ଭିଜିଲାନ୍ସ ଫରେଷ୍ଟ ଶାଖାର ମିଳିତ ଚଢ଼ଉ, ୨୬ ଲକ୍ଷ ଟଙ୍କାର ସାମଗ୍ରୀ ଜବତ

କଟକ : ଭିଜିଲାନ୍ସ ଫରେଷ୍ଟ ଓ୍ଵିଙ୍ଗ, ବନ କର୍ମଚାରୀ ଓ ପୁଲିସ୍‌ ପକ୍ଷରୁ ରାଜ୍ୟର ତିନିଟି ସ୍ଥାନରେ ମିଳିତ ଚଢାଉ କରାଯାଇଛି। ଚଢାଉରୁ ପ୍ରାୟ ୨୬ଲକ୍ଷ ଟଙ୍କାର ବେଆଇନ୍‌ ସାମଗ୍ରୀ ଜବତ କରାଯିବା ସହ ଜଣଙ୍କୁ ଗିରଫ କରାଯାଇଛି। ଏଥିସହିତ ଗୋଟିଏ ଦିନରେ ୬ଟି ମାମଲା ରୁଜୁ ହୋଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି।

କଟକ ଭିଜିଲାନ୍ସ ଫରେଷ୍ଟ ଓ୍ଵିଙ୍ଗ୍‌, ଡାଳିଯୋଡ଼ାର ବନ କର୍ମଚାରୀ ଓ ପୁଲିସ୍‌ର ମିଳିତ ଚଢାଉ କରାଯାଇ ଆଜି ୧୬.୧୮ ଲକ୍ଷ ଟଙ୍କାର ମୋରମ, କଳା ଗ୍ରାନାଇଟ୍‌, ଦୁଇଟି ଟ୍ରାକ୍ଟର ଓ ଗୋଟିଏ ହାଇଓ୍ଵାକୁ ଜବତ କରାଯାଇଛି। ବଳରାମପୁରର ପ୍ରସ୍ତାବିତ ସଂରକ୍ଷଣ ଜଙ୍ଗଲରୁ ମୋରମ ଓ କଳାଗ୍ରାନାଇଟ୍‌ର ଚୋରା ଚାଲାଣ ହେଉଥିବା ବାବଦରେ ଖବର ପାଇଁ ମିଳିତ ଚଢାଉ କରାଯାଇଥିଲା। ୫୩ ନମ୍ବର ଜାତୀୟ ରାଜପଥ ନିକଟରେ ଯାଞ୍ଚ ବେଳେ ଚାଲାଣ ହେଉଥିବା ଗାଡ଼ିଗୁଡ଼ିକ ଧରାପଡ଼ିଥିଲା। ଗୋଟିଏ ହାଇଓ୍ଵା ଓ ଦୁଇଟି ଟ୍ରାକ୍ଟରରେ ମୋରମ ଓ ଗ୍ରାନାଇଟ୍‌ ବୋଝ ହୋଇ ବଳରାମପୁରରୁ ଆସିଆ ଚାରିନଙ୍ଗଲ ପ୍ରସ୍ତାବିତ ସଂରକ୍ଷିତ ଜଙ୍ଗଲ ଆଡ଼କୁ ନିଆଯାଉଥିବା ଜଣାପଡ଼ିଥିଲା। ଓଡ଼ିଶା ଫରେଷ୍ଟ ଆଇନ୍‌ ୧୯୭୨ ଅନୁଯାୟୀ ଚାଲାଣ ହେଉଥିବା ଗାଡ଼ିଗୁଡିକୁ ଜବତ କରାଯିବା ସହ ତିନୋଟି ମାମଲା ରୁଜୁ କରାଯାଇଛି।

ଅନ୍ୟପକ୍ଷରେ ଯାଜପୁର ମଙ୍ଗଳା ଥାନା ଅନ୍ତର୍ଗତ କଟିଆ ଗ୍ରାମରେ ଦୁଇଟି ବେଆଇନ୍‌ କାଠଗୋଲା ଉପରେ ଭିଜିଲାନ୍ସ ଫରେଷ୍ଟ ଓ୍ଵିଙ୍ଗ ଦ୍ୱାରା ଚଢାଉ କରାଯାଇଥିଲା। ଏଠାରୁ ପାଖାପାଖି ୨୧୦ ଘନ ଫୁଟର କାଠଗଣ୍ଡି ଜବତ କରାଯାଇଥିଲା। ଯାହାର ଆନୁମାନିକ ମୂଲ୍ୟ ୩.୧୫ଲକ୍ଷ ଟଙ୍କା ହେବ ବୋଲି କୁହାଯାଇଛି। ଏହି ଘଟଣାରେ ଦୁଇଟି ମାମଲା ରୁଜୁ କରାଯାଇଥିବା ଭିଜିଲାନ୍ସ ପକ୍ଷରୁ ସୂଚନା ଦିଆଯାଇଛି। ସେହିପରି ସମ୍ବଲପୁର ଡିଭିଜନ୍‌ ଫରେଷ୍ଟ ଓ୍ଵିଙ୍ଗ, ସ୍ଥାନୀୟ ବନ କର୍ମଚାରୀ ଓ ପୁଲିସ୍‌ ପକ୍ଷରୁ ମିଳିତ ଚଢାଉ କରାଯାଇ ପ୍ରାୟ ୭ଲକ୍ଷ ଟଙ୍କାର କାଠ ଜବତ କରାଯାଇଛି। ବରଗଡ଼ ଟାଉନସ୍ଥିତ ଶାସ୍ତ୍ରୀନଗରଠାରେ ରହିଥିବା ବେଆଇନ୍‌ କାଠଗୋଲାରେ ବହୁ ମୂଲ୍ୟବାନ କାଠ ରଖାଯାଇଥିବା ଭିଜିଲାନ୍ସ ଖବର ପାଇଥିଲା। ଏଠାରେ ଚଢାଉ କରି ସମସ୍ତ କାଠକୁ ଜବତ କରାଯିବା ସହ ବରଗଡ଼ ଫରେଷ୍ଟ ରେଞ୍ଚ ଅଫିସ୍‌ରେ ଗୋଟିଏ ମାମଲା ରୁଜୁ କରାଯାଇଛି। କାଠଗୋଲାର ମାଲିକ ନିତ୍ୟାନନ୍ଦ ପଣ୍ଡାକୁ ଗିରଫ କରାଯିବା ସହ ଆସନ୍ତା ୨୮ ତାରିଖ ପର୍ଯ୍ୟନ୍ତ ସ୍ୱତନ୍ତ୍ର ଭିଜିଲାନ୍ସ କୋର୍ଟରୁ ତାଙ୍କୁ ରିମାଣ୍ଡରେ ଅଣାଯାଇଥିବା ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର