ମୁମ୍ବାଇ,: ଚଳିତ ଆଇପିଏଲ୍ର ରୋମାଞ୍ଚ ଦିନକୁ ଦିନ ବଢ଼ି ବଢ଼ି ଚାଲିଛି। ପ୍ରତି ମ୍ୟାଚ୍ରେ ତୀବ୍ର ପ୍ରତିଦ୍ୱନ୍ଦ୍ୱିତା ହେବା ସହ ୮ଟି ଯାକ ଦଳ କେହି କାହାରିକୁ ସହଜରେ ବାଟ ଛାଡ଼ୁ ନାହାନ୍ତି। ମଙ୍ଗଳବାର ସୁଦ୍ଧା ଏହି ଚର୍ଚିତ ଲିଗ୍ରେ ଖେଳା ଯାଇଥିବା ୨୩ ମ୍ୟାଚ୍ ମଧ୍ୟରୁ ୯ ମୁକାବିଲାର ଫଳାଫଳ ଶେଷ ଓଭରରେ ମିଳିଛି। ସନ୍ରାଇଜର୍ସ ହାଇଦ୍ରାବାଦ ଶେଷ ବଲ୍ ପର୍ଯ୍ୟନ୍ତ ଯାଇଥିବା ସର୍ବାଧିକ ଦୁଇଟି ମ୍ୟାଚ୍ର ଅଂଶିଦାର ହୋଇଥିଲା ବେଳେ ମୁମ୍ବାଇ ବିପକ୍ଷରେ ବିଜୟୀ ହୋଇଛି। ଅନ୍ୟ ପକ୍ଷରେ ଚେନ୍ନାଇ ସୁପରକିଙ୍ଗ୍ସଠାରୁ ହାରି ଯାଇଛି। ଆଇପିଏଲ୍-୧୧ରେ ଶେଷ ବଲ୍ ଯାଏଁ ଯାଇଥିବା ଶ୍ରେଷ୍ଠ ୪ ଲଢ଼େଇ ଉପରେ ଆସନ୍ତୁ ନଜର ପକାଇବା।
ଏପ୍ରିଲ ୧୪
ଦିଲ୍ଲୀ ଡେୟାର ଡେଭିଲ୍ସ ୭ ଓ୍ଵିକେଟ୍ରେ ବିଜୟୀ
ଦିଲ୍ଲୀ ଡେୟାର ଡେଭିଲ୍ସ ଓ ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ ମଧ୍ୟ ଶେଷ ଓଭରରେ ଫୈସଲା ହୋଇଥିଲା। ଦିଲ୍ଲୀର ବିସ୍ଫୋରକ ପ୍ରାରମ୍ଭିକ ବ୍ୟାଟ୍ସମ୍ୟାନ୍ ଜାସନ ରଏ ମୁମ୍ବାଇର ବାମହାତୀ ବୋଲର ମୁସ୍ତାଫିଜୁର ରେହମାନଙ୍କ ଶେଷ ଓଭରରେ ଗୋଟିଏ ଚୌକା ଓ ଗୋଟିଏ ଛକା ମାରିବା ପରେ ବିଜୟ ପାଇଁ ଦିଲ୍ଲୀକୁ ଶେଷ ୪ ବଲ୍ରୁ ମାତ୍ର ୧ ରନ୍ର ଦରକାର ଥିଲା। ଏହା ପରେ କିନ୍ତୁ ଯାହା ଘଟିଲା ତାହା କେହି କେବେ କଳ୍ପନା ବି କରି ନଥିଲେ। ମୁସ୍ତାଫିଜୁରଙ୍କ ପରବର୍ତୀ ତିନି ବଲ୍ରୁ ଜାସନ କୌଣସି ରନ୍ ନେଇ ପାରି ନଥିଲେ। ଦିଲ୍ଲୀ ଖେଳାଳିମାନେ ଚିନ୍ତିତ ହୋଇଯିବା ସହ ମୁମ୍ବାଇ ପ୍ରଶଂସକମାନେ ଖୁସିରେ ନାଚି ଉଠିଥିଲେ। ହେଲେ ଜାସନ ଶେଷ ବଲ୍କୁ କଭର ଉପରେ ଖେଳି ବିଜୟ ସୂଚକ ରନ୍ ସଂଗ୍ରହ କରିନେବା ସହ ମୁମ୍ବାଇ ପ୍ରଶଂସକଙ୍କ ଉତ୍ସାହ ସେହିଠାରେ ମଉଳି ଯାଇଥିଲା।
ଏପ୍ରିଲ ୧୨
ସନ୍ରାଇଜର୍ସ ୧ ଓ୍ଵିକେଟ୍ରେ ବିଜୟୀ
ସନ୍ରାଇଜର୍ସ ହାଇଦ୍ରାବାଦ-ମୁମ୍ବାଇ ଇଣ୍ଡିଆନ୍ସ ମଧ୍ୟରେ ଖେଳା ଯାଇଥିବା ଏହି ମ୍ୟାଚ୍ରେ ସନ୍ରାଇଜର୍ସକୁ ବିଜୟ ପାଇଁ ଶେଷ ବଲ୍ରୁ ମାତ୍ର ୧ ରନ୍ର ଦରକାର ଥିଲା। ହେଲେ ସେତେବେଳକୁ ଏହି ଦଳ ହାତରେ ମାତ୍ର ଗୋଟିଏ ଓ୍ଵିକେଟ୍ ଥିଲା। ବ୍ୟାଟିଂ ପଟେ ଥିବା ବିଲ୍ଲି ଷ୍ଟାନଲେକ ତାଙ୍କ ଖେଳ ଜୀବନରେ କେବେବି ୫ରୁ ଅଧିକ ରନ୍ କରି ନଥିଲେ। ଯାହା ସନରାଇଜର୍ସ ପ୍ରଶଂସକଙ୍କୁ ଚିନ୍ତାରେ ପକାଇଥିଲା। ହେଲେ ଷ୍ଟାନଲେକ୍ ଅଷ୍ଟ୍ରେଲୀୟ ଦ୍ରୁତ ବୋଲର ବେନ୍ କଟିଂଙ୍କୁ ମିଡ୍ଓ୍ଵିକେଟ୍ ଉପରେ ଖେଳି ସେହି ୧ ରନ୍ ହାସଲ କରି ନେଇଥିଲେ। ସନ୍ରାଇଜର୍ସ ଖାତାକୁ ବିଜୟ ଯାଇଥିଲା ବେଳେ ପରାଜିତ ମୁମ୍ବାଇ ପୂରା ନିରାଶ ହୋଇଯାଇଥିଲା।
ଏପ୍ରିଲ ୨୨
ଚେନ୍ନାଇ ସୁପରକିଙ୍ଗ୍ସ ୪ ରନ୍ରେ ବିଜୟୀ
ଏହି ସନ୍ରାଇଜର୍ସ ହାଇଦ୍ରାବାଦ-ଚେନ୍ନାଇ ସୁପରକିଙ୍ଗ୍ସ ମ୍ୟାଚ୍ରେ ଅଧିନାୟକ କେନ୍ ଓ୍ଵିଲିୟମସନଙ୍କ ୮୪ ରନ୍ ବଳରେ ହାଇଦ୍ରାବାଦ ବିଜୟର ଦ୍ୱାର ଦେଶରେ ପହଞ୍ଚି ଯାଇଥିଲା। ତଥାପି ଶେଷ ଓଭରରୁ ବିଜୟ ପାଇଁ ଏହି ଦଳକୁ ୨୨ ରନ୍ର ଦରକାର ଥିଲା। ଆଫଗାନିସ୍ତାନ ଲେଗ୍ ସ୍ପିନର ରସିଦ୍ ଖାନ୍ ତିନିଟି ବଲ୍ରୁ ୧୬ ରନ୍ ସଂଗ୍ରହ କରି ନେଇଥିଲେ। ଫଳରେ ବିଜୟ ପାଇଁ ହାଇଦ୍ରାବାଦକୁ ଶେଷ ବଲରୁ ୬ ରନ୍ର ଦରକାର ଥିଲା। ହେଲେ ଡେ୍ଵନ୍ ବ୍ରାଭୋଙ୍କ ୟର୍କରରେ ଘାଇଲା ହୋଇ ରସିଦ ଏହାକୁ ସଂଗ୍ରହ କରି ପାରି ନଥିଲେ। ସେ ଦୁଇ ରନ୍ରେ ସନ୍ତୁଷ୍ଟ ହେବା ପରେ ଚେନ୍ନାଇ ୪ ରନ୍ର ଚମକପ୍ରଦ ବିଜୟ ହାସଲ କରିଥିଲା।
ଏପ୍ରିଲ ୨୩
କିଙ୍ଗ୍ସ ଏକାଦଶ ପଞ୍ଜାବ ୪ ରନ୍ରେ ବିଜୟୀ
ଦିଲ୍ଲୀ ଡେୟାର ଡେଭିଲ୍ସ ମଧ୍ୟକ୍ରମ ବ୍ୟାଟ୍ସମ୍ୟାନ୍ ଶ୍ରେୟସ୍ ଆୟର ମଧ୍ୟ ଏହି ମ୍ୟାଚ୍ରେ ଦିଲ୍ଲୀକୁ ବିଜୟ ଦ୍ୱାର ଦେଶରେ ପହଞ୍ଚାଇ ଦେଇଥିଲେ। ଶେଷ ଓଭରରେ ତାଙ୍କ ସମ୍ମୁଖରେ ଆଫଗାନିସ୍ତାନର ୧୭ ବର୍ଷୀୟ ରହସ୍ୟମୟ ସ୍ପିନର ମୁଜିବୁର ରେହମାନ ଥିଲେ। ଶେଷ ବଲ୍ରୁ ବିଜୟ ପାଇଁ ଦିଲ୍ଲୀକୁ ୫ ରନ୍ର ଦରକାର ଥିଲା। ଆୟର ଛକା ମାରି ଦିଲ୍ଲୀକୁ ଜବରଦସ୍ତ ବିଜୟ ଦେବାକୁ ଚେଷ୍ଟା ବି କରିଥିଲେ। ହେଲେ ଲଙ୍ଗଅନ୍ରେ ଧାରା ପଡ଼ି ଯାଇଥିଲେ।
ପୂର୍ବବର୍ତ୍ତୀ ଖବର
ପରବର୍ତ୍ତୀ ଖବର
ସମ୍ବନ୍ଧିତ ଖବର