ମୌସୁମୀ ପୂର୍ବରୁ ସରିବ ଡ୍ରେନ୍ କାମ
୭ ଦିନ ମଧ୍ୟରେ ସରିବ ପଙ୍କୋଦ୍ଧାର
ଭୁବନେଶ୍ୱର: ଆସନ୍ତା ବର୍ଷାଋତୁକୁ ଦୃଷ୍ଟିରେ ରଖି ବର୍ଷା ଜଳ ନିଷ୍କାସନ ଉପରେ ଗୁରୁତ୍ବ ଦେଇଛି ବିଏମ୍ସି। ଶନିବାର ଡ୍ରେନ ସଫା ଓ ନିର୍ମାଣାଧୀନ କାମର ସ୍ଥିତାବସ୍ଥାକୁ ନେଇ କମିସନର ବିଜୟ ଅମୃତା କୁଲାଙ୍ଗେ ସମୀକ୍ଷା କରିଛନ୍ତି। ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଶେଷ କିଭଳି ନିର୍ମାଣାଧୀନ କାର୍ଯ୍ୟ ଶେଷ ହେବ ତାହା ଉପରେ ଗୁରୁତ୍ବାରୋପ କରାଯିବା ସହ ଅଧିକାରୀମାନେ ନିୟମିତ ରିପୋର୍ଟ ଦେବାକୁ ନିର୍ଦେଶ ଦିଆଯାଇଛି। ବଡ଼କଥା ହେଉଛି କେଉଁଠି ସ୍ଲାବ୍ ପଡ଼ିଛି, କେଉଁଠି ପଡ଼ିନି, କେଉଁଠି ନଳା ସଫା ହୋଇନି, ତାହା ବୁଲି ବୁଲି ଯାଞ୍ଚ କରିବା ସମ୍ଭବ ହେଉନଥିବାରୁ ନଳାର ସ୍ଥିତାବସ୍ଥା ଜାଣିବା ପାଇଁ ଡ୍ରୋନ୍ ଜରିଆରେ ଫିଲ୍ଡ ଭେରିଫିକେସନ କରିବାକୁ ଯୋଜନା ହୋଇଛି।
Sambad is now on WhatsApp
Join and get latest news updates delivered to you via WhatsApp
୨୦୨୩-୨୪ ଆର୍ଥିକ ବର୍ଷରେ ହେବାକୁ ଥିବା ଡ୍ରେନର ପଙ୍କୋଦ୍ଧାର କାର୍ଯ୍ୟକ୍ରମର ସମୀକ୍ଷା କରାଯାଇଛି। ଡ୍ରେନ ନଂ-୧ରୁ ଆରମ୍ଭ କରି ଡ୍ରେନ ନଂ-୧୦ ଓ ୱାର୍ଡ ନଂ-୪, ୱାର୍ଡ ନଂ-୫, ୱାର୍ଡ ନଂ-୫୦ରେ ଥିବା ୨ଟି ଡ୍ରେନ, ନୟନଜୋଡ଼ି-ପୁରୀ ମୁଖ୍ୟ କେନାଲର କିଛି ଅଂଶ ପଙ୍କୋଦ୍ଧାର, ଅଳିଆ ଛଣା ଜାଲି ସଫେଇ ଓ ଡ୍ରେନ ଉଭୟ କାନ୍ଥର ସଫେଇ, ମୁକୁଳା ରହିଥିବା ଡ୍ରେନରେ ସ୍ଲାବ ପକାଇବା ଆଦି କାମ ତୁରନ୍ତ ସାରିବା ପାଇଁ କୁହାଯାଇଛି। ଅନେକ ସମୟରେ ଦେଖାଯାଉଛି ଡ୍ରେନ ସଫା କରି ଆବର୍ଜନା ଡ୍ରେନ୍ କଡ଼ରେ ରଖାଯାଉଛି। ବର୍ଷା ହେଲେ କିମ୍ବା ଗାଡ଼ିମୋଟର ଯିବା ଆସିବା କଲେ ଏସବୁ ପୁଣି ଥରେ ନଳା ଭିତରେ ପଶି ଯାଉଛି। ଏହାକୁ ଗୁରୁତ୍ବର ସହ ନିଆଯାଇଛି। ନଳା ସଫା ହେବା ମାତ୍ରେ ବର୍ଜ୍ୟ ଓ ପଙ୍କକୁ ତୁରନ୍ତ ଉଠାଇ ନେବାକୁ ସମ୍ପୃକ୍ତ ଏଜେନ୍ସିମାନଙ୍କୁ ତାଗିଦ କରାଯାଇଛି।
ଅକ୍ଟୋବର ପର୍ଯ୍ୟନ୍ତ ନିୟମିତ ଡ୍ରେନ ସଫେଇ, ଜାଲିରୁ ଅଳିଆ କାଢ଼ିବା, ଡ୍ରେନର ଉଭୟ ପାର୍ଶ୍ବ ସଫା ରଖିବା କାର୍ଯ୍ୟ କରିବେ। ବର୍ଷା ଦିନ ପରେ ଅର୍ଥାତ୍ ନଭେମ୍ବର ୨୦୨୩ରୁ ଏପ୍ରିଲ ୨୦୨୪ ପର୍ଯ୍ୟନ୍ତ ଏହି ଠିକାସଂସ୍ଥାଗୁଡିକ ୪୦ଟି ସ୍ଥାନରେ ଲାଗିଥିବା ଜାଲିରୁ ଅଳିଆ ବାହାର କରିବେ। ଏଥିପାଇଁ ସଂପୃକ୍ତ ଠିକାଦାର, ଅଧିକାରୀ, କର୍ମଚାରୀ ସଂଯୋଜନା ରକ୍ଷା କରି ସମୟସୀମା ମଧ୍ୟରେ କାମ ଶେଷ କରିବାକୁ କୁହାଯାଇଛି। ବିପଦସଂକୁଳ ସ୍ଥାନରେ ବ୍ୟାରିକେଡ୍ ବ୍ୟବସ୍ଥା କରିବାକୁ କୁହାଯାଇଛି। ଆବଶ୍ୟକ ସ୍ଥାନରେ ଇଣ୍ଟରନାଲ ଡ୍ରେନ କଭର ପକାଇବା ପାଇଁ କୁହାଯାଇଛି।
୧୦ଟି ମୁଖ୍ୟ ଡ୍ରେନର ସଫେଇ ସାଙ୍ଗକୁ ବିଏମ୍ସିର ସିଧାସଳଖ ତଦାରଖରେ ଥିବା ୱାର୍ଡ ନଂ-୪, ୫ ଓ ୫୦ର ଡ୍ରେନ କାର୍ଯ୍ୟକୁ ମିଶାଇ ସମୁଦାୟ ୨୨ଟି ପ୍ରକଳ୍ପ ପାଇଁ ୪ କୋଟି ୨୬ ଲକ୍ଷ ଟଙ୍କା ବ୍ୟୟବରାଦ ହୋଇଥିବା ଡ୍ରେନ ଉପ ବିଭାଗର ମୁଖ୍ୟ ଗୌତମଚନ୍ଦ୍ର ଦାସ ସୂଚନା ଦେଇଛନ୍ତି। ଅନ୍ୟମାନଙ୍କ ମଧ୍ୟରେ ଅତିରିକ୍ତ କମିସନର ଶୁଭେନ୍ଦୁ କୁମାର ସାହୁ, ସୂର୍ଯ୍ୟବଂଶୀ ମୟୂର ବିକାଶ, ସିଟି ଇଂଜିନିୟର ଅରୁଣ ନାୟକ, ସମସ୍ତ ଜେଡ୍ଡିସି, ଇଂଜିନିୟର ଓ ସଫେଇ ଏଜେନ୍ସିମାନେ ଉପସ୍ଥିତ ଥିଲେ।