ବଲାଙ୍ଗୀର : ଟମାଟୋର ଅଭାବି ବିକ୍ରିକୁ ନେଇ ଚିନ୍ତାରେ ଚାଷୀ। ଧାର ଉଧାର କରି ଏକର ଏକର କିଆରିରେ ବିଲାତି ଫଳାଇଥିବା ଚାଷୀ କିଲୋ ୨ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି। ଏହାର ପ୍ରତିବାଦରେ ବଲାଙ୍ଗିରରେ ରାସ୍ତାରେ ବିଲାତି ଢାଳି ବିକ୍ଷୋଭ କରିଛନ୍ତି ଚାଷ।
Sambad is now on WhatsApp
Join and get latest news updates delivered to you via WhatsApp
ଚାଷୀଙ୍କ ଅଭିଯୋଗ, ଟମାଟୋକୁ ସାଇତି ରଖିବା ଓ ବଜାରରେ ବିକ୍ରି କରିବା ପାଇଁ ସରକାର କୌଣସି ବ୍ୟବସ୍ଥା କରିନାହାନ୍ତି । ପ୍ରତି ବ୍ଲକରେ ଶୀତଳଭଣ୍ଡାର ଓ ପଂଚାୟତରେ କୃଷକ ବଜାର ଖୋଲିବାକୁ ସରକାରଙ୍କ ଘୋଷଣା କେବଳ ଘୋଷଣାରେ ରହିଛି ଯାହାର ପରିଣାମ ଭୋଗୁଛନ୍ତି ହଜାର ହଜାର ଚାଷୀ ପରିବାର।
ରାତିଦିନ ଏକ କରି କ୍ଷେତରେ ଫଳାଇଥିବା ଫସଲକୁ ରାସ୍ତାରେ ଫିଙ୍ଗିଦେଉଛନ୍ତି ଚାଷୀ। ଯାହା ରାଜ୍ୟରେ ଚାଷୀଙ୍କ ଦୁର୍ଦ୍ଦଶାକୁ ହିଁ ବୟାନ କରୁଛି । ଫସଲ କରିବା ପାଇଁ ଯେତିକି ଖର୍ଚ୍ଚ ହେବ, ଅମଳ ପରେ ଯଦି ସେତିକି ମୂଲ୍ୟ ନମିଳିବ ତାହାହେଲେ ଜଣେ ଅସହାୟ ଚାଷୀ ତାର ଦୁଃଖ କାହାକୁ ଜଣାଇବ। ଯେଉଁ ଟମାଟୋ କିଲୋପିଛା ଉତ୍ପାଦନ ଖର୍ଚ୍ଚ ପ୍ରାୟ ୭ଟଙ୍କା ତାକୁ ମାତ୍ର ୨ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଲାଭକଥା ଛାଡନ୍ତୁ କିଲୋପିଛା ୫ଟଙ୍କା କ୍ଷତି ସହୁଥିବା ଚାଷୀ ନିଜ ଦୁଃଖ ପ୍ରଶାସନ ଓ ସରକାରଙ୍କ କାନରେ ପହଂଚାଇବାକୁ ଏଭଳି ପ୍ରତିବାଦର ରାସ୍ତା ବାଛି ନେଇଛନ୍ତି।
କିଛିଦିନ ପୂର୍ବେ ଗଞ୍ଜାମରେ ମଧ୍ୟ ଏଭଳି ଘଟଣା ଦେଖିବାକୁ ମିଳିଥିଲା। ୨୫ କିଲୋ ଟମାଟୋ କ୍ୟାରେଟକୁ ୨୫ ଟଙ୍କାରେ ବିକ୍ରି କରିବାକୁ ବାଧ୍ୟ ହେଉଛନ୍ତି ଚାଷୀ। ଅର୍ଥାତ ଟମାଟୋ କିଲୋକୁ ୧ଟଙ୍କା। ଅଭାବୀ ବିକ୍ରି ଫଳରେ ଚାଷୀ ମଜୁରୀ ଲଗାଇ ବିଲରୁ ବିଲାତି ତୋଳିବାକୁ ନାରାଜ। ଫଳରେ ଲୋକେ ଟମାଟୋ ମାଗଣାରେ ନେଉଛନ୍ତି ନହେଲେ ଗୋରୁଗାଇ ପଶି ଖାଉଛନ୍ତି। ଏଭଳି ସ୍ଥିତି ଲାଗିରହିଲେ ପନିପରିବା ଚାଷ ପ୍ରତି ଆଉ ଆଗ୍ରହ ଦେଖାଇବେ ତ ଚାଷୀ?