ଭୁବନେଶ୍ୱର : ପୂର୍ବତଟ ରେଳପଥ ଅଧୀନରେ ଥିବା ପ୍ରାୟ ସବୁ ଛୋଟ ବଡ଼ ଷ୍ଟେସନ୍ ଓ ପାସେଞ୍ଜର୍ ହଲ୍ଟର ଚେହେରା ବଦଳିଯିବ। ଏହି ସବୁ ଛୋଟ ଛୋଟ ଷ୍ଟେସନ ଓ ପାସେଞ୍ଜର୍ ହଲ୍ଟକୁ ନୂଆ ରୂପ ଦିଆଯିବ। ପ୍ରାୟ ୫୦କୋଟି ଟଙ୍କା ବ୍ୟୟରେ ପୂର୍ବତଟ ରେଳ ଅଧୀନରେ ଥିବା ପ୍ରାୟ ୩୫ଟି ଛୋଟ ଷ୍ଟେସନ୍ ଓ ପାସେଞ୍ଜର ହଲ୍ଟରେ ପ୍ରଥମ ଥର ପାଇଁ ଫୁଟ୍ ଓଭରବ୍ରିଜ୍ ନିର୍ମାଣ କରାଯିବ। ପୂର୍ବତଟ ରେଳର ମୁଖ୍ୟ ଜନସଂପର୍କ ଅଧିକାରୀ ଜ୍ୟୋତିପ୍ରକାଶ ମିଶ୍ର ଏମିତି ସ୍ୱପ୍ନ ବୁଣିଛନ୍ତି। ଶ୍ରୀ ମିଶ୍ର କହିଛନ୍ତି, ଏହି ରେଳପଥ ଅଧୀନରେ ଥିବା ସମସ୍ତ ଷ୍ଟେସନ୍ ଓ ପ୍ଲାଟଫର୍ମକୁ କଂକ୍ରିଟ୍ କରାଯିବ। ପୂର୍ବରୁ ଛୋଟ ଛୋଟ ଷ୍ଟେସନ୍ ଓ ପାସେଞ୍ଜର୍ ହଲ୍ଟଗୁଡ଼ିକୁ ରେଳ ବିଭାଗ ଗୁରୁତ୍ୱ ଦେଉନ ଥିବା ସାଧାରଣରେ ଆଲୋଚନା ହୋଇଥାଏ। ମାତ୍ର ବର୍ତ୍ତମାନ ପୂର୍ବତଟ ରେଳର ମହାପ୍ରବନ୍ଧକଙ୍କୁ ରେଳ ବିଭାଗ ପକ୍ଷରୁ ପ୍ରଦାନ କରାଯାଇଥିବା କ୍ଷମତା ବଳରେ ସମସ୍ତ ଛୋଟ ଷ୍ଟେସନ୍ର ଭିତ୍ତିଭୂମିରେ ବ୍ୟାପକ ଉନ୍ନତି ଆଣିବା ନିମନ୍ତେ ଯୋଜନା ପ୍ରସ୍ତୁତ କରାଯାଇଛି।
Sambad is now on WhatsApp
Join and get latest news updates delivered to you via WhatsApp
ପୂର୍ବତଟ ରେଳ ଅଧିନରେ ଥିବା ମୋଟାରୀ, ସୁର୍ଲା ରୋଡ଼, ଝଡ଼ୁପୁଦି, ବରୁଭା, ସୁମ୍ମାଦେବୀ, ସୁକିନ୍ଦା, ଶଗଡ଼ପଟା, ବାଘୁଆପାଳ, ଚିଲିକିଦରା ଆଦି ଷ୍ଟେସନ୍ରେ ପ୍ରଥମ ଥର ପାଇଁ ଚଉଡ଼ା ଫୁଟ ଓଭର ବ୍ରିଜ୍ ନିର୍ମାଣ କରାଯିବ। ସେହିପରି ଏହା ଅଧୀନରେ ଥିବା ବଗଡ଼ିଆ, ବାଣୀବିହାରୀ ଗ୍ଵାଲିପୁର, ଝଙ୍କଡ଼ ଶାରଳା, ମଙ୍ଗୁଳି ଚୌଦ୍ୱାର, ମତ୍ତଗଜପୁର, ନିମକଣା, ଶ୍ରୀଝାଡ଼େଶ୍ୱର, କପାଳି ରୋଡ୍, ଦୁଲାଖା ପାଟଣା, ବ୍ରାହ୍ମଣୀ, ଅରଗୁଳ, ଛତ୍ରପୁର କୋର୍ଟ, ଧଉଳି ମୁହାଣ, ଗୋଳାବାଇ, କାଳିଜାଇ, ମୁକ୍ତେଶ୍ୱର, ସୋଲାରି, ମହଡ଼ିଆ, ସର୍ପେଶ୍ୱର, ତାଳଚେର ଥର୍ମାଲ, ହରିପୁରଗ୍ରାମ, ଜଙ୍କେଦେଇପୁର, ଜେନାପୁର ରୋଡ଼ ପାସେଞ୍ଜର୍ ହଲ୍ଟଗୁଡ଼ିକରେ ମଧ୍ୟ ପ୍ରଥମ ଫୁଟ ଓଭର୍ ବ୍ରିଜ୍ ନିର୍ମାଣ କରାଯିବା ସହିତ ବଡ଼ବନ୍ଧ ଷ୍ଟେସନ୍ରେ ଥିବା ଫୁଟ୍ ଓଭରବ୍ରିଜ୍କୁ ମଧ୍ୟ ସଂପ୍ରସାରିତ କରାଯିବ। ପୂର୍ବରୁ ଏହି ସବୁ ଷ୍ଟେସନ ଓ ପିଏଚ୍ ଗୁଡ଼ିକରେ ଫୁଟ୍ ଓଭର ବ୍ରିଜ୍ ଅଭାବ କାରଣରୁ ଅନେକ ଧନଜୀବନ ହାନି ଘଟୁଥିଲା। ସେହିପରି ସ୍ୱଳ୍ପ ଉଚ୍ଚତା ବିଶିଷ୍ଟ ରେଳ ଷ୍ଟେସନ୍ରେ ବର୍ଷାଦିନେ ଯାତ୍ରୀମାନେ ହଇରାଣ ହୋଇଥାଆନ୍ତି। ଏଭଳି ଷ୍ଟେସନଗୁଡ଼ିକରେ ଥିବା ପ୍ଲାଟ୍ଫର୍ମକୁ ଉଚ୍ଚ କରାଯିବ।
ପର୍ଯ୍ୟଟନକୁ ଗୁରୁତ୍ୱ ଦେବାକୁ ଯାଇ ରେଳବାଇ କରିଥିବା ଯୋଜନା ସଂପର୍କରେ ଶ୍ରୀ ମିଶ୍ର କହିଛନ୍ତି, ପର୍ଯ୍ୟଟନ ସ୍ଥଳକୁ ସଂଯୋଗ କରୁଥିବା ଛୋଟ ଷ୍ଟେସନ୍ ଓ ପାସେଞ୍ଜର୍ ହଲ୍ଟକୁ ମଧ୍ୟ ବିକଶିତ କରାଯିବ। ପୁରୀ ଜିଲା ଅନ୍ତର୍ଗତ ମୋଟାରୀ, ଜଗସିଂପୁରର ଝଙ୍କଡ଼ ଶାରଳା, ଖୋର୍ଧାର କାଳିଜାଇ, ମୁକ୍ତେଶ୍ୱର, ସର୍ପେଶ୍ୱର ଭଳି ପିଏଚ୍ ଓ ଛୋଟ ଷ୍ଟେସନ୍ଗୁଡ଼ିକରେ ସାମଗ୍ରିକ ବିକାଶ ନିମନ୍ତେ ମାଷ୍ଟରପ୍ଲାନ୍ ପ୍ରସ୍ତୁତ ହେବା ସହିତ ଅର୍ଥ ମଂଜୁର ହୋଇଛି।
ଭୁବନେଶ୍ୱର ଓ ଭଦ୍ରକ ରେଳ ଷ୍ଟେସନ୍ରେ ରେକର୍ଡ ସମୟରେ ୬ମିଟର ଚଉଡ଼ା ବିଶିଷ୍ଟ ଫୁଟ ଓଭର ବ୍ରିଜ୍ ନିର୍ମାଣରେ ପୂର୍ବତଟ ରେଳକୁ ସଫଳତା ମିଳିଛି। ବର୍ତମାନ ବ୍ୟସ୍ତବହୁଳ କଟକ ରେଳ ଷ୍ଟେସନରେ ପ୍ରାୟ ୩କୋଟି ଟଙ୍କା ବ୍ୟୟରେ ତୃତୀୟ ଫୁଟ୍ ଓଭର ବ୍ରିଜ୍ ନିର୍ମାଣ ହେବ। ଏହା ଯାତ୍ରୀ ଭିଡ଼କୁ ନିୟନ୍ତ୍ରଣ କରିବାରେ ବିଶେଷ ସହାୟକ ହେବ। ସେହିପରି ଯାଜପୁର କେନ୍ଦୁଝର ରୋଡ୍ ଷ୍ଟେସନରେ ମଧ୍ୟ ପ୍ରାୟ ୫କୋଟି ଟଙ୍କା ବ୍ୟୟରେ ଦ୍ୱିତୀୟ ଫୁଟ ଓଭର ବ୍ରିଜ୍ ନିର୍ମାଣ ନିର୍ମାଣ ହେବ। ଏହି ୬ମିଟର ଚଉଡ଼ା ବିଶିଷ୍ଟ ଫୁଟ ଓଭର ବ୍ରିଜ୍ରେ ର୍ୟାମ୍ପ୍ ସୁବିଧା ରହିବ। ଯାହାକି ବରିଷ୍ଠ ନାଗରିକ ଓ ମହିଳାମାନଙ୍କୁ ବିଶେଷ ସହାୟତା ଯୋଗାଇଦେବ। କଟକ ଓ ଯାଜପୁର ରୋଡ୍ ଭଳି ଷ୍ଟେସନ୍ରେ ଆଉ ଗୋଟିଏ ଗୋଟିଏ ନୂତନ ୬ମିଟର ଚଉଡ଼ା ବିଶିଷ୍ଟ ଫୁଟ ଓଭର ବ୍ରିଜ୍ କରାଯିବ ବୋଲି ଏହି ସୂତ୍ରରୁ ପ୍ରକାଶ।