ନଭେମ୍ବର ପହିଲାରୁ ୫୬ ଟ୍ରେନ୍‌ର ନୂଆ ସମୟସାରଣୀ

ରାଜଧାନୀ ଏକ୍ସପ୍ରେସ୍‌ ଭାୟା ସମ୍ବଲପୁର ସାମିଲ୍‌

ଚନ୍ଦ୍ରଶେଖରପୁର : ନଭେମ୍ବର ପହିଲାରୁ ଲାଗୁ ହେବ ନୂତନ ଟ୍ରେନ୍‌ ସମୟ ସାରଣୀ। ପୂର୍ବତଟ ରେଳପଥ ଦେଇ ଯାତ୍ରା କରୁଥିବା ୩୭ଟି ଏକ୍ସପ୍ରେସ୍‌, ୧୯ଟି ପାସେଞ୍ଜର୍‌ ଟ୍ରେନ୍‌ ସମେତ ୫୬ଟି ଟ୍ରେନ୍‌ର ସମୟ ବଦଳିବ। ୨୪ଟି ଟ୍ରେନ୍‌ର ସମୟ ବଦଳିବା ସହିତ ୩୬ଟି ଟ୍ରେନ୍‌କୁ ଉନ୍ନତିକରଣ କରାଯାଇଛି। ଭୁବନେଶ୍ୱରରୁ ନୂଆଦିଲ୍ଲୀ ଭାୟା ସମ୍ବଲପୁର ଦେଇ ରାଜଧାନୀ ଏକ୍ସପ୍ରେସ୍‌ ସମେତ ୩ଟି ନୂଆ ଟ୍ରେନ୍‌କୁ ଏହି ସୂଚୀରେ ସାମିଲ କରାଯାଇଛି। ଏହାସହିତ ଏକ ଯୋଡ଼ା ଟ୍ରେନ୍‌ ବୃଦ୍ଧି କରାଯିବା ସହିତ ୪ଯୋଡ଼ା ଟ୍ରେନ୍‌ ସମ୍ପ୍ରସାରିତ କରାଯାଇଛି।

ପରିବର୍ତ୍ତିତ ଟ୍ରେନ୍‌ ସମୟ ଅନୁସାରେ ଜଗଦଲପୁର-ଦୁର୍ଗ ଏକ୍ସପ୍ରେସ୍‌ ଜଗଦଲପୁରରୁ ନିର୍ଦ୍ଧାରିତ ସମୟ ପରିବର୍ତ୍ତେ ଅଧଘଣ୍ଟା ବିଳମ୍ବରେ ଛାଡ଼ିବ। ସେହିପର ଜଗଦଲପୁର-ଭୁବନେଶ୍ୱର ହୀରାଖଣ୍ଡଏକ୍ସପ୍ରେସ୍‌, ଜୁନାଗଡ଼ ରୋଡ୍‌ – ଭୁବନେଶ୍ୱର ଏକ୍ସପ୍ରେସ୍‌ , ଭୁବନେଶ୍ୱର-ନୂଆଦିଲ୍ଲୀ ଦୂରନ୍ତୋ ଏକ୍ସପ୍ରେସ୍‌, ଭୁବନେଶ୍ୱର-ସିକନ୍ଦରାବାଦ, ବିଶାଖାପାଟଣା-ସାଇନଗର, ବିଶାଖାପାଟଣା-ଏଲ୍‌ଟିଟି, ବିଶାଖାପାଟଣା-କୋରବା, ଜଗଦଲପୁର-ହାଓ୍ଵାଡ଼ା, ସମଲେଶ୍ୱରୀ, ଅମ୍ରିତସର-ବିଶାଖାପାଟଣା, ହୀରାକୁଦ, ସୁରତ-ପୁରୀ, ଗାନ୍ଧୀଧାମ-ପୁରୀ, ଆଜ୍‌ମେର-ପୁରୀ, ଏର୍ଣ୍ଣାକୁଲମ୍‌-ହାତିଆ, ବଲାଙ୍ଗୀର-ଭୁବନେଶ୍ୱର ଇଣ୍ଟରସିଟି ଏକ୍ସପ୍ରେସ୍‌ ପ୍ରମୁଖ ନିର୍ଦ୍ଧାରିତ ସମୟ ପୂର୍ବରୁ ଛାଡ଼ିବା ନେଇ ସୂଚନା ମିଳିଛି।

ସେହିପରି କେତେକ ଲୋକାଲ୍‌ ପାସେଞ୍ଜର୍‌ ଟ୍ରେନ୍‌ର ସମୟରେ ମଧ୍ୟ ପରିବର୍ତ୍ତନ କରାଯାଇଛି। ବିଶାଖାପାଟଣା-ରାୟପୁର, ବିଶାଖାପାଟଣା-କିରାନ୍ଦୁଲ୍‌, ବିଶାଖାପାଟଣା-ଦୁର୍ଗ, କିରାନ୍ଦୁଲ୍‌-ବିଶାଖାପାଟଣା, ରାୟଗଡ଼ା-ବିଜୟଓ୍ଵାଡ଼ା, ବିଶାଖାପାଟଣା-ମଛ୍‌ଲିପଟନମ୍‌/ନରସପୁର, ପଲାସା-ବିଶାଖାପାଟଣା, ସମ୍ବଲପୁର-ଝାରସୁଗୁଡ଼ା ପାସେଞ୍ଜର ଟ୍ରେନ୍‌ଗୁଡ଼ିକର ସମୟରେ ପରିବର୍ତ୍ତନ କରାଯାଇଛି। ଏହି ଟ୍ରେନ୍‌ଗୁଡ଼ିକ ପୂର୍ବନିର୍ଦ୍ଧାରିତ ସମୟ ତୁଳନାରେ ଶୀଘ୍ର ଛାଡ଼ିବା ନେଇ ପୂର୍ବତଟ ରେଳପଥ ପକ୍ଷରୁ ସୂଚନା ଦିଆଯାଇଛି। ରେଳଯାତ୍ରା ପୂର୍ବରୁ ଯାତ୍ରୀମାନେ ୧୩୯କୁ ଯୋଗାଯୋଗ କରି ପରିବର୍ତିତ ସମୟ ବୁଝିନେବାକୁ ପୂର୍ବତଟ ରେଳ ପକ୍ଷରୁ ଅନୁରୋଧ କରାଯାଇଛି।

ସମ୍ବନ୍ଧିତ ଖବର