାସ୍ତା ନିର୍ମାଣ ଭଲ ଭାବେ ଚାଲିଛି ସତ, କିନ୍ତୁ ସେଗୁଡ଼ିକ ମରଣଯନ୍ତା ପାଲଟୁଛି। ରାସ୍ତା ନିର୍ମାଣକାରୀ ଠିକାଦାରମାନଙ୍କୁ ରାସ୍ତାକଡ଼ ଗ୍ରାମର ପୋଖରୀ, ଜଳାଶୟରୁ ମାଟି ଖୋଳି କାମରେ ବ୍ୟବହାର କରିବାକୁ ସେ ପ୍ରସ୍ତାବ ଦେଇଥିଲେ। ଫଳରେ ରାସ୍ତା କାମ ହେବା ସହିତ ପୋଖରୀ, ଜଳାଶୟରେ ଜଳ ଭରି ରହୁଥାନ୍ତା। କିନ୍ତୁ ଏ ନେଇ ସରକାର ପ୍ରତିକ୍ରିୟା ପ୍ରକାଶ କରୁନଥିବା ବିଡ଼ମ୍ବନାର ବିଷୟ ବୋଲି ଶ୍ରୀ ସିଂହଦେଓ କ୍ଷୋଭ ପ୍ରକାଶ କରି କହିଥିଲେ।

କଂଗ୍ରେସ ବିଧାୟକ ଡା. ପ୍ରଫୁଲ ମାଝୀ, ବିଜେପି ବିଧାୟିକା ରାଧାରାଣୀ ପଣ୍ଡା, ବିଜେଡି ବିଧାୟିକା ଡା. ରାସେଶ୍ୱରୀ ପାଣିଗ୍ରାହୀ ପ୍ରମୁଖ ରାଉରକେଲା-ସମ୍ବଲପୁର ରାଜପଥର ୩ ଟି ଟୋଲ୍‌ଗେଟ୍‌ରୁ ଆଦାୟ ହେଉଥିବା ଅତ୍ୟଧିକ ଟୋଲ ଟିକସକୁ ହ୍ରାସ କରିବା ପାଇଁ ମନ୍ତ୍ରୀଙ୍କୁ ପ୍ରସ୍ତାବ ଦେଇଥିଲେ। ଗୋପାଳପୁର-ଦୀଘା ଭାରତମାଳା ପ୍ରକଳ୍ପର ସ୍ଥିତି ନେଇ ବିଜେଡି ବିଧାୟକ ସଂଜୟ ଦାସବର୍ମା ମନ୍ତ୍ରୀଙ୍କୁ ପଚାରିଥିଲେ। ଏହା ଏନ୍‌ଡିଏ ସରକାରଙ୍କ ନିର୍ବାଚନୀ ପ୍ରତିଶ୍ରୁତି ନା ପ୍ରତାରଣା ବୋଲି ପ୍ରଶ୍ନ ଉଠାଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବିଧାୟକ ଡା. ରମେଶ ଚନ୍ଦ୍ର ଚ୍ୟାଉ ପଟ୍ଟନାୟକ, ପ୍ରିୟଦର୍ଶୀ ମିଶ୍ର, ପୂର୍ଣ୍ଣଚନ୍ଦ୍ର ସେଠୀ ଆଲୋଚନାରେ ଭାଗ ନେଇଥିବା ବେଳେ ବରିଷ୍ଠ ବିଧାୟକ ମଙ୍ଗଳା କିଷାନ, ଆୟୁବ ଖାଁ, ନିତ୍ୟାନନ୍ଦ ସାହୁ ପ୍ରମୁଖ ନିଜ ନିଜ ଅଞ୍ଚଳର ବିଭିନ୍ନ ସମସ୍ୟା ଉପସ୍ଥାପିତ କରିଥିଲେ। ଶାସକ ଦଳ ଉପ ମୁଖ୍ୟ ସଚେତକ ରୋହିତ ପୂଜାରୀ ରାସ୍ତା କାମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁର ବ୍ୟବହାର କେବେ ହେବ ବୋଲି ମନ୍ତ୍ରୀଙ୍କୁ ପଚାରିଥିଲେ।

ଆଲୋଚନାର ଉତ୍ତରରେ ପୂର୍ତ୍ତ ମନ୍ତ୍ରୀ ପ୍ରଫୁଲ୍ଲ କୁମାର ମଲ୍ଲିକ କହିଲେ, ଆସନ୍ତା ମେ’ ମାସରେ ଗୁରୁପ୍ରିୟା ସେତୁ ଏବଂ ଜୁନ୍‌ ମାସରେ ଭୁବନେଶ୍ୱର ବମିଖାଲ ଫ୍ଲାଏ ଓଭରବ୍ରିଜ୍‌ର ଲୋକାର୍ପଣ କରାଯିବ। ଗୁରୁପ୍ରିୟା ସେତୁ ଇପିସି ମାଧ୍ୟମରେ ହେଉଥିବାରୁ ଏ ବାବଦରେ କୌଣସି କ୍ଷତି ସରକାରଙ୍କର ହୋଇନାହିଁ। ବୈଷୟିକ ତ୍ରୁଟି ଅଭିଯୋଗକୁ ସେ ଅସ୍ୱୀକାର କରିଥିଲେ। ଅଗ୍ରଓ୍ଵାଲ୍‌ ଟିଡିଆର ପ୍ରସଙ୍ଗ ନେଇ କ୍ରାଇମବ୍ରାଞ୍ଚ ତଦନ୍ତ ଚାଲିଛି। ରିପୋର୍ଟ ଆସିଲେ ଜଣାଇ ଦିଆଯିବ। ବିଡିଏ ଦ୍ୱାରା ପ୍ଲାଷ୍ଟିକ ବର୍ଜ୍ୟବସ୍ତୁକୁ ରାସ୍ତା ନିର୍ମାଣରେ ବ୍ୟବହାର କରାଯିବ। ଆଗାମୀ ଦିନରେ କଟକ, ଭୁବନେଶ୍ୱରରେ ରାସ୍ତା କାମରେ ପ୍ଲାଷ୍ଟିକ ବର୍ଜ୍ୟବସ୍ତୁ ବ୍ୟବହାର ହେବ ବୋଲି ମନ୍ତ୍ରୀ କହିଥିଲେ। ସୁନ୍ଦରଗଡ଼ ଜିଲ୍ଲାରେ ଜିଲ୍ଲା ଖଣିଜ ପାଣ୍ଠି ଜରିଆରେ ବିଭିନ୍ନ କାମ ହାତକୁ ନିଆଯିବ। ମନ୍ତ୍ରୀଙ୍କ କହିବାନୁସାରେ ତାଙ୍କ ବିଭାଗ ଅଧୀନରେ ମୋଟ ୨୯୯୭୬.୩୮୪ କି.ମି. ବିଭିନ୍ନ ଶ୍ରେଣୀର ରାସ୍ତା ରହିଛି। ଗତବର୍ଷରେ ୨୯୭୫.୩୮ କୋଟି ବିନିଯୋଗରେ ୪୦ଟି ସେତୁ, ୨ଟି ରୋଡ୍‌ ଓଭର ବ୍ରିଜ୍‌, ୧୪୪୮.୯୬ କି.ମି. ରାସ୍ତାର ଉନ୍ନତୀକରଣ କରାଯାଇଛି। ଚଳିତ ଆର୍ଥିକ ବର୍ଷରେ ବିଭାଗ ପକ୍ଷରୁ ବିଭିନ୍ନ କାମ ହାତକୁ ନିଆଯାଇଥିବା ମନ୍ତ୍ରୀ ଶ୍ରୀ ମଲ୍ଲିକ ସୂଚନା ଦେଇଥିଲେ।

ସମ୍ବନ୍ଧିତ ଖବର