ବାରଙ୍ଗ: ବାରଙ୍ଗ ବ୍ଲକରେ ଗତ ୧୦ ଦିନ ମଧ୍ୟରେ ୨ଟି ଡାଳିଓଧ, ଗୋଟିଏ କୁମ୍ଭାଟୁଆ ଓ ଏକ କାଉ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଅଜଣା ରୋଗରେ ପଡ଼ି ପଶୁପକ୍ଷୀଙ୍କ ମୃତ୍ୟୁ ହେଉଥିବା ନେଇ ସାଧାରଣରେ ଚର୍ଚା ଜୋର ଧରିଛି। ୧୦ ଦିନ ତଳେ ପଞ୍ଚୁପାଳ ଗ୍ରାମ ସ୍କୁଲ ପାଖ ଏକ ପାଚେରି ନିକଟରେ ପ୍ରାୟ ୨ବର୍ଷ ବୟସର ଏକ ମାଈ ଡାଳିଓଧ ଗୁରୁତର ଅବସ୍ଥାରେ ତଳେ ବସିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ। ତାକୁ ସ୍ଥାନୀୟ ଲୋକ କୁକୁରଙ୍କ ଆକ୍ରମଣରୁ ରକ୍ଷା କରିବା ଲାଗି ଏକ ଗଛ ବୁଦା ତଳେ ବସାଇ ପାଚିଲା ଅମୃତଭଣ୍ଡା ଦେଇଥିଲେ। କିନ୍ତୁ ସେହି ରାତିରେ ଡାଳିଓଧଟିର ମୃତ୍ୟୁ ହୋଇଥିଲା। ସେହିଦିନ ସକାଳୁ ବାରଙ୍ଗ ବ୍ଲକ ସମ୍ମୁଖ କେନାଲ ବନ୍ଧରେ କୁମ୍ଭାଟୁଆ ମରି ପଡ଼ିଥିବା କିଛି ଲୋକ ଦେଖିଥିଲେ। ଏହାର ଠିକ୍ ୪ଦିନ ପରେ ପଞ୍ଚୁପାଳ ଗ୍ରାମର ଏକ ନିର୍ମାଣାଧୀନ ଗୃହ ମଧ୍ୟରେ ପୁଣି ଏକ ଅଣ୍ଡିରା ଡାଳିଓଧ ମରି ପଡ଼ିଥିବା ଦେଖିବାକୁ ମିଳିଥିଲା।
Sambad is now on WhatsApp
Join and get latest news updates delivered to you via WhatsApp
ଆଜି ପୁଣି ଏକ କାଉ ଆନନ୍ଦବଜାର ପାଖ ରାସ୍ତାପାର୍ଶ୍ୱରେ ମରି ପଡ଼ିଥିବା ଦେଖିବାକୁ ମିଳିଛି। ଲଗାତାର ଭାବେ ଏସବୁଙ୍କ ମୃତ୍ୟୁକୁ ନେଇ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ନାନା ଚର୍ଚା ହେଉଛି। ଅଜଣା ରୋଗରେ ପଡ଼ି ପଶୁପକ୍ଷୀଙ୍କ ମୃତ୍ୟୁ ହେଉଥିବା କୁହାଯାଉଛି। ତେବେ ଏ ସମ୍ପର୍କରେ ଭେଟେରିନାରି ବିଶେଷଜ୍ଞ ଡ. ବଳରାମ ସାହୁଙ୍କୁ ପଚାରିବାରୁ ସେ କହିଲେ, ସାଧାରଣତଃ ଖରାଦିନେ ଡାଳିଓଧମାନେ ହାଲିଆ ହୋଇ ମୃତ୍ୟୁବରଣ କରନ୍ତି। ଯଦି ଆଉ କୌଣସି ଡାଳିଓଧଙ୍କୁ ସେଭଳି ଅବସ୍ଥାରେ ଦେଖୁଛନ୍ତି, ସେମାନଙ୍କୁ ଗୁଡ଼ ୨ଚାମଚ ଓ ଲୁଣ ଅଧ ଚାମଚ ମିଶାଇ ପିଆଇ ଦେବାକୁ ସେ ପରାମର୍ଶ ଦେଇଥିଲେ। ଏହାଦ୍ୱାରା ସେମାନେ ସୁସ୍ଥ ହୋଇଯିବେ।